Latest Odisha News

ଓକିଲଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୩ଗିରଫ

କାମାକ୍ଷାନଗର : ବହୁ ଚର୍ଚ୍ଚିତ ଓକିଲ ଶଶଧର ମହାନ୍ତି ଆକ୍ରମଣକୁ ନେଇ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ।  ଏହାକୁ ନେଇ କାମାକ୍ଷାନଗର ଏସଡିପିଓ ରଞ୍ଜନ କୁମାର ଦେ ଏକ ପ୍ରେସମିଟ ମାଧ୍ୟମରେ ପ୍ରକାଶ କରିଛନ୍ତି । ଗତ ମାସ ୨୮ ତାରିଖ ଦିନ ଏକ ରେଷ୍ଟୁରାଣ୍ଟରେ କିଛି ଅସାମାଜିକ ଯୁବକ ମଦ ବୋତଲ ଭାଙ୍ଗି ଓକିଲ ଶଶଧର ମହାନ୍ତିଙ୍କୁ ଆକ୍ରମଣ କରିଥିଲେ ।

ସେ ଏବେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ  ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଯାହାକୁ ନେଇ କାମାକ୍ଷାନଗର ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ହୋଇଥିଲା। ଢେଙ୍କାନାଳ ଏସପି ଏଲ. ବିଦ୍ୟା ଭି. ଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଅଭିଯୁକ୍ତ ରଶ୍ମୀରଞ୍ଜନ ଦାଶକୁ ଢେଙ୍କାନାଳ ସାଇବର ଓ ଗୁଜୁରାଟ ସାଇବର ଟିମ ଏବଂ କ୍ରାଇମ ବ୍ରାଞ୍ଚର ମିଳିତ ସହଯୋଗରେ ଗିରଫ କରାଯାଇଛି । ରଶ୍ମୀର ଘର କାମାକ୍ଷାନଗର ଥାନା ଜିରିଡାମାଳି ଗାଁରେ ହୋଇଥିବା ବେଳେ ନୂଆ ଆଳତୁମା ଗାଁର ଅଭିଯୁକ୍ତ ଅନୀଲ କୁମାର ପୀ ଏବଂ ରାଇବୋଲ ଗାଁର ଅଭିଯୁକ୍ତ ଶ୍ରୀକାନ୍ତ ସାହୁକୁ ଗିରଫ କରିଛି ପୋଲିସ । ମୋଟ ସାତ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୪ ସହଯୋଗୀକୁ ଗିରଫ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ପୋଲିସ ।

Leave A Reply

Your email address will not be published.