ଭୁବନେଶ୍ବର: ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ବାସ୍ଥ୍ୟ ଓ ଉଚ୍ଚ ଶିକ୍ଷା ବିଭାଗର ନବନିଯୁକ୍ତମାନଙ୍କୁ ଆଜି ଲୋକସେବା ଭବନରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ୮୫ ହୋମିଓପାଥିକ ମେଡିକାଲ ଅଫିସର, ୨୩୯ ରେଡିଓଗ୍ରାଫର ଓ ୫୨ ଜଣ ଉଚ୍ଚଶିକ୍ଷା ବିଭାଗ ଅଧ୍ୟାପକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଯେଉଁ ଜିଲ୍ଲାରେ ମେଡିକାଲ କଲେଜ ନାହିଁ, ଆଗାମୀ ପାଞ୍ଚ ବର୍ଷରେ ସେଠି ମେଡିକାଲ କଲେଜ ହେବା ସହିତ ଉତ୍ତମ ଡାକ୍ତର ଓ ଚିକିତ୍ସା ସେବା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜିର ଏହି ନିଯୁକ୍ତି ମେଳା ନୂଆ ସରକାରଙ୍କ ଷଷ୍ଠ ନିଯୁକ୍ତି ମେଳା। ଏ ନିଯୁକ୍ତି ମେଳାରେ ୩୭୬ ଜଣ ନିଯୁକ୍ତି ପତ୍ର ପାଇଲେ । ଏବେ ଆମ ସରକାର ଯାହା ସବୁ କରୁଛନ୍ତି, ତାହା ଗତ ୨୪ ବର୍ଷ ଭିତରେ ଏହା ହୋଇ ପାରିଥାନ୍ତା । ହେଲେ ଶିକ୍ଷା ସ୍ୱାସ୍ଥ୍ୟ ଓ ଗୃହ ପରି ସରକାରୀ ପଦବୀ ପୂରଣ ଆଭିମୁଖ୍ୟ ରଖି କାହିଁକି ପୂରଣ ହୋଇ ପାରିଲା ନାହିଁ । ତେଣୁ ରାଜ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପଛରେ ପଡିଲା।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ନୀତି ଆୟୋଗର ସ୍ୱାସ୍ଥ୍ୟ ରେଟିଂରେ ଆମେ ଶେଷ ଆଡୁ ତୃତୀୟ ଅଛି । ଏହାକୁ ନେଇ ଗର୍ବ କରି ହେବନି । ମୁଁ ବିଧାନସଭାରେ ଏଥିପାଇଁ ଲଢେଇ କରି ପୂର୍ବ ସରକାରଙ୍କୁ କାଠଗଡାରେ ଠିଆ କରିଥିଲି। ହେଲେ ସେ ସରକାର ସଏହି ପ୍ରସଙ୍ଗକୁ କର୍ଣ୍ଣପାତ କଲେ ନାହିଁ । ୪୦ ପଏଣ୍ଟ ପାଇ ଆମେ ଥାର୍ଡ଼ ଡିଭିଜନ ପାଇଛୁ । ହେଲେ ପୂର୍ବ ସରକାର କହୁଥିଲେ ଆମେ ବିଶ୍ବ ସ୍ତରୀୟ ସ୍ଵସ୍ତ୍ୟ ସେବା ଦେଉଛୁ। ସତରେ କଣ ଆମେ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ପାଉଛେ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ।
ସେହିପରି ସ୍ୱାସ୍ଥ୍ୟ ପାଇଁ ୨୧,୨୦୦ କୋଟି ବଜେଟ୍ ସ୍ଥିର କରାଯାଇଛି । ଏହି ବଜେଟରୁ ଅଧିକାଂଶ ଅର୍ଥ ଭିତ୍ତିଭୂମି ପାଇଁ ରଖାଯାଇଛି । ନିରାମୟ, ନିଦାନ ଭଳି ଯୋଜନା ଚାଲିଛି । ସିଟି ସ୍କାନ ପରି ପାଥୋଲୋଜି ସେବା ମାଗଣାରେ ଦିଆଯାଉଛି। ଏହାସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆରମ୍ଭ ହେବ । ରାଜ୍ୟରେ ମୋଟ ୧୨ଟି ମେଡିକାଲ କଲେଜ ଅଛି ଯାହା ପର୍ଯ୍ୟାପ୍ତ ନୁହେଁ। ଯେଉଁ ଜିଲ୍ଲାରେ ମେଡିକାଲ କଲେଜ ନାହିଁ, ଆଗାମୀ ପାଞ୍ଚ ବର୍ଷରେ ସେଠି ମେଡିକାଲ କଲେଜ ହେବା ସହିତ ଉତ୍ତମ ଡାକ୍ତର ଓ ଚିକିତ୍ସା ସେବା ମିଳିବ ବୋଲି ସେ କହିଛନ୍ତି।
ଖୁବ ଶୀଘ୍ର ସରକାରୀ ଫାର୍ମାସି ଅଫିସର ନିଯୁକ୍ତି ହେବେ। ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ୱରରେ ହୋମିଓପାଥି ମେଡିକାଲ କଲେଜ ସ୍ଥାପିତ ହେବ। ରେଡ଼ିଓଗ୍ରାଫର କ୍ୟାଡର ପୁନର୍ଗଠନ କରାଯାଇଛି। ଗତ ସରକାର ନିଯୁକ୍ତିରେ ଦୁର୍ନୀତି କରିଥିଲେ। JEE, ASO ପରୀକ୍ଷାରେ ସ୍ୱଚ୍ଛତା ନଥିଲା । ହେଲେ ନିଯୁକ୍ତିରେ ସ୍ୱଚ୍ଛତା ନୂଆ ଆଇନ ଖୁବ୍ଶୀଘ୍ର କାର୍ଯ୍ୟକାରୀ ହେବ। ଯୁବସମାଜ ସମାଜକୁ ଉଚିତ ପଥ ପ୍ରଦର୍ଶନ କଲେ, ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।