Latest Odisha News

ଟୋକିଓ ଅଲିମ୍ପିକ୍ସରେ କିଟ୍‍ରୁ ୩ ଖେଳାଳି

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ କିଟ୍‍ରୁ ୩ ଖେଳାଳି । ଚଳିତବର୍ଷ ଟୋକିଓ ଅଲିମ୍ପିକ୍‍ସରେ କିଟ୍‍ ବିଶ୍ୱବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀ ଓ ଜଣେ ଡାକ୍ତରଙ୍କୁ ମିଶାଇ ମୋଟ ୪ଜଣ ପ୍ରତିନିଧି ଏହି ସୁଯୋଗ ପାଇଛନ୍ତି। ସମଗ୍ର ଭାରତରେ କିଟ୍‍ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏହି ସୌଭାଗ୍ୟର ଅଧିକାରୀ ହୋଇପାରିଛି। ଗୋଟିଏ ବିଶ୍ୱବିଦ୍ୟାଳୟରୁ ୩ଜଣ ଖେଳାଳି ଅଲିମ୍ପିକ୍‍ସରେ ଅଂଶଗ୍ରହଣ କରିବା ରାଜ୍ୟ ତଥା ଦେଶ ପାଇଁ ଗୌରବର ବିଷୟ । କିସ୍‍ ମାଧ୍ୟମରେ ହଜାର ହଜାର କ୍ରୀଡ଼ାବିତ୍‍ଙ୍କୁ ସୁଯୋଗ ଦିଆଯାଇଥିବା ବେଳେ କିଟ୍‍ ବିଶ୍ୱବିଦ୍ୟାଳୟ ଜରିଆରେ ମଧ୍ୟ ବହୁ ଛାତ୍ରଛାତ୍ରୀ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଖେଳାଳି ଭାବେ ସୁଯୋଗ ପାଇଛନ୍ତି।ନିକଟରେ ଟୋକିଓରେ ଅନୁଷ୍ଠିତ ହେବାକୁ ଯାଉଥିବା ଅଲିମ୍ପିକ୍‍ସରେ ଭାରତ ତଥା ଓଡ଼ିଶାର ଗର୍ବ ଓ ଗୌରବ କିଟ୍‍ ଛାତ୍ରୀ ଦୂତୀ ଚାନ୍ଦ ଦ୍ୱିତୀୟ ଥର ପାଇଁ ଦୁଇଟି ଇଭେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି। ଏକମାତ୍ର ଭାରତୀୟ ଭାବେ ଦୂତୀ ଚାନ୍ଦ ଦ୍ୱିତୀୟ ଥର ଅଲିମ୍ପିକ୍‍ସରେ ୧୦୦ ଓ ୨୦୦ ମିଟର ଦୌଡ଼ ଭଳି ଦୁଇଟି ଇଭେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛନ୍ତି। ଦୂତୀଙ୍କ ବ୍ୟତୀତ କିଟ୍‍ ବିଶ୍ୱବିଦ୍ୟାଳୟର ଆଉ ଦୁଇ ଛାତ୍ରଛାତ୍ରୀ ମଧ୍ୟ ଟୋକିଓ ଅଲିମ୍ପିକ୍‍ସ ପାଇଁ ମନୋନୀତ ହୋଇଛନ୍ତି ।

