Latest Odisha News

BREAKING NEWS

ରାଜ୍ୟସଭାରେ ତୃତୀୟ କୃଷି ବିଲ୍ ପାରିତ, ମୌସୁମୀ ଅଧିବେଶନ ବଏକଟ୍ କଲେ ବିରୋଧୀ

ନୂଆଦିଲ୍ଲୀ: ବିରୋଧୀଙ୍କ ଜୋରଦାର ହଙ୍ଗାମା ଭିତରେ ରାଜ୍ୟସଭାରେ ପାସ୍ ହେଲା ତୃତୀୟ କୃଷି ବିଲ୍ । ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ-୨୦୨୦ ରାଜ୍ୟସଭାରେ ପାରିତ ହୋଇଛି । ଅତ୍ୟାବଶ୍ୟକ ଦ୍ରବ୍ୟ ତାଲିକାରୁ ଶସ୍ୟ, ଡାଲି, ତେଲ ମଂଜି, ଖାଇବା ତେଲ, ପିଆଜ ଏବଂ ଆଳୁ ହଟାଇବାକୁ ନେଇ ଆଗତ ହୋଇଥିବା ବିଲ୍କୁ ରାଜ୍ୟସଭାରେ ଅନୁମୋଦନ ମିଳିଛି । ଗତ ୧୫ ସେପ୍ଟେମ୍ବରରେ ଲୋକସଭାରେ ଏହି ବିଲ୍ ପାରିତ ହୋଇଥିଲା । ଏହାପୂର୍ବରୁ ଦୁଇଟି ବିଲ୍ ରବିବାର ରାଜ୍ୟସଭାରେ ପାରିତ ହୋଇଥିଲା ।

ସେପଟେ ତୃତୀୟ କୃଷି ବିଲ୍ ଉପରେ ଆଲୋଚନା ଚାଲିଥିବା ବେଳେ ବିରୋଧୀମାନେ ଏହାକୁ ବିରୋଧ କରି ମୌସୁମୀ ଅଧିବେଶନର ଅବଶିଷ୍ଟ କାର୍ଯ୍ୟ ଦିବସକୁ ବହିଷ୍କାର ଡାକରା ଦେଇ  ଅଧିବେଶନ ଛାଡ଼ି ପଳାଇଥିଲେ । ଏହା ସହ କଂଗ୍ରେସ ସଦସ୍ୟମାନେ ମଧ୍ୟ ପ୍ରତିବାଦରେ ରାଜ୍ୟସଭା ବାହାରକୁ ଚାଲିଯାଇଥିଲେ। ଅନ୍ୟ ପକ୍ଷରେ ନିଲମ୍ବିତ ହୋଇଥିବା ୮ ସାଂସଦମାନଙ୍କୁ ସମର୍ଥନ କରି ସେମାନଙ୍କ ପାଇଁ ଗୋଟିଏ ଦିନ ଉପବାସ କରିବେ ବୋଲି କହିଛନ୍ତି ଏନସିପି ନେତା ଶରଦ ପାୱାର।

ସୂଚନା ମୁତାବକ, ତିନିଟି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ମୌସୁମୀ ଅଧିବେଶନକୁ ବଏକଟ କରୁଥିବା କହିଛନ୍ତି ବିରୋଧୀ। ପ୍ରଥମ ଦାବିରେ ୮ ସାଂସଦଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିବାକୁ ବିରୋଧୀ ଦଳ ଦାବି କରିଛନ୍ତି। ବିରୋଧୀ ଏହା ମଧ୍ୟ ଦାବି କରିଛନ୍ତି ଯେ ସରକାର ଏକ ବିଲ୍ ଆଣନ୍ତୁ ଯାହା ନିଶ୍ଚିତ କରିବ ଯେ ଘରୋଇ ବ୍ୟବସାୟୀମ‌ାନେ ସରକାରଙ୍କ ଦ୍ୱାରା ସ୍ଥିର ହୋଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି) ଠାରୁ କମ୍ ଦରରେ ଖାଦ୍ୟ ଶସ୍ୟ କ୍ରୟ କରିବେ ନାହିଁ। ଏମଏସ ସ୍ବାମୀନାଥନ୍ କମିଟି ରିପୋର୍ଟର ସୁପାରିଶ ଉପରେ ଆଧାର କରି ଏମ୍ଏସପି ହେବା ଉଚିତ୍ ବୋଲି କହିଛନ୍ତି ବିରୋଧୀ | ଏହି ୩ଟି ଦାବି ପୂରଣ ନହେବା ଯାଏଁ ବିରୋଧୀ ଦଳମାନେ ମୌସୁମୀ ଅଧିବେଶନକୁ ବଏକଟ କରିବେ ବୋଲି କହିଛନ୍ତି।

Leave A Reply

Your email address will not be published.