ଭୁବନେଶ୍ବର: ପୁଣି ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯିବ । ଆସନ୍ତା ୨୪ ତାରିଖରେ ମହିଳାଙ୍କ ଖାତାକୁ ତୃତୀୟ ପର୍ଯ୍ୟାୟ ଟଙ୍କା ଚଢିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା ।
ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ନଭେମ୍ବର ୨୪ ତାରିଖରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯିବ ‘ସୁଭଦ୍ରା’ ଟଙ୍କା । ସୁନ୍ଦରଗଡ଼ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୩ୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯିବ ।
ଏଥିସହିତ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ବିଭିନ୍ନ ତ୍ରୁଟି କାରଣରୁ ୨ ଲକ୍ଷ ୬୭ ହଜାର ସୁଭଦ୍ରା ଆବେଦନ ଖାରଜ କରାଯାଇଛି । ରିଜେକ୍ଟ ତାଲିକା ଜିଲ୍ଲାପାଳଙ୍କ ଜରିଆରେ ବ୍ଲକକୁ ପଠାଯାଇଛି । ତେବେ ଯେଉଁମାନଙ୍କର ରିଜେକ୍ଟ କରାଯାଇଛି, ସେମାନା ଆଧାର କାର୍ଡ ଏବଂ ବ୍ୟାଙ୍କ ତ୍ରୁଟି ସଂଶୋଧନ କଲେ ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଯଦି ସଂଶୋଧନ କରିବାରେ ବିଳମ୍ବ ହୁଏ, ତାହାଲେ ସେମାନଙ୍କୁ ଚତୁର୍ଥ ପର୍ଯ୍ୟାୟରେ ସାମିଲ କରାଯିବ । ଯେ ପର୍ଯ୍ୟନ୍ତ ଶେଷ ଯୋଗ୍ୟ ହିତାଧିକାରୀଟିଏ ପାଇନାହିଁ ସେ ପର୍ଯ୍ୟନ୍ତ ସୁଭଦ୍ରା ଚାଲୁ ରହିବ । ଜଣେ ବି ଯୋଗ୍ୟ ହିତାଧିକାରୀ ସୁବିଧାରୁ ବଞ୍ଚିତ ହେବେ ନାହିଁ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।
Comments are closed.