Latest Odisha News

BREAKING NEWS

ଆଜି ଜାତୀୟ ହସ୍ତତନ୍ତ ଦିବସ, ଅନ୍ତର୍ଜାତୀୟ ବଜାରରେ ବଢୁଛି ଓଡ଼ିଶା ହସ୍ତତନ୍ତର ଚାହିଦା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ଜାତୀୟ ହସ୍ତତନ୍ତ ଦିବସ। ସ୍ୱଦେଶୀକୁ ଆପଣାଇ ବିଦେଶୀର ବ୍ୟବହାର କମ୍ କରିବା ଏବଂ ହସ୍ତତନ୍ତର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ପାଳିତ ହେଉଛି ଏ ଦିବସ। ଯେତେବେଳେ ବଙ୍ଗଳା ବିଭାଜନ ହୋଇଥିଲା ସେତେବେଳେ ସ୍ବଦେଶୀ ଆନ୍ଦୋଳନ ଶକ୍ତି ବୃଦ୍ଧି ହୋଇଥିଲା। ସର୍ବପ୍ରଥମେ ୧୯୦୫ ଅଗଷ୍ଟ ୭ରେ କୋଲକାତା ଟାଉନ ହଲରେ ବିଦେଶୀ ସାମଗ୍ରୀକୁ ବର୍ଜନ କରିବା ଏବଂ ଭାରତୀୟ ଉତ୍ପାଦ ଉପରେ ନିର୍ଭର କରିବା ପାଇଁ ଆନୁଷ୍ଠାନିକ ଘୋଷଣା କରାଯାଇଥିଲା। ଏକ ଶତାବ୍ଦୀ ପରେ ଅର୍ଥାତ୍‌ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଜାତୀୟ ହସ୍ତତନ୍ତ ଦିବସର ଶୁଭ ଉଦ୍‌ଘାଟନ କରିଥିଲେ। ସେବେଠାରୁ ଏହି ହସ୍ତତନ୍ତ ଦିବସ ପାଳନ କରାଯାଉଛି ।

ପୁଣିଥରେ ଆଦୃତ ହେଉଛି ଭାରତର ପାରମ୍ପରିକ ହସ୍ତତନ୍ତ। କେବଳ ବୟସ୍କ ନୁହଁନ୍ତି, ବର୍ତ୍ତମାନର ଯୁବପିଢୀମାନେ ହସ୍ତତନ୍ତ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତକୁ ଆଧୁନିକ ଡିଜାଇନ୍‌ ଓ ନୂତନ ରଙ୍ଗରେ ପ୍ରସ୍ତୁତ କରାଯିବା ପରେ ତାହାର ଚାହିଦା ବଜାରରେ ବଢୁଛି। ଭାରତର ବିଭିନ୍ନ ପ୍ରାନ୍ତରେ ଥିବା ପାରମ୍ପରିକ ହସ୍ତତନ୍ତ ଆଧୁନିକ ଫ୍ୟାଶନର ଏକ ପ୍ରମୁଖ ଅଂଶଭାବେ ପରିଗଣିତ ହେଉଛି। ଏପଟେ ଉତ୍କୃଷ୍ଟ ଓ ସୂକ୍ଷ୍ମ କାରିଗରୀରେ ପ୍ରସ୍ତୁତ ଓଡ଼ିଶା ହସ୍ତତନ୍ତର ଚାହିଦା ଅନ୍ତର୍ଜାତୀୟ ବଜାରରେ ବଢୁଛି। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଓ ଟ୍ରେଡ୍‌ ଶୋ’ ଆଦିରେ ଓଡ଼ିଶା ବସ୍ତ୍ରର ଚାହିଦା ଦେଖିବାକୁ ମିଳୁଛି। ବିଭିନ୍ନ ଫ୍ୟାଶନ ଶୋ’ରେ ପାଶ୍ଚାତ୍ୟ ପୋଷାକ ସହ ଓଡ଼ିଶା ହ୍ୟାଣ୍ଡଲୁମ୍‌ର ଫ୍ୟୁଜନ କରାଯାଇ ପ୍ରଦର୍ଶିତ ହେଉଛି।

