କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଝଡ଼ ସୃଷ୍ଟି ହୋଇଛି। ଗୋଟିଏ ପଟେ ବେଆଇନ ନିର୍ମାଣକୁ ନେଇ କୋଲକାତା ମହାନଗର ନିଗମର ବୁଲଡୋଜର ନୋଟିସ୍, ଆଉ ଅନ୍ୟପଟେ ବିଜେପି ପକ୍ଷରୁ ଜାରି ହୋଇଥିବା ଏକ ଲମ୍ବା ସମ୍ପତ୍ତି ତାଲିକା। ଏସବୁକୁ ନେଇ ଏବେ ଟିଏମସିର ସେକେଣ୍ଡ-ଇନ୍-କମାଣ୍ଡ ତଥା ସାଂସଦ ଅଭିଷେକ ବାନାର୍ଜୀ ଚାପର ସମ୍ମୁଖୀନ ହୋଇଛନ୍ତି।
ବିଜେପି ଏକ ସାଂଘାତିକ ତାଲିକା ଜାରି କରି ଦାବି କରିଛି ଯେ, କୋଲକାତାର ବିଭିନ୍ନ ଅଞ୍ଚଳରେ ଅଭିଷେକ ବାନାର୍ଜୀଙ୍କର ୪୩ଟି ସମ୍ପତ୍ତି ରହିଛି। ଅଭିଯୋଗ ଅନୁଯାୟୀ, ଏହିସବୁ ସମ୍ପତ୍ତି ଅଭିଷେକ ନିଜ ସହଯୋଗୀ ଓ ପରିବାର ସଦସ୍ୟଙ୍କ ସହ ମିଳିତ ମାଲିକାନାରେ ରଖିଛନ୍ତି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ରାଜ୍ୟ ବିଜେପି ସରକାର ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଯାଉଛି। ଏହି ସମ୍ପତ୍ତିର ପ୍ରକୃତ ମାଲିକ କିଏ ଏବଂ ଏହାକୁ କିଣିବା ପାଇଁ ଏତେ ଟଙ୍କା କେଉଁଠୁ ଆସିଲା, ଖୁବଶୀଘ୍ର ତାର ଖୋଳତାଡ଼ କରାଯିବ ବୋଲି ସୂଚନା ମିଳିଛି।
ବିଜେପି ଜାରି କରିଥିବା ତାଲିକାରେ ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଥିଲା ସେଭେନ୍ ଟ୍ୟାଙ୍କସ୍ ଲେନ୍ରେ ଥିବା ଏକ ସମ୍ପତ୍ତି। ଏଥିରେ ‘ସାୟନୀ ଘୋଷ’ ନାମକ ଜଣେ ମହିଳାଙ୍କ ନାଁ ଯୁଗ୍ମ ମାଲିକାନାରେ ରହିଛି। ସୋସିଆଲ ମିଡିଆରେ ଏହାକୁ ସିଧାସଳଖ ଯାଦବପୁରର ଟିଏମସି ସାଂସଦ ସାୟନୀ ଘୋଷଙ୍କ ସମ୍ପତ୍ତି ବୋଲି ପ୍ରଚାର କରାଗଲା। କିନ୍ତୁ ବିବାଦ ଉଗ୍ର ରୂପ ନେବା ପୂର୍ବରୁ ସାଂସଦ ସାୟନୀ ଘୋଷ ନିଜ ଆଡ଼ୁ ସ୍ପଷ୍ଟୀକରଣ ରଖିଛନ୍ତି। ସେ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ, “ମୁଁ ଜାଣିନି ସେହି ବ୍ୟକ୍ତି ଜଣକ କିଏ। କିନ୍ତୁ ସେ ନିଶ୍ଚିତ ଭାବେ ମୁଁ ନୁହେଁ। ମୁଁ ଏକ ସାଧାରଣ ପରିବାରରୁ ଆସିଛି ଏବଂ ଆଜି ପର୍ଯ୍ୟନ୍ତ ରାଜନୀତିରୁ କେବେହେଲେ କୌଣସି ଅଯଥା ଆର୍ଥିକ ଲାଭ ଉଠାଇ ନାହିଁ।”
