Latest Odisha News

୨୦୨୫-୨୬ ବଜେଟ୍ ରଣନୀତି ପ୍ରସ୍ତୁତ କରିବାରେ ଅର୍ଥମନ୍ତ୍ରୀଙ୍କ ସହ ଅଛନ୍ତି ଏହି ନୂଆ ଟିମ୍

ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପିତ ହେଲା ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତର ଅଷ୍ଟମ ଥର ପାଇଁ ସେ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥର ବଜେଟ୍‌ ରେ ମଧ୍ୟବିତ୍ତ, ମହିଳା ଏବଂ ଗରିବଙ୍କୁ ସର୍ବାଧିକ ପ୍ରାଧାନ୍ୟ ମିଳିଛି । ତେବେ ଏଥର ବଜେଟ୍ ରେ ଆର୍ଥିକ ବ୍ୟାପାର ସଚିବ ଏବଂ ମୁଖ୍ୟ ଆର୍ଥିକ ପରାମର୍ଶଦାତାଙ୍କ ବ୍ୟତୀତ ଏକ ନୂଆ ଟିମ୍ ବଜେଟ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଅର୍ଥମନ୍ତ୍ରୀଙ୍କୁ ସାହାର୍ଯ୍ୟ କରିଛନ୍ତି ।

ତେବେ ନିର୍ମଳାଙ୍କ ନୂଆ ଟିମ୍ ରେ ଅଛନ୍ତି, ତୁହିନ କାନ୍ତ ପାଣ୍ଡେ, ଅଜୟ ସେଠ୍‌, ଅରୁଣିଶ ଚାୱଲା, ଏମ. ନାଗରାଜୁ, ଭି.ଅନନ୍ତ ନାଗେଶ୍ୱରନ

ତୁହିନ କାନ୍ତ ପାଣ୍ଡେ ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟର ରାଜସ୍ବ ସଚିବ ଭାବରେ କାମ କରୁଛନ୍ତି । ପାଣ୍ଡେ ହେଉଛନ୍ତି ଓଡ଼ିଶା କ୍ୟାଡରର ୧୯୮୭ ବ୍ୟାଚର ଆଇଏଏସ ଅଧିକାରୀ । ସେ ୨୪ ଅକ୍ଟୋବର, ୨୦୧୯ରେ ରାଜସ୍ବ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆର ବିକ୍ରୟ ଶେଷ କରି ଏକ ନୂଆ ଦିଶା ଦେବା ପଛରେ ତୁହିନ କାନ୍ତ ପାଣ୍ଡେଙ୍କ ମୁଖ୍ୟ ଭୂମିକା ରହିଛି । ଖାଲି ସେତିକି ନୁହଁ ଡିଆଇପିଏଏମ ସଚିବ ଭାବରେ, ସେ ଭାରତୀୟ ଜୀବନ ବୀମା ନିଗମକୁ ଶେୟାର ବଜାରକୁ ଆଣିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ସେହିପରି ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ସଚିବ ଥିବା ମନୋଜ ଗୋଭିଲ ହେଉଛନ୍ତି ମଧ୍ୟପ୍ରଦେଶ କ୍ୟାଡରର ୧୯୯୧ ବ୍ୟାଚ ଆଇଏଏସ ଅଧିକାରୀ । ସେ ୨୦୨୪ ଠାରୁ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ସଚିବ ଅଛନ୍ତି । ଏହା ପୂର୍ବରୁ, ସେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଥିଲେ । ନୂତନ ଯୋଜନାଗୁଡ଼ିକୁ ଅନୁମୋଦନ କରିବା, ବ୍ୟୟ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ଏବଂ ରାଜ୍ୟଗୁଡ଼ିକୁ ସମ୍ବଳ ହସ୍ତାନ୍ତର କରିବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିବେ ଗୋଭିଲ ।

