Latest Odisha News

ଆଜି ହେଉଛି ବିଶ୍ଵ ଏଡସ ଦିବସ: ସଚେତନତା ହିଁ ପ୍ରକୃତ ନିଦାନ

ଭୁବନେଶ୍ଵର: ଆଜି ହେଉଛି ବିଶ୍ଵ ଏଡସ ଦିବସ | ଏଚଆଇଭି ଭୂତାଣୁ ରେ ସଂକ୍ରମିତ ଲୋକଙ୍କୁ ସହାୟତା ପ୍ରଦାନ କରିବା ସହ ଏଡସ ସଙ୍କ୍ରାନ୍ତୀୟ ରୋଗରେ ପୀଡିତ ଲୋକଙ୍କୁ ସମର୍ଥନ ଜଣାଇବାଲାଗି ଏହି ଦିବସ ପାଳନ କରାଯାଏ | ଏଚଆଇଭି ବିରୁଦ୍ଧରେ ସଂଗ୍ରାମ ଲାଗି ସମଗ୍ର ବିଶ୍ଵବାସୀ ଙ୍କୁ ଆଜିର ଦିନ ଏକ ସୁଯୋଗ ପ୍ରଦାନ କରେ |

BjdElectrycity

୧୯୮୮ ମସିହାରୁ ପ୍ରତିବର୍ଷ ଡିସେମ୍ବର ୧ ତାରିଖରେ ବିଶ୍ଵ ଏଡସ ଦିବସ ପାଳନ କରାଯାଉଛି । ଏହା ପୂର୍ବରୁ ୧୯୮୭ ଅଗଷ୍ଟରେ ବିଶ୍ଵ ଏଡସ ଦିବସ ପାଳନ ପାଇଁ ସ୍ଵିଜରଲାଣ୍ଡର ଜେନେଭା ଠାରେ ଥିବା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନରେ ଏଡସ ଉପରେ ଗ୍ଲୋବାଲ ପ୍ରୋଗ୍ରାମ କାର୍ଯ୍ୟ କରୁଥିବା ଦୁଇ ଜଣ ଜନ ସୂଚନା ଅଧିକାରୀ ଜେମ୍ସ ଡବ୍ଲୁ ବୁନ ଏବଂ ଥୋମାସ ନେଟରଙ୍କ ଦ୍ଵାରା ପ୍ରସ୍ତାବ ଆଗତ ହୋଇଥିଲା । ସେମାନେ ଏଡସ ଗ୍ଲୋବାଲ ପ୍ରୋଗ୍ରାମର ନିର୍ଦ୍ଦେଶକ ଜୋନାଥନ୍ ମାନଙ୍କୁ ଏନେଇ ସୂଚନା ପ୍ରଦାନ କରିଥିଲେ । ପରେ ଏହି ଦିବସ ପାଳନ କରିବାକୁ ଅନୁମୋଦନ ମିଳିଥିଲା ।

ରିପୋର୍ଟ ଅନୁସାରେ, ୨୦୧୭ ସୁଦ୍ଧା ଏଡସ ଯୋଗୁ ବିଶ୍ଵସ୍ତରରେ ୪୧.୫ ନିୟୁତ ଲୋକଙ୍କ ମୃତ୍ୟୁ ଘଟିଛି । ଏବଂ ଆନୁମାନିକ ୩୬.୭ ନିୟୁତ ଲୋକ ଏଚଆଇଭିରେ ସଂକ୍ରମିତ ଅଛନ୍ତି । ବିଶ୍ଵର ଅନେକ ଅଞ୍ଚଳରେ ଆଣ୍ଟିଟେରୋଭାଇରାଲ ଚିକିତ୍ସା ଯୋଗୁ ୨୦୦୫ଠାରୁ ଏଡସ ମୃତ୍ୟୁ ହାର କମିବାରେ ଲାଗିଛି । ଏହି ଦିବସ ପାଳନ ଅବସରରେ ରେଡ ରିବନର ଆଇକନିକ ପ୍ରଦର୍ଶନ କରାଯାଇଥାଏ ।

ଏଡସ ରୋକିବା ଏବଂ ଏହାର ନିୟନ୍ତ୍ରଣ ସମ୍ପର୍କିତ ଶିକ୍ଷା ଅପରିହାର୍ଯ୍ୟ ହୋଇପଡିଛି । ଏହି ଦିବସ ପାଳନ ଅବସରରେ ଲୋକଙ୍କ ମଧ୍ୟରେ ‘ହାରିବାନି ହରାଇବା’ ଭାବନା ଜାଗ୍ରତ କରିବା ଲାଗି ପ୍ରୟାସ କରାଯାଇଥାଏ ।

Leave A Reply

Your email address will not be published.