ସେପଟେ ସମ୍ବଲପୁରୀ ବାନ୍ଧ ଶାଢ଼ି, କୋଟପାଡ଼ ହସ୍ତତନ୍ତ, ଓଡ଼ିଶା ଇକ୍କତ, ଖଣ୍ଡୁଆ ଶାଢ଼ି ଓ ଫେବ୍ରିକ୍ସ, ଗୋପାଳପୁର ଟସର, ଧଳାପଥର ପରଦା, ବମକେଇ ଶାଢ଼ି, ହବସପୁରୀ ଶାଢ଼ି, ବ୍ରହ୍ମପୁର ପାଟଶାଢ଼ି ଓ ଯୋଡ଼ ଆଦି ରାଜ୍ୟର ୯ ହସ୍ତତନ୍ତକୁ ଜିଆଇ ଟ୍ୟାଗ୍‌ ମିଳିଛି। ଇ-ମାର୍କେଟିଂ କ୍ଷେତ୍ରରେ ଧୀରେ ଧୀରେ ଆଗକୁ ବଢୁଥିବା ଓଡ଼ିଶା ଅନ୍‌ଲାଇନ୍‌ରେ ନିଜର ବ୍ୟବସାୟକୁ ବ୍ୟାପକ କରିଛି। ଏକାଧିକ ଇ-କମର୍ସ ପ୍ଲାଟଫର୍ମରେ ଓଡ଼ିଶା ହସ୍ତଶିଳ୍ପ ଓ ହସ୍ତତନ୍ତର ଅନ୍‌ଲାଇନ୍‌ ବିକ୍ରିବଟା ହେଉଥିବା ଦେଖିବାକୁ ମିଳୁଛି। ସମ୍ବଲପୁରୀ ବସ୍ତ୍ରାଳୟ ସହ ବୟନିକା ଏବଂ ଉତ୍କଳିକା ଇ-ମାର୍କେଟିଂ କ୍ଷେତ୍ରରେ ବିଶେଷ ସଫଳତା ପାଇଛନ୍ତି। ‘ଫ୍ୟାବ୍‌ ଇଣ୍ଡିଆ’ ସହ ‘କୁଭ୍‌ସ’, ‘ଫ୍ଲିପ୍‌କାର୍ଟ’, ‘ଆମାଜନ୍‌’, କ୍ରାଫ୍ଟଲୀ ଓ ‘ଠୁମ୍‌ରୀ’ ଭଳି ଅନ୍‌ଲାଇନ ପ୍ଲାଟଫର୍ମରେ ଓଡ଼ିଶା ହସ୍ତଶିଳ୍ପ ଓ ହସ୍ତତନ୍ତର ଚାହିଦା ରହିଛି। ସମ୍ବଲପୁରୀ, ଇକ୍କତ୍‌, ପସାପାଲି, ଟସର ସିଲ୍କ ଭଳି ହସ୍ତତନ୍ତର ଚାହିଦା ବିଶ୍ୱ ବଜାରରେ ବଢିଛି। ନୂଆ ନୂଆ ରଙ୍ଗ ଓ ଆକର୍ଷଣୀୟ ଡିଜାଇନ୍‌ରେ ଉପଲବ୍ଧ ନୂଆପାଟଣା ଶାଢୀ, ସମ୍ବଲପୁରୀ ଶାଢୀ, ସମ୍ବଲପୁରୀ ସାଲଓ୍ବାର ସୁଟ୍‌, ଇକ୍କତ ଟାଇ ଆଣ୍ଡ୍‌ ଡାଇ ଶାଢୀ, ସମ୍ବଲପୁରୀ ସିଲ୍କ, ବୋମକାଇ ପାଟ ଆଦିକୁ ଏହି ଇ-କମର୍ସ ପ୍ଲାଟଫର୍ମର ସ୍ବତନ୍ତ୍ର ସେଗ୍‌ମେଣ୍ଟରେ ସ୍ଥାନିତ କରାଯାଇଛି। ଏହାସହ ହସ୍ତତନ୍ତ ବିକ୍ରିବଟା ପାଇଁ ୧୩ଟି ରାଜ୍ୟର ସରକାରୀ ସଂସ୍ଥା ସହ ଚୁକ୍ତି କରିଥିବା ଆମାଜନ୍‌ ଓଡ଼ିଶାର ‘ବୟନିକା’ ସହ ଯୋଡ଼ିହୋଇଛି। ଫଳରେ ଆମାଜନ୍‌ ମାଧ୍ୟମରେ ବୟନିକାର ଏକାଧିକ ଡିଜାଇନ୍‌ ଏବେ ଜଣେ ଘରେବସି କିଣିପାରିବ।

 

Leave A Reply

Your email address will not be published.