Latest Odisha News

BREAKING NEWS

ଟିକେଟ୍ ଦେଲେ…ଫେରାଇ ନେଲେ

ଭୁବନେଶ୍ବର : ଆଗ ଟିକେଟ୍ ଦେଲେ, ପରେ କାଟିଦେଲେ । ପ୍ରଚାର ମଇଦାନରେ ବୁଲି ଭାଣ୍ଡିଆ ହେଲେ ପ୍ରାର୍ଥୀ । ଚବିଶ ନିର୍ବାଚନରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଏଭଳି ପ୍ରାର୍ଥୀ ଦ୍ବନ୍ଦ୍ବ। ବିଶେଷ କରି କଂଗ୍ରେସରେ ତ ଟିକେଟ୍ ବଦଳ ଯେମିତି ନିତିଦିନିଆ କଥା ହୋଇଛି। କେଉଁଠି ସାଂସଦ ପ୍ରାର୍ଥୀ ବଦଳିଛନ୍ତି ତ କେଉଁଠି ବିଧାୟକ ପ୍ରାର୍ଥୀ। ଟିକେଟ୍ ବଦଳକୁ ନେଇ ଚରମରେ ପହଞ୍ଚିଛି ଅସନ୍ତୋଷ । କିଛି ସ୍ଥାନରେ ହାତକୁ ବାଏ ବାଏ କରିଛନ୍ତି ନେତା ।

 

ପ୍ରବୋଧ, ଶ୍ରୀଧରଙ୍କୁ କଂଗ୍ରେସ ଝଟକା

ପ୍ରଚାର ମଇଦାନରେ ଥିଲେ ହକି ତାରକା ପ୍ରବୋଧ ତିର୍କୀ। ହଠାତ୍ ଟିକେଟ୍ କାଟିଦେଲା କଂଗ୍ରେସ । ତଳସରା ସିଟ ପାଇଁ ପ୍ରବୋଧଙ୍କୁ ପ୍ରଥମେ ପ୍ରାର୍ଥୀ କରିଥିଲା କଂଗ୍ରେସ । ହେଲେ ତାଙ୍କ ଜାଗାରେ ଦେବେନ୍ଦ୍ର ଭିତିରିଆଙ୍କୁ ଟିକେଟ୍ ଦେଲା ଦଳ । ଅପମାନ, କ୍ଷୋଭରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି ପ୍ରବୋଧ । ଗତବର୍ଷ ସେପ୍ଟେମ୍ବର ମାସରେ ଚାକିରି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ ପ୍ରବୋଧ ତିର୍କୀ । ଠିକ୍ ସେହିଭଳି ନାମାଙ୍କନ ଦାଖଲର ଶେଷ ତାରିଖ ପୂର୍ବରୁ ପ୍ରାର୍ଥୀ ବଦଳାଇଛି କଂଗ୍ରେସ । ଦିଗପହଣ୍ଡିରେ ଶ୍ରୀଧର ଦେବଙ୍କ ଟିକେଟ୍ କାଟି ସାକା ସୁଜିତ କୁମାରଙ୍କୁ ଟିକେଟ ଦେଇଛି ଦଳ। ଗତ ୨୫ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଥିଲା, ତେବେ ୨୪ରେ ପ୍ରାର୍ଥୀ ବଦଳାଇଥିଲା କଂଗ୍ରେସ ।

 

ଟିକେଟ୍ କଟିଲା ଦଳ ଛାଡିଲେ

କଂଗ୍ରେସ ଟିକେଟ୍ ଫେରାଇ ନେବା ପରେ ଦଳ ଛାଡିଛନ୍ତି ଦୁଲାଲ ଚନ୍ଦ୍ର ପ୍ରଧାନ । ସମ୍ବଲପୁର ଲୋକସଭା ଆସନ ପାଇଁ ଦୁଲାଲ ପ୍ରାର୍ଥୀ ହୋଇଥିଲେ । ତେବେ ତାଙ୍କ ଟିକେଟ୍ କାଟି ବିଜେଡିରୁ ଆସି କଂଗ୍ରେସରେ ମିଶିଥିବା ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି । ପୂର୍ବରୁ ବିଜେଡିରେ ଥିବା ନଗେନ୍ଦ୍ର ପ୍ରଧାନ ଟିକେଟ୍ ନପାଇ ଦଳ ଛାଡିଥିଲେ । ତେବେ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିବା ପରେ ଅସନ୍ତୋଷ ପ୍ରକାଶ କରି ହାତ ଛାଡିଛନ୍ତି ଦୁଲାଲ ପ୍ରଧାନ । ସେହିପରି କ୍ଷୋଭ ପ୍ରକାର କରି କଂଗ୍ରେସକୁ ବାଏ ବାଏ କରିଛନ୍ତି ମୋହନ ହେମ୍ବ୍ରମ । କେନ୍ଦୁଝର ଲୋକସଭା ପାଇଁ ଦଳ ତାଙ୍କୁ ପ୍ରଥମେ ଟିକେଟ୍ ଦେଇ ପରେ କାଟି ଦେଇଥିଲା । ଏବେ ସେଠାରୁ ବିନୋଦ ବିହାରୀ ନାୟକଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଟିକେଟ୍ କଟିବା ପରେ ଖୋଲାଖୋଲି ଟଙ୍କା ଫେରାଇବାକୁ ଦାବି କରିଛନ୍ତି ମୋହନ ।