ଅନ୍ୟପଟେ ତୃଣମୂଳ କଂଗ୍ରେସ ଏହି ତାଲିକାକୁ ସମ୍ପୂର୍ଣ୍ଣ ଜାଲ୍ ଏବଂ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ଆଖ୍ୟା ଦେଇଛି। ଟିଏମସିର ପୂର୍ବତନ ରାଜ୍ୟସଭା ସାଂସଦ ସାକେତ ଗୋଖଲେ ଏହାକୁ ଏକ ‘ମିଥ୍ୟାଗୁଜବ’ କହି ଉପହାସ କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି, “କୋଲକାତାରେ କ’ଣ କେବଳ ଜଣେ ହିଁ ଅଭିଷେକ ବାନାର୍ଜୀ ଅଛନ୍ତି? ୱେବସାଇଟରେ ଖାଲି ଗୋଟିଏ ନାଁ ସର୍ଚ୍ଚ କରି ଏଭଳି ଭିତ୍ତିହୀନ ତାଲିକା ପ୍ରସ୍ତୁତ କରିଦିଆଯାଇଛି।” କେବଳ ସେତିକି ନୁହେଁ, ମିଥ୍ୟା ଖବର ପ୍ରସାରଣ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।
ସୂଚନାଯୋଗ୍ୟ, ୨୦୨୪ ଲୋକସଭା ନିର୍ବାଚନ ସମୟରେ ନିର୍ବାଚନ କମିଶନଙ୍କୁ ଦେଇଥିବା ସତ୍ୟପାଠରେ ଅଭିଷେକ ନିଜର ୨.୩ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ଏବଂ ୩୬ ଲକ୍ଷ ଟଙ୍କାର ଋଣ ଥିବା ଦର୍ଶାଇଥିଲେ।
ଏହି ସମ୍ପତ୍ତି ତାଲିକା ବିବାଦର ଠିକ୍ ଦିନକ ପୂର୍ବରୁ, ଟିଏମସି ନିୟନ୍ତ୍ରଣରେ ଥିବା କୋଲକାତା ମହାନଗର ନିଗମ ପକ୍ଷରୁ ଅଭିଷେକଙ୍କ ହରିଶ ମୁଖାର୍ଜୀ ରୋଡ୍ ସ୍ଥିତ ବାସଭବନ ‘ଶାନ୍ତିନିକେତନ’ ସମେତ ୧୭ଟି ସମ୍ପତ୍ତି ଉପରେ ବେଆଇନ ନିର୍ମାଣ ଅଭିଯୋଗ ଆଣି ନୋଟିସ୍ ଲଗାଯାଇଥିଲା। ଏପରିକି ୭ ଦିନ ଭିତରେ ବେଆଇନ ନିର୍ମାଣକୁ ଭାଙ୍ଗି ଦିଆଯିବ ବୋଲି ନିର୍ଦ୍ଦେଶ ଥିଲା। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କଡ଼ା ଭାଷାରେ କହିଥିଲେ ଯେ ସମସ୍ତ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଜେଲ୍ ଯିବେ।
ଏସବୁର ଜବାବ ଦେଇ ଗଣମାଧ୍ୟମ ଆଗରେ ଗର୍ଜିଛନ୍ତି ଅଭିଷେକ ବାନାର୍ଜୀ। ସେ ରୋକ୍ଠୋକ୍ ଶୁଣାଇ ଦେଇଛନ୍ତି ଯେ, “ସେମାନେ ଯାହା ଚାହୁଁଛନ୍ତି କରନ୍ତୁ। ମୋ ଘର ଉପରେ ବୁଲଡୋଜର ଚଢ଼ାଇ ଦିଅନ୍ତୁ କିମ୍ବା ନୋଟିସ୍ ପଠାନ୍ତୁ, ମୁଁ କେବେ ମୁଣ୍ଡ ନୁଆଁଇବି ନାହିଁ। ଯାହା ବି ହେଉ ପଛେ, ବିଜେପି ବିରୋଧରେ ମୋର ଏହି ଲଢ଼େଇ ଜାରି ରହିବ।”
ପଶ୍ଚିମବଙ୍ଗରେ ଏବେ ରାଜ୍ୟ ସରକାର ଏବଂ ବିରୋଧୀ ଟିଏମସି ମଧ୍ୟରେ ରାଜନୈତିକ ଲଢ଼େଇ ଏକ ନୂଆ ଏବଂ ଆକ୍ରମଣାତ୍ମକ ମୋଡ଼ ନେଇଛି।