ସେମାନେ ହେଲେ ସିଏ ଭବାନୀ ଦେବୀ ଏବଂ ଖେଳାଳି ଶିବପାଲ୍‍ ସିଂହ। ସିଏ ଭବାନୀ ଦେବୀ ଏବେ କିଟରେ ପିଏଚ୍‍ଡି କରୁଛନ୍ତି। ଭବାନୀ ଦେବୀ ଏକମାତ୍ର ଓ ପ୍ରଥମ ଭାରତୀୟ ଅସି ଚାଳିକା ଭାବେ ଅଲିମ୍ପିକ୍‍ସରେ ଅଂଶଗ୍ରହଣ କରୁଛନ୍ତି। ଗତ ମାର୍ଚ୍ଚ ମାସରେ ହଙ୍ଗେରୀରେ ଅନୁଷ୍ଠିତ ବିଶ୍ୱକପରେ ଉତ୍ତମ ପ୍ରଦର୍ଶନ ସହ ଟୋକିଓ ଅଲିମ୍ପିକ୍‍ସ ପାଇଁ ଯୋଗ୍ୟତା ହାସଲ୍‍ କରିଛନ୍ତି। ତାଙ୍କର ବିଶ୍ୱ ର‌୍ୟାଙ୍କ ୪୨ ରହିଥିବା ବେଳେ ୨୦୧୮ରେ ଅଷ୍ଟ୍ରିଆରେ ଅନୁଷ୍ଠିତ ବରିଷ୍ଠ ରାଜ୍ୟଗୋଷ୍ଠୀ ଅସିଚାଳନା ଚାମ୍ପିଅନ୍‍ସିପରେ ସ୍ୱର୍ଣ୍ଣପଦକ ହାସଲ କରିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଛନ୍ତି।

କିଟ୍‍ ବିବିଏ ଛାତ୍ର ଶିବପାଲ୍‍ ସିଂହ ମାର୍ଚ୍ଚ ମାସରେ ଦକ୍ଷିଣ ଆଫ୍ରିକାର ଏସିଏନ୍‍ଡବ୍ଲ୍ୟୁ ମିଟ୍‍ରେ ୮୫.୪୭ ମିଟର ଜାଭେଲିନ୍‍ ଥ୍ରୋ କରି ସ୍ୱର୍ଣ୍ଣ ପଦକ ସହ ଅଲିମ୍ପିକସପାଇଁ ଯୋଗ୍ୟତା ହାସଲ୍‍ କରିଛନ୍ତି। ଭାରତର ଅନ୍ୟତମ କ୍ରୀଡ଼ାବିତ୍‍ ନିରଜ ଚୋପ୍ରାଙ୍କ ସହ ଶିବପାଲ୍‍ ଜାଭେଲିନ୍‍ ଥ୍ରୋରେ ଭାରତର ପ୍ରତିନିଧିତ୍ୱ କରିବେ। ସେହିପରି ଭାରତୀୟ ପୁରୁଷ ହକି ଦଳରେ ଡାକ୍ତର ଭାବେ କିମ୍‍ସର ଡାକ୍ତର ସୁଦୀପ ଶତପଥୀ ମନୋନୀତ ହୋଇ ଜାପାନ ଗସ୍ତ କରୁଛନ୍ତି।

ଡା. ଶତପଥୀ ପୂର୍ବରୁ ୨୦୧୬ରେ ରିଓ ଅଲିମ୍ପିକ୍‍ସରେ ସ୍ପୋର୍ଟସ ମେଡିସିନ୍‍ ଡାକ୍ତର ଭାବେ ଯୋଗ ଦେଇଥିବା ବେଳେ କ୍ଲିନିକାଲ୍‍ ଫିଜିଓଲୋଜିଷ୍ଟ ତଥା ସ୍ପୋର୍ଟସ ଆଣ୍ଡ ଏକ୍‍ସରସାଇଜ୍‍ ଫିଜିଓଲୋଜି ବିଶେଷଜ୍ଞ ଭାବେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି।
ରବିବାର ଏହି ଖେଳାଳିଙ୍କ ପାଇଁ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ କିଟ୍‍ ଓ କିସ୍‍ର ସମସ୍ତ କର୍ମଚାରୀ ଓ ଲକ୍ଷାଧିକ କ୍ରୀଡ଼ାପ୍ରେମୀ ଭର୍ଚୁଆଲରେ ଯୋଡ଼ି ହୋଇଥିଲେ।।।

Leave A Reply

Your email address will not be published.