Latest Odisha News

BREAKING NEWS

ଆଲାସ୍କାରେ ଟ୍ରମ୍ପ-ପୁଟିନଙ୍କ ତିନି ଘଣ୍ଟା ବୈଠକ, ଯୁକ୍ରେନ ଯୁଦ୍ଧବିରତି ନେଇ ହେଲାନି ଚୁକ୍ତି

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଲାସ୍କାରେ ତିନି ଘଣ୍ଟାରୁ ଅଧିକ ସମୟ ଧରି ବନ୍ଦ କୋଠରୀରେ ବୈଠକ କରିଛନ୍ତି। ଯୁକ୍ରେନ ଯୁଦ୍ଧ ବନ୍ଦ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। କିନ୍ତୁ ଯୁଦ୍ଧବିରତି ପାଇଁ କୌଣସି ଚୁକ୍ତି ହୋଇପାରିନଥିଲା।

ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ଆଲୋଚନା ପରେ ମସ୍କୋରେ ପରବର୍ତୀ ବୈଠକ ହେବ। ତେବେ ଏହାର ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଏହା ପୂର୍ବରୁ ଯୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଥିଲେ, ଯୁକ୍ରେନ ବିନା ଯୁକ୍ରେନ ବିଷୟରେ କୌଣସି ନିଷ୍ପତ୍ତି ହୋଇପାରିବ ନାହିଁ। ଟ୍ରମ୍ପ କହିଛନ୍ତି, ପରବର୍ତୀ ଆଲୋଚନାରେ ଜେଲେନସ୍କି ସାମିଲ ହୋଇପାରନ୍ତି।

ବୈଠକ ପରେ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ବୈଠକଟି ଖୁବ୍ ସକାରାତ୍ମକ ଥିଲା। ଅନେକ ବିଷୟରେ ଆମେ ସହମତ ହେଲୁ। କିନ୍ତୁ କୌଣସି ଚୁକ୍ତି ହୋଇନାହିଁ। ଚୁକ୍ତି କେବଳ ଅନ୍ତିମ ରୂପ ନେଲେ ହିଁ ହେବ।

ଏହି ବୈଠକ ପାଇଁ ଆଲାସ୍କାର ଏଲମେଣ୍ଡର୍ଫ ଏୟାର ବେସରେ ବିଶେଷ ବ୍ୟବସ୍ଥା କରାଯାଇଥିଲା। ପୁଟିନଙ୍କୁ ରେଡ କାର୍ପେଟରେ ସ୍ୱାଗତ କରାଯାଇଥିଲା। ତିନି ଘଣ୍ଟା ଧରି ଚାଲିଥିବା ବୈଠକରେ କେଉଁ ବିଷୟରେ ଆଲୋଚନା ହେଲା, ତାହାର ସଠିକ ତଥ୍ୟ ମିଳିନାହିଁ। କାରଣ ଉଭୟ ନେତା ବୈଠକ ପରେ ମାତ୍ର ୧୨ ମିନିଟର ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେମାନେ ଅନେକ ପ୍ରଶ୍ନର ଉତ୍ତର ଦେଇନଥିଲେ। ଟ୍ରମ୍ପ କହିଥିଲେ, ବୈଠକ ସକାରାତ୍ମକ ଥିଲା। କିନ୍ତୁ କୌଣସି ଚୁକ୍ତି ଚୂଡାନ୍ତ ହୋଇନାହିଁ। ପୁଟିନ କହିଥିଲେ, ଯୁଦ୍ଧ ବନ୍ଦ କରିବା ପାଇଁ ଏହାର ମୂଳ କାରଣ ଦୂର କରିବା ଜରୁରୀ। ସେ ଆହୁରି କହିଥିଲେ, ଯଦି ଟ୍ରମ୍ପ ତାଙ୍କ ସମୟରେ ରାଷ୍ଟ୍ରପତି ଥାଇଥାନ୍ତେ, ଏହି ଯୁଦ୍ଧ ହୁଏତ ଆରମ୍ଭ ହିଁ ହୋଇନଥାନ୍ତା।

ପୁଟିନ କହିଥିଲେ, ଚୁକ୍ତି ନେଇ ଆଲୋଚନାରେ କୌଣସି ୟୁରୋପୀୟ ନେତାଙ୍କୁ ହସ୍ତକ୍ଷେପ କରିବା ଉଚିତ ନୁହେଁ। ସେ ଆଶା କରୁଛନ୍ତି ଯୁକ୍ରେନ ଓ ୟୁରୋପୀୟ ଦେଶମାନେ ଏହା ବୁଝିବେ ଓ କୌଣସି ବାଧା ସୃଷ୍ଟି କରିବେ ନାହିଁ। ଏହି ବୈଠକ ପୂର୍ବରୁ ଅନୁମାନ କରାଯାଉଥିଲା ଯେ ପ୍ରଥମ ବୈଠକରେ ଯୁଦ୍ଧବିରତି ନେଇ ଚୁକ୍ତି ହେବ ନାହିଁ। ଟ୍ରମ୍ପ ପୂର୍ବରୁ କହିଥିଲେ ଯେ ସେ ଶୀଘ୍ର ପୁଟିନ ଓ ଜେଲେନସ୍କିଙ୍କ ସହ ଆଉ ଏକ ବୈଠକ କରିବେ। ଏହି ବୈଠକ ପରେ ପୁଟିନ ଟ୍ରମ୍ପଙ୍କୁ ମସ୍କୋ ଆସିବାକୁ ପ୍ରସ୍ତାବ ଦେଇଛନ୍ତି। ଟ୍ରମ୍ପ ଏହାକୁ ନା ମନା କରିଛନ୍ତି ନ ସ୍ୱୀକାର କରିଛନ୍ତି। ତେଣୁ ପରବର୍ତୀ ବୈଠକ ମସ୍କୋରେ ହେବ ବୋଲି ଅନୁମାନ କରାଯାଉଛି।

Comments are closed.