Latest Odisha News

BREAKING NEWS

‘କର୍ଣ୍ଣାଟକ ନିର୍ବାଚନ’, ୧୭ ଆସନ ପାଇଁ ମୋଦିଙ୍କ ମାୟାଜାଲ !

ଭୁବନେଶ୍ୱର: କର୍ଣ୍ଣାଟକ ମହାଲଢ଼େଇରେ ରବିବାର ଶେଷ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶନିବାର ଓ ରବିବାର ଦୁଇ ଦିନ ମୋଦି ବେଙ୍ଗାଲୁରୁରେ ଆଠ ଘଣ୍ଟାର ରୋଡ଼ ଶୋ କରିବେ ବୋଲି ସୂଚନା ମିଳିଛି। ନମ ବେଙ୍ଗାଲୁରୁ ନମ ହେମେ ବା ଆମ ବେଙ୍ଗାଲୁରୁ ଆମ ଗର୍ବ ନାମରେ ଏହି ରୋଡ଼ ସୋ କରି ପ୍ରଚାରକୁ ଶେଷ ସ୍ପର୍ଶ ଦେବେ ମୋଦି।

ଦୀର୍ଘ ଦିନ ଧରି ଲଗାତର କର୍ଣ୍ଣାଟକରେ ବିଜେପି ପାଇଁ ପ୍ରଚାର ମଙ୍ଗ ସମ୍ଭାଳିଥିବା ମୋଦି ନିଜର ଶେଷ ପ୍ରଚାର ମାଧ୍ୟମରେ ଏକ ବଡ଼ ବାତାବରଣ ତିଆରି କରିବାକୁ ଯୋଜନା କରିଛନ୍ତି। ପ୍ରଥମ ରୋଡ଼ ସୋ କେମ୍ପେ ଗୌଡାଙ୍କ ପ୍ରତିମୂର୍ତ୍ତି ପାଖରୁ ଆରମ୍ଭ ହୋଇ ବ୍ରିଗେଡ଼ ରୋଡ଼ରେ ଶେଷ ହୋଇଥିବା ବେଳେ ରବିବାର ବ୍ରିଗେଡ଼ ରୋଡ଼ରୁ ଆରମ୍ଭ ହୋଇ ମାଲେସ୍ୱରମ ନିର୍ବାଚନ ମଣ୍ଡଳୀର ସାଙ୍କେ ଟ୍ୟାଙ୍କ ନିକଟରେ ଶେଷ ହେବ।

ଦୁଇ ଦିନର ରୋଡ଼ ସୋରେ ବେଙ୍ଗାଲୁରୁ ସହରର ୨୮ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୧୭ ଟିକୁ କଭର କରିବ। ଏପରିକି ରବିବାର ଦିନ ରୋଡ଼ ସୋ ପରେ ମୋଦି ଶିବମୋଗା ଓ ନଞ୍ଜନଗୁଡ଼ରେ ଜନସଭାକୁ ସମ୍ବୋଧିତ କରିବେ।

ନିଜର ପ୍ରଚାର ମଧ୍ୟରେ ମୋଟ ୧୮ ଟି ଜନସଭା ଓ ୫ ଟି ରୋଡ଼ ସୋ କରି ପ୍ରଚାରକୁ ଶେଷ କରିବେ ମୋଦି। ନଞ୍ଜନଗୁଡ଼ ମନ୍ଦିରରେ ଶ୍ରୀକାନ୍ତେସ୍ୱରଙ୍କ ପୂଜା କରି ନିଜର କର୍ଣ୍ଣାଟକ ପ୍ରଚାର ଶେଷ କରିବେ ବୋଲି କୁହାଯାଉଛି। ଏହି ପୂଜା ଦ୍ୱାରା ବିଜେପି ବାରଣାସୀ ବା ଉତ୍ତରକାଶୀକୁ ନଞ୍ଜନଗୁଡ଼ ବା ଦକ୍ଷିଣକାଶୀ ସହ ଯୋଡି ଏକ ବାର୍ତ୍ତା ଦେବାକୁ ଉଦ୍ୟମ ହେଉଥିବା ଆଲୋଚନା ହେଉଛି।

ପ୍ରଧାନମନ୍ତ୍ରୀ ବାରଣାସୀରୁ ପ୍ରତିନିଧିତ୍ୱ କରୁଛନ୍ତି। ତେଣୁ ମୋଦିଙ୍କ ଉପରେ ବହୁ ଭରଷା ରଖିଥିବା କର୍ଣ୍ଣାଟକ ବିଜେପି ମୋଦି ଙ୍କ ପ୍ରଚାରର ଫାଇଦା ପାଇବାକୁ ଲକ୍ଷ ରଖିଛି। ସେହିଭଳି କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେ ହୁବଲିରେ ଜୋରଦାର ପ୍ରଚାର କରିଛନ୍ତି।

ସେହିପରି ରାହୁଲ ଗାନ୍ଧୀ ପ୍ରଚାରର ଶେଷ ପର୍ଯ୍ୟାୟରେ ୟାମାକାନାମାରାଡିରେ ଏକ ଶୋଭାଯାତ୍ରାକୁ ସମ୍ବୋଧିତ କରିଛନ୍ତି। ସେପଟେ ପ୍ରଚାରର ଶେଷ ପର୍ଯ୍ୟାୟରେ ମଧ୍ୟ ଆକ୍ଷେପ ପ୍ରତିଆକ୍ଷେପର ପର୍ବ ତୀବ୍ର ହୋଇଛି। କଂଗ୍ରେସ ନେତା ଜୟରାମ ରମେଶ ଭାଷା ପ୍ରସଙ୍ଗକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି।

ମୋଦି ସରକାର ସଂସ୍କୃତ ଭାଷା ପାଇଁ ୬୪୦ କୋଟି ଟଙ୍କା ବ୍ୟୟବରାଦ କରିଥିବା ବେଳେ କନ୍ନଡ଼ ପାଇଁ ମାତ୍ର ୩ କୋଟି ଟଙ୍କା ବରାଦ କରାଯିବାକୁ ନେଇ ଟାର୍ଗେଟ କରିଛନ୍ତି ଜୟରାମ। ସେପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ରାଷ୍ଟ୍ରୀୟ ସଭାପତି ଏଚ ଡି ଦେବେଗୌଡା ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟକୁ ନେଇ ବର୍ଷିଛନ୍ତି।

ଜେଡିଏସ କୁ ଭୋଟ ଦେଲେ କଂଗ୍ରେସକୁ ଭୋଟ ଦେବା ଭଳି ବୋଲି ମୋଦି ଦେଇଥିବା ମନ୍ତବ୍ୟକୁ କଡା ସମାଲୋଚନା କରିଛନ୍ତି ଦେବେଗୌଡା। ୨୦୧୮ ମସିହାରେ କର୍ଣ୍ଣାଟକ ନିର୍ବାଚନ ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେଉଁ ଭୁଲ କରିଥିଲେ ଏବେ ମୋଦି ସେହି ଭୁଲ କରୁଛନ୍ତି ବୋଲି ସେ କହିଛନ୍ତି।

ଏତେ ଅନୁଭବୀ ନେତା ହୋଇ ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଯାହାକୁ ନେଇ କର୍ଣ୍ଣାଟକ ରାଜନୀତି ଚଳଚଞ୍ଚଳ ହୋଇଉଠିଛି।

Comments are closed.