ପୁରୀ: ଆସନ୍ତା ୧୯ ତାରିଖରେ ପବିତ୍ର ଭଉଁରୀ ତିଥି । ପରମ୍ପରା ଅନୁସାରେ ରଥ ଖଳାକୁ ଆଜ୍ଞା ମାଳ ବିଜେ କରିବା ସହ ଚକ ଅଖ ଯୋଖା ନୀତି ଅନୁଷ୍ଠିତ ହେବ । ବିଶ୍ଵକର୍ମା ମହାରଣା ମାନେ ଚକ ନିର୍ମାଣରେ ଲାଗିପଡ଼ିଥିବାବେଳେ ଏହି ପରମ୍ପରାକୁ ନେଇ ରଥ ଖଳାରେ ଗୁରୁବାର ଅଖ ନିର୍ମାଣର ଅନୁକୂଳ ହୋଇଥିବାବେଳେ ଏହାର ଦୁଇ ପାଖକୁ ଚଉପଟ ପରେ ଗୋଲେଇ କରାଯାଉଛି । ପ୍ରତି ରଥର ନାହାକା ଅଖ କାମ ଜାରି ରହିଥିବାବେଳେ ଦୁଇଟି ଲେଖା ନାହାକା ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଅନ୍ୟପଟେ, ରୂପକାର ସେବକ ମାନେ କୋଣ ଗୁଜରେ ସିଂହ ବିରାଳ ଖୋଦେଇ ଜାରି ରଖିଛନ୍ତି l
ତିନି ରଥର ୨ଟି ଲେଖାଏଁ ନାହାକା ଚକ ଓ ପହି ନାହାକା ଚକ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇଥିବାବେଳେ ସାନଉଛୁଳା ଚକ କାମ ଜାରି ରହିଅଛି l ସେହିପରି ଭୂଇଁ ନିର୍ମାଣ ନେଇ ଚଉତା କାଠ ଓ ଅରମୁଣ୍ଡି କାମ ଜାରି ରହିଥିବାବେଳେ ସାଲଗୁଜ, ତୀଖଗୁଜ, ଜଳଯନ୍ତ୍ର ଚଉପଟ ନିର୍ମାଣ ଚାଲିଛି l ବର୍ତ୍ତମାନ ସୁଦ୍ଧା ରଥ ତିନିଗୋଟିର ପ୍ରାୟ ୧୨ରୁ ଉର୍ଦ୍ଧ ଚକ ନିର୍ମାଣ ସରିଥିବାବେଳେ ରଥଖଳାରେ ବିଲେଇ ବାଡ଼ିଆ କାର୍ଯ୍ୟ ଜାରି ରହିଛି । ସେହିପରି ତିନି ରଥ ପାଇଁ ୭୮ଜଣ ବିଶ୍ୱକର୍ମା, ୬୫ଜଣ ଭୋଇ ସେବକ, ୪ଜଣ କରତି ସେବକ , ୧୫ଜଣ କମାର ସେବକ, ୨୧ଜଣ ରୂପକାର ସେବକ ଓ ଅନାନ୍ୟ କାରିଗରକୁ ମିଶାଇ, ମୋଟ ୧୮୮ ଜଣ ରଥ କାର୍ଯ୍ୟରେ ନିୟୋଜିତ ଥିବା ଜଣାପଡିଛି l
ରଥଯାତ୍ରା ଯେତିକି ନିକଟତର ହେବାରେ ଲାଗିଛି ରଥ ନିର୍ମାଣ କାର୍ଯ୍ୟ ସେତିକି ଅଗ୍ରସର ହେଉଥିବାବେଳେ ପ୍ରଚଣ୍ଡ ରୌଦ୍ରତାପ ସତ୍ୱେ ରଥ ଖଳାରେ ସେବକମାନେ କାର୍ଯ୍ୟ କରୁଥିବା ଜଣାପଡିଛି l
Comments are closed.