ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଆଇପିଏଲ ୨୦୨୬ ଟାଇଟଲ ହାସଲ କରିଛି । ଦଳକୁ ଚାମ୍ପିୟନ କରାଇବାରେ ଟିମ ଡେଭିଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତେବେ ଫାଇନାଲ ମ୍ୟାଚରେ ଡେଭିଡ ବିଶୃଙ୍ଖଳିତ ଆଚରଣ କରିବା ଯୋଗୁ ବିସିସିଆଇ ଦ୍ୱାରା ବାସନ୍ଦ ହୋଇଛନ୍ତି । ବେଙ୍ଗାଲୁର ଟିମ ଫିଲ୍ଡିଂ କରୁଥିବା ବେଳେ ଡେଭିଡ ଫିଲ୍ଡ ଅମ୍ପାୟର ନୀତିନ ମେନନଙ୍କ ନିକଟକୁ ଆଇସ ବ୍ୟାଗ ଫିଙ୍ଗିଥିଲେ । ଏହା ବିସିସିଆଇ କୋଡ ଅଫ କଣ୍ଡକ୍ଟ ୨.୯ର ଉଲ୍ଲଂଘନ ଥିଲା । ଡେଭିଡଙ୍କୁ ଗୋଟିଏ ମ୍ୟାଚରୁ ବାସନ୍ଦ କରାଯାଇଛି । ଏଥିସହ ୫୦ ପ୍ରତିଶତ ମ୍ୟାଚ ଫି କଟାଯିବା ସହ ୨ଡିମେରିଟ ପଂଏଟ ଦିଆଯାଇଛି ।
ଡେଭିଡ ମ୍ୟାଚ ରେଫରୀଙ୍କ ନିକଟରେ ନିଜ ଦୋଷ ସ୍ୱୀକାର କରିବା ସହ ଏହାର ପୂନରାବୃତି କରିବେ ନାହିଁ ବୋଲି କହିଛନ୍ତି । ଆଇପିଏଲ ୨୦୨୬ ଶେଷ ହୋଇ ଯାଇଥିବାରୁ ଡେଭିଡ ପରବର୍ତୀ ସଂସ୍କରଣରେ ଯେଉଁ ଟିମ ପକ୍ଷରୁ ଖେଳିବେ ସେ ସମୟରେ ଏହି ଦଣ୍ଡାଦେଶ ଲାଗୁ କରାଯିବ । ଆଇପିଏଲ ୨୦୨୪ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସର ହାର୍ଦ୍ଦିକ ପାଣ୍ଡ୍ୟା ଏ ଭଳି କାଣ୍ଡ ରଚିଥିବାରୁ ୨୦୨୫ରେ ମୁମ୍ବାଇ ପକ୍ଷରୁ ପ୍ରଥମ ମ୍ୟାଚ ଖେଳି ନ ଥିଲେ ।