Latest Odisha News

BREAKING NEWS

ଜାତୀୟ ପ୍ରେସ ଦିବସ: ମୁକ୍ତ ଗଣମାଧ୍ୟମ ସୁସ୍ଥ ଗଣତନ୍ତ୍ରର ଏକ ଅବିଚ୍ଛେଦ୍ୟ ଅଙ୍ଗ

ଭୁବନେଶ୍ଵର: ଆଜି ଜାତୀୟ ପ୍ରେସ ଦିବସ । ସାମ୍ବାଦିକମାନେ ହେଲେ ସମାଜର ଜାଗ୍ରତ ପ୍ରହରୀ | ଯଦି ଜାଗ୍ରତ ପ୍ରହରୀ ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହୁଏ ତେବେ ସମାଜ ଆଗକୁ ବଢିପାରେ ନାହିଁ। ନିରପକ୍ଷ  ଓ ନିର୍ଭୀକ ସମ୍ବାଦ ପରିବେଷଣ ସବୁ ସାମ୍ବାଦିକଙ୍କ ଆଭିମୁଖ୍ଯ ହେବା ଉଚିତ୍ । ମୁକ୍ତ ଗଣମାଧ୍ୟମ ସୁସ୍ଥ ଗଣତନ୍ତ୍ରର ଏକ ଅବିଚ୍ଛେଦ୍ୟ ଅଙ୍ଗ। ୧୯୬୬ ମସିହା ନଭେମ୍ବର ୧୬ରେ କେନ୍ଦ୍ର ସରକାର ‘ପ୍ରେସ୍ କାଉନ୍‌ସିଲ ଅଫ୍ ଇଣ୍ଡିଆ ପ୍ରତିଷ୍ଠା କରିଥିଲେ । ଏଥିପାଇଁ ପ୍ରତିବର୍ଷ ନଭେମ୍ବର ୧୬କୁ ‘ଜାତୀୟ ପ୍ରେସ୍ ଦିବସ’ ଭାବେ ପାଳନ କରାଯାଉଛି ।

‘ପ୍ରେସ୍ କାଉନ୍‌ସିଲ୍‌ ‘ ହେଉଛି ସମ୍ବାଦପତ୍ରର ନୈତିକ ପ୍ରହରୀ । ଯଦି କୌଣସି ବ୍ୟକ୍ତିଙ୍କୁ ଖବରକୁ ନେଇ ଆପତ୍ତି ଥାଏ ତେବେ ସେ ପ୍ରେସ୍ କାଉନ୍‌ସିଲ୍‌ ନିକଟରେ ଅଭିଯୋଗ କରି ପାରିବେ । ଅପରପକ୍ଷେ ଯେକୌଣସି ସମ୍ବାଦପତ୍ର ମଧ୍ୟ ସରକାର ବା ଅନ୍ୟ କାହାର ଅବାଞ୍ଛିତ ହସ୍ତକ୍ଷେପ ବଳପ୍ରୟୋଗ ଓ କଟକଣା ଆଦି ବିରୋଧରେ ଅଭିଯୋଗ କରିପାରିବେ । ୧୯୫୬ ମସିହାରେ ସରକାର ପ୍ରଥମ ଥର ପାଇଁ ପ୍ରେସ୍ କମିସନ୍ ବସାଇଥିଲେ ଓ ପ୍ରେସ୍ କାଉନ୍‌ସିଲ୍ କରିବା ପାଇଁ ସୁପାରିଶ୍ କରିଥିଲେ, ଯାହା ଗଠନ ହେବା ପାଇଁ ଏକ ଦଶନ୍ଧି ଲାଗିଥିଲା । ଗଣମାଧ୍ୟମ ଓ ସାମ୍ବାଦିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ଦୂରୁପଯୋଗକୁ ନିୟନ୍ତ୍ରଣ କରିବା ଦିଗରେ ଗୁରୁଦାୟିତ୍ବ ବହନ କରିଥାଏ ଏହି କାଉନସିଲ । କାଉନସିଲ ଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଗଣମାଧ୍ୟମକୁ ସୁରକ୍ଷା ଦେବା ଓ ଖବରର ମାନକୁ କ୍ଷୁର୍ଣ୍ଣ ନ ହେବାକୁ ଦେବା ।

