ଭୁବନେଶ୍ବର: ଆଜି ପବିତ୍ର ଶ୍ରୀପଞ୍ଚମୀ ବା ବସନ୍ତପଞ୍ଚମୀ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା’ ସରସ୍ବତୀ । ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଋତୁରାଜ ବସନ୍ତ ମନ୍ଦ ମଳୟରେ ଫୁଲର ସୁରଭି ଭରି ସ୍ୱାଗତ କରେ ବିଦ୍ୟାଦାୟିନୀ ମା’ ସରସ୍ୱତୀଙ୍କୁ । ତେଣୁ ଏହି ଦିନ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀଙ୍କୁ ପୂଜା କରାଯାଇଥାଏ । ବିଦ୍ୟାଦାୟିନୀଙ୍କୁ ଏଇ ଦିନ ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ମାନେ ଭକ୍ତିର ସହ ପୂଜା କରୁଛନ୍ତି । ସରସ୍ବତୀ ପୂଜା ଲାଗି ଉତ୍ସବମୁଖର ଗାଁରୁ ସହର ।
ମା ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ୱେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି । ମା ସରସ୍ୱତୀ ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରିଥାନ୍ତି ।
ହିନ୍ଦୁଧର୍ମରେ ସରସ୍ଵତୀଙ୍କୁ ଜ୍ଞାନର ଦେବୀ ବୋଲି ଅଭିହିତ କରାଯାଏ । ସେ ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଉତ୍ସ ବା ପ୍ରକାଶରୂପ । ସେ ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ । ସେ ହେଉଛନ୍ତି ବାକ୍ୟର ଦେବୀ ବାଗ୍ଦେବୀ, ବାଣୀ, ଶାରଦା । ମା’ ସରସ୍ବତୀ, ମା’ ଲକ୍ଷ୍ମୀ ଓ ମା’ କାଳୀ ତିନୋଟି ସ୍ବରୂପ ଆଦ୍ୟାଶକ୍ତିଙ୍କର ।
ଅନ୍ୟପଟେ ଆଜି ଶ୍ରୀମନ୍ଦିରରେ ସରସ୍ୱତୀ ପୂଜା ଅନୁଷ୍ଠିତ ହେବ । ଏହାସହ ଆଜି ୩ ରଥର ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା କରାଯିବ ।
Comments are closed.