ଅରୁଣୀଶ ଚାୱଲା ୧୫ ଦିନ ରାଜସ୍ବ ସଚିବ ଭାବରେ କାର୍ଯ୍ୟ କରିବା ପରେ ଜାନୁଆରୀ ୮ ତାରିଖରେ ବିନିଯୋଗ ଏବଂ ସାର୍ବଜନୀନ ସମ୍ପତ୍ତି ପରିଚାଳନା ବିଭାଗର ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଡିଆଇପିଏଏମ ସଚିବ ଭାବରେ, ଚାୱଲା ଅନ୍ୟାନ୍ୟ ସରକାରୀ ପଦକ୍ଷେପ ମଧ୍ୟରେ ଆଇଡିବିଆଇ ବ୍ୟାଙ୍କର ବିକ୍ରୟ, ବିନିଯୋଗ ଏବଂ ମୁଦ୍ରୀକରଣ ତଦାରଖ କରିବେ । ୧୯୯୨ ବ୍ୟାଚ ବିହାର କ୍ୟାଡର ଆଇଏଏସ ଅଧିକାରୀ ଅରୁଣୀଶ ଚାୱଲା ।

୨୦୨୧ ମସିହା ଏପ୍ରିଲ ଠାରୁ ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ଭାବରେ ଦାୟିତ୍ୱ ତୁଲାଇ ଆସୁଥିବା ଅଜୟ ସେଠ୍‌ ବଜେଟ ପ୍ରସ୍ତୁତି ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଆର୍ଥିକ ଯୋଜନା, ଆନ୍ତଃ-ମନ୍ତ୍ରଣାଳୟ ସମନ୍ବୟ ଏବଂ ନୀତି ଗଠନ ଉପରେ ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ବିଶେଷ ଧ୍ୟାନ ଦେଇଥାଏ ।

ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ୱରନ ଜଣେ ଲେଖକ ଏବଂ ଶିକ୍ଷକ । ସେ ସୀତାରମଣଙ୍କ ଘନିଷ୍ଠ ପରାମର୍ଶଦାତାମାନଙ୍କ ମଧ୍ୟରୁ ଜଣେ । ବଜେଟର ସାମଗ୍ରିକ ଅର୍ଥନୈତିକ ପୃଷ୍ଠଭୂମି ପ୍ରସ୍ତୁତ କରିବା ହେଉଛି ତାଙ୍କର ଭୂମିକା । ନାଗେଶ୍ୱରନଙ୍କ ୩ ବର୍ଷର କାର୍ଯ୍ୟକାଳ ଚଳିତ ଆର୍ଥିକ ବର୍ଷରେ ଶେଷ ହେବ । ନାଗେଶ୍ୱରନ ଅହମ୍ମଦାବାଦର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟରୁ ଏମବିଏ ଏବଂ ଆମହର୍ଷ୍ଟର ମାସାଚୁସେଟ୍ସ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି ।

୧୯ ଅଗଷ୍ଟ, ୨୦୨୪ରେ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗରେ ସଚିବ ଭାବରେ ଏମ. ନାଗରାଜୁଙ୍କୁ ନିଯୁକ୍ତ କରାଯାଇଛି । ସେ ଏହି ବଜେଟରେ ଅର୍ଥମନ୍ତ୍ରୀଙ୍କୁ ଫିନଟେକ ନିୟନ୍ତ୍ରଣ, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ଡିଜିଟାଲ ଆର୍ଥିକ ଭିତ୍ତିଭୂମି ନିର୍ମାଣ ଉପରେ ପରାମର୍ଶ ଦେଉଥିବା ପ୍ରମୁଖ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ । ନାଗରାଜୁ ୨୦୦୮ ରୁ ୨୦୧୨ ମଧ୍ୟରେ ୱାଶିଂଟନରେ ବିଶ୍ୱ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତ୍ରିପୁରା କ୍ୟାଡରର ୧୯୯୩ ବ୍ୟାଚ ଆଇଏଏସ ଅଧିକାରୀ ହେଉଛନ୍ତି ଏମ. ନାଗରାଜୁ ।

Comments are closed.