Latest Odisha News

ଆଜି ଉତ୍ତରରେ ନବୀନଙ୍କ ରୋଡ୍ ସୋ: ଖୋର୍ଦ୍ଧା, ନୟାଗଡ଼ ଓ ପୁରୀରେ ଜନସଭାକୁ କରିବେ ସମ୍ବୋଧନ

ଭୁବନେଶ୍ୱର: ମଧ୍ୟ ଓ ଏକାମ୍ର ପରେ ଉତ୍ତରରେ ଭୁବନେଶ୍ୱରକୁ ଫୋକସ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ସନ୍ଧ୍ୟାରେ ଏହି ନିର୍ବାଚନ ମଣ୍ଡଳୀରେ ଗଡ଼ିବ ନବୀନଙ୍କ ହାଇଟେକ୍ ବସ୍। ରେଣ୍ଟାଲ କଲୋନୀଠୁ ପଟିଆ ଛକ ଯାଏଁ ଚାଲିବ ପାୱାର ସୋ। ୮ଟି ଛକରେ ଅଟକିବେ ନବୀନ ପଟ୍ଟନାୟକ। ଜନସମାବେଶକୁ ସମ୍ବୋଧିତ କରି ଯୋଡ଼ି ଶଙ୍ଖରେ ଭୋଟ ପାଇଁ ଅପିଲ୍ କରିବେ।

ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଏବେ ବାକି ଅଛି ଆଉ ଦୁଇଟି ପର୍ଯ୍ୟାୟ। ତେବେ ଏହି ଦୁଇଟି ପର୍ଯ୍ୟାୟରେ ନିଜ ଦଳର ପ୍ରାର୍ଥୀଙ୍କୁ ବଳ ଦେବାକୁ ପ୍ରଚାରକୁ ଜୋରଦାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ ପ୍ରଥମେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ହାବେଳି ପଡ଼ିଆରେ ଅସ୍ଥାୟୀ ହେଲିପ୍ୟାଡର ବ୍ୟବସ୍ଥା ମଧ୍ୟ ହୋଇଛି ।

ଏଠାରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ନବୀନ । ଏହାପରେ ପୁଣି ହେଲିକପ୍ଟର ଯୋଗେ ନୟାଗଡ଼ ଷ୍ଟାଡିଅମରେ ପହଞ୍ଚି ସେଠାରେ ମଧ୍ୟ ପ୍ରଚାର କରିବେ । ଶେଷରେ ପୁରୀ ତାଳବଣିଆରେ ନିର୍ବାଚନୀ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଆଜି ସନ୍ଧ୍ୟାରେ ହେବାକୁ ଥିବା ରୋଡ ସୋ ପାଇଁ କମିଶନରେଟ ପୋଲିସ ଟ୍ରାଫିକ କଟକଣାକୁ ଜୋରଦାର କରିଛି।

Comments are closed.