ଏହି ଶକ୍ତିଶାଳୀ ମାଧ୍ୟମର ମାନ ବଜାଇ ରଖିବା  ଏବଂ କୌଣସି ବାହ୍ୟ ପ୍ରଭାବ ଓ  ଧମକରେ ମୁଣ୍ଡନୁଆଁଇିବା ପରିବର୍ତ୍ତେ ଜନହିତରେ କାର୍ଯ୍ୟକରିବାର ସ୍ୱାଧୀନତା ପ୍ରେସକୁ ମିଳିଛି । ପ୍ରେସ ଏହି ଦାୟିତ୍ୱକୁ ସୁଚାର ରୂପେ ପାଳନ କରୁଛି  କି ନାହିଁ , ତାର ତଦାରଖ ଦାୟିତ୍ୱ ଭାରତୀୟ ପ୍ରେସ ପରିଷଦର । ବିଶ୍ୱରେ ଅନେକ ପ୍ରେସ ବା ମିଡିଆ କାର୍ଯ୍ୟକରୁଥିଲେ ହେଁ ଭାତତୀୟ ପ୍ରେସ ପରିଷଦ ଅନ୍ୟନ ଏବଂ ଏକମାତ୍ର ସଂସ୍ଥା, ଯାହା ପ୍ରେସର ସ୍ୱାଧୀନତା ବଜାୟ ରଖିବା ଦିଗରେ ବଦ୍ଧପରିକର ।

ସମ୍ପ୍ରତି ପ୍ରେସ୍‌ ଉପରେ ଆକ୍ରମଣ ବଢ଼ି ବଢ଼ି ଚାଲିଛି। ଆକ୍ରମଣ ଚାରି ଆଡ଼ୁ। ଆକ୍ରମଣର ସ୍ୱରୂପ ମଧ୍ୟ ଭିନ୍ନ ଭିନ୍ନ। କେଉଁଠି ସାମ୍ବାଦିକମାନଙ୍କ ଉପରେ ଦୈହିକ ଆକ୍ରମଣ ହେଉଛି ତ କେଉଁଠି ତାକୁ ମାନସିକ ସ୍ତରରେ ଦୁର୍ବଳ କରି ଦେବାର ସକ୍ରିୟ ଚେଷ୍ଟା ଚାଲିଛି। କେଉଁଠି ପ୍ରଲୋଭନ ଦିଆଯାଉଛି ତ କେଉଁଠି ତା’ର ଜୀବିକାକୁ ଅସୁରକ୍ଷିତ କରି ଦିଆଯାଉଛି। ସାମ୍ବାଦିକର ଦାୟିତ୍ୱ ହେଲା ସତ୍ୟ ଖବର ଜନସାଧାରଣଙ୍କ ଆଗରେ ଉପସ୍ଥାପନ କରିବା। ସତ୍ୟକୁ ଆଲୋକକୁ ଆଣିବା। ଏଥିପାଇଁ ଅନୁସନ୍ଧାନମୂଳକ ସାମ୍ବାଦିକତା ଏକ ବଡ଼ ଆୟୁଧ। କିନ୍ତୁ ତାହା କରିବାରେ ନାନା ପ୍ରକାର ବାଧା ଠିଆ କରାଯାଉଛି। ଷ୍ଟିଙ୍ଗ୍‌ ଅପରେସନ୍‌କୁ ନେଇ ଏବେ ଯେଉଁ ବିତର୍କ ଚାଲିଛି- ତାକୁ ଲକ୍ଷ୍ୟ କଲେ ମନେହୁଏ- ବ୍ୟକ୍ତିଗତ ଗୋପନୀୟତାର ଆଳରେ କେତେକେ ସତ୍ୟ ଉଦ୍‌ଘାଟନରେ ବାଧା ସୃଷ୍ଟି କରିବାକୁ ବଦ୍ଧ ପରିକର। ଯେଉଁ ସତ୍ୟ ସହିତ ସାଧାରଣ ଜନତାର ସ୍ୱାର୍ଥ ଜଡ଼ିତ ତାକୁ ଉଦଘାଟନ କରିବା ପ୍ରେସ୍‌ର ଦାୟିତ୍ୱ।

ଜାତୀୟ ପ୍ରେସ ଦିବସ ଉପଲକ୍ଷେ ସାମ୍ବାଦିକ ଓ ଗଣମାଧ୍ୟମ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁକ୍ତ ପ୍ରେସ ହେଉଛି ଗଣତନ୍ତ୍ରର ଆଧାର ଶିଳା ଓ ଲୋକଙ୍କ ସ୍ୱର । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ସ୍ୱତନ୍ତ୍ରତା ସୁରକ୍ଷିତ କରିବା ସ‌ହ ନିରପେକ୍ଷ ସୂଚନା ଦେଉଥିବା ଲୋକଙ୍କୁ କ୍ଷମତାସମ୍ପନ୍ନ କରିବା ନିମନ୍ତେ ସଙ୍କଳ୍ପବଦ୍ଧ ହେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

 

Leave A Reply

Your email address will not be published.