 

ବଦଳିଲା ଟିକେଟ୍ ବଢିଲା ଟେନସନ୍

କଂଗ୍ରେସ ବିଧାନସଭାରେ ବିଭିନ୍ନ ଜାଗାରେ ଟିକେଟ୍ ବଦଳ କରିଛି । ବାରିପଦା ଓ ଖଣ୍ଡପଡାରେ ପ୍ରାର୍ଥୀ ବଦଳାଇଛି ଦଳ । ବାରିପଦାରେ ବାଦଲ ହେମ୍ବ୍ରମଙ୍କ ଜାଗାରେ ପ୍ରମୋଦ ହେମ୍ବ୍ରମ ଓ ଖଣ୍ଡପଡାରେ ମନୋଜ କୁମାର ପ୍ରଧାନଙ୍କ ଜାଗାରେ ବୈଜୟନ୍ତୀମାଳା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ପୂର୍ବରୁ ବାଲିଗୁଡାରେ ସୁରଦ ପ୍ରଧାନଙ୍କ ବଦଳରେ ଉପେନ୍ଦ୍ର ପ୍ରଧାନ, କବିସୂର୍ଯ୍ୟନଗରରେ ଚିରଞ୍ଜୀବୀ ବିଶୋଇଙ୍କ ଜାଗାରେ ବିପିନ ବିହାରୀ ସ୍ବାଇଁ ଓ ପରେ ସଞ୍ଜୟ ମଣ୍ଡଳଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି ।

 

ରଣପୁରରେ ସୁରମା ରିଟର୍ଣ୍ଣସ୍

ରଣପୁରରେ ବିଜେପି ପ୍ରଥମେ ତାପସ ମାର୍ଥାଙ୍କୁ ପ୍ରାର୍ଥୀ କରିଥିଲା । ପ୍ରଚାର ମଇଦାନରେ ଆକ୍ଟିଭ୍ ହେବା ପରେ ତାପସଙ୍କ ଟିକେଟ୍ କାଟି ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କୁ ପ୍ରାର୍ଥୀ କରିଛି । ସେହିପରି ପଟାଙ୍ଗୀରେ ବିଜେପି ପ୍ରଥମେ ଚୈତନ୍ୟ ହନ୍ତାଳଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ତେବେ ତାଙ୍କ ଜାତିଗତ ପ୍ରମାଣପତ୍ରକୁ ନେଇ ଆଦିବାସୀ ମଞ୍ଚ ପକ୍ଷରୁ ବିରୋଧ ପରେ ବିଜେପି ପ୍ରାର୍ଥୀ ବଦଳାଇ ଚୈତନ୍ୟ ନନ୍ଦିବାଲିଙ୍କୁ ଟିକେଟ୍ ଦେଇଛି।

 

ସମ୍ବଲପୁର ରେଢାଖୋଲ ପ୍ରାର୍ଥୀ ବଦଳ

ବିଜେଡିରେ ଟିକେଟ ଫେରସ୍ତ ହୋଇନଥିଲେ ବି ସମ୍ବଲପୁର ଓ ରେଢାଖୋଲରେ ପ୍ରାର୍ଥୀ ଅଦଳବଦଳ ହୋଇଛି । ପ୍ରଥମେ ସମ୍ବଲପୁର ବିଧାନସଭା ପାଇଁ ଭେଟେରାନ୍ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେଡି । ତେବେ ସମ୍ବଲପୁରରେ ଲଢିବା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ପ୍ରସନ୍ନ । ପରେ ତାଙ୍କୁ ରେଢାଖୋଲ ଟିକେଟ୍ ଦେବା ସହ ରେଢାଖୋଲ ପାଇଁ ପୂର୍ବରୁ ଘୋଷଣା ହୋଇଥିବା ରୋହିତ ପୂଜାରୀଙ୍କୁ ସମ୍ବଲପୁର ଟିକେଟ୍ ଦିଆଯାଇଥିଲା ।

 

ଦଳ ଟିକେଟ୍ ଦେଲା ପୁଣି ଫେରାଇନେଲା । ଚବିଶ ନିର୍ବାଚନରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ନେତା ଦ୍ବନ୍ଦ୍ବ । ଅଧିକ ଯୋଗ୍ୟ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇ ନିର୍ବାଚନ ବୈତରଣୀ ପାର କରିବାକୁ ଚାହୁଁଥିବା ଦଳଙ୍କ ପାଇଁ ବିଦ୍ରୋହୀ ଏବେ ମୁଣ୍ଡବିନ୍ଧାର କାରଣ ।

Leave A Reply

Your email address will not be published.