ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ବିଜେପିରେ ଆରମ୍ଭ ହେଲା ଗୋଷ୍ଠୀ କନ୍ଦଳ। ବଳଭଦ୍ରଙ୍କ ପ୍ରାର୍ଥୀତ୍ଵକୁ ନେଇ ନବରଙ୍ଗପୁର ବିଜେପି ଦୁଇ ଫାଳ । ନବରଙ୍ଗପୁର ବିଜେପିରେ ଶୁଭିଲା ବିଦ୍ରୋହର ସ୍ୱର। ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ଗତକାଲି ବିଜେପି ତରଫରୁ ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ପ୍ରାର୍ଥୀତ୍ୱ ଘୋଷଣା ପରେ ନବରଙ୍ଗପୁର ବିଜେପିରେ ବିଦ୍ରୋହର ସ୍ୱର ଶୁଣାଯାଇଛି ।
ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କ ସମର୍ଥକ ମାନେ ବଳଭଦ୍ରଙ୍କ ପ୍ରାର୍ଥୀତ୍ଵକୁ ଗ୍ରହଣ ନକରି ବିରୋଧ ପ୍ରର୍ଦଶନ କରିଛନ୍ତି । ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଗତ ବିଜେପି ବିଜେଡି ମେଣ୍ଟ ସରକାର ସମୟ ରେ ୧୯୯୯ ଓ ୨୦୦୪ ରେ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତେବେ ୨୦୧୯ ମସିହାରେ ବିଜେଡିରୁ ଟିକେଟ ନପାଇ ବିଜେପିରେ ସାମିଲ ହୋଇ ସାଂସଦ ଟିକେଟ ପାଇ ପରାସ୍ତ ହୋଇଥିଲେ ଏବଂ ତୃତୀୟ ସ୍ଥାନରେ ରହିଥିଲେ । ବର୍ତ୍ତମାନ ପୁଣି ବଳଭଦ୍ର ମାଝୀଙ୍କୁ ପ୍ରାର୍ଥୀ କରାଯିବା ନେଇ ପର୍ଶୁରାମଙ୍କ ସମର୍ଥକ ମାନେ ଅସନ୍ତୋଷ ଜାହିର କରିଛନ୍ତି ।
ଟିକେଟ ଘୋଷଣା ପୂର୍ବରୁ ପର୍ଶୁରାମଙ୍କ ସମର୍ଥକ ବିଜେପି କର୍ମୀମାନେ ଏକତ୍ରିତ ହୋଇ ପର୍ଶୁରାମଙ୍କୁ ଟିକେଟ ଦେବା ପାଇଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ନିବେଦନ କରିଥିଲେ । ଯଦି ବଳଭଦ୍ରଙ୍କ ପ୍ରାର୍ଥୀତ୍ଵକୁ ବାତିଲ ନକରାଯାଏ ତେବେ ନିର୍ବାଚନରୁ ବିରତି ରହିବେ ବୋଲି କର୍ମୀମାନେ ଚେତାବନୀ ଦେଇଛନ୍ତି। ଅପରପକ୍ଷରେ ପ୍ରାର୍ଥୀତ୍ୱକୁ ନେଇ କର୍ମୀମାନଙ୍କୁ ଧର୍ଯ୍ୟ ଧରିବା ପାଇଁ କହିଛନ୍ତି ପର୍ଶୁରାମ ମାଝୀ।
Comments are closed.