Latest Odisha News

BREAKING NEWS

ବିଶ୍ଵ ରେଡିଓ ଦିବସ, ନୂଆରୂପରେ ଭଭା ହେଲାଣି ବେତାର ଯନ୍ତ୍ର

ଭୁବନେଶ୍ଵର: ଆଜି ବିଶ୍ଵ ରେଡିଓ ଦିବସ । ଆଜିର ଏହି ଡିଜିଟାଲ ଜମାନାରେ ବି କମିନି ରେଡିଓର କ୍ରେଜ। ଆଜି ବି ବିଭିନ୍ନ ଦୋକାନ ବଜାର, ଚା ଖଟି, ଗାଡିରେ ସମସ୍ତଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଆସୁଛି ଏହି ରେଡିଓ । ରାଜନୀତି ଖବରଠାରୁ ନେଇ ପାଣିପାଗ, କ୍ରିକେଟ, ଏବଂ ମନୋରଞ୍ଜନ ସମ୍ବନ୍ଧୀୟ ସୂଚନା ରେଡିଓରେ ପରିବେଶଣ କରାଯାଉଛି । ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଫେବ୍ରୁଆରି ୧୩ ତାରିଖରେ ଏହି ଦିବସକୁ ପାଳନ କରାଯାଉଛି । ରେଡିଓ ଇତିହାସ ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ଏହି ଦିବସ ପାଳନ କରାଯାଇଥାଏ ।

ସ୍ମାର୍ଟ ଫୋନ୍‌ ଓ ଅତ୍ୟାଧୁନିକ ମନୋରଞ୍ଜନର ସାଧନ ସବୁ ଉଦ୍ଭାବନ ହେବା ପରେ ଅନେକ ସମୟରେ ମନେ ହେଉଥିଲା ମାର୍କୋନି ଉଦ୍ଦ୍‌ଭାବନ କରିଥିବା ବେତାର ଯନ୍ତ୍ର(ରେଡ଼ିଓ)ର ସତ୍ତା ହଜିଯାଉଛି । ରେଡିଓ ସ୍ଥାନ ସ୍ମାର୍ଟଫୋନ୍‌, ମୋବାଇଲ ଓ ଆଣ୍ଡ୍ରଏଡ ଟିଭି ଭିତରେ ହଜିଯିବ ବୋଲି ଲାଗୁଥିଲା । ଆଗାମୀ ପିଢ଼ି କେବଳ ଇତିହାସ ବହିରୁ ବା କେଉଁ ସଂଗ୍ରହାଳୟରୁ ଭଙ୍ଗା ରେଡିଓର ଛବି ଦେଖି ପରିକଳ୍ପନା କରିବେ । କିନ୍ତୁ ସେମିତି ହୋଇନି, ଭାଙ୍ଗିରୁଜି ଯାଉଥିବା ରେଡିଓ କଡ଼ ଲେଉଟାଇ ଉଠିଲାଣି । ନୂଆରୂପରେ ଭଭା ହେଲାଣି ରେଡ଼ିଓ । ନିଜର ବାର୍ତ୍ତା ଦେଶବାସୀଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାହାରା ନେଇଉନ୍ତି ‘ରେଡିଓ’ର । ନିଜର ବାର୍ତ୍ତା ଦେଶବାସୀଙ୍କ ପାଖରେ ପହଞ୍ଚାଇବା ପାଇଁ ‘ମନ କି ବାତ୍‌’ ବା ମନର କଥା ରେଡିଓ ମାଧ୍ୟମରେ କୋଟି କୋଟି ଜନସାଧାରଣଙ୍କ ପାଖରେ ପହଞ୍ଚାଉଛନ୍ତି । ଭାରତବର୍ଷରେ ଏବେ ଏଫଏମ୍‌ ନା’ରେ ଶହ ଶହ ଘରୋଇ ରେଡିଓ ସେଣ୍ଟର ୨୪ଘଣ୍ଟା ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରତିଯୋଗିତା କଲେଣି ।

୧୮୬୦ରେ ରେଡିଓ ତରଙ୍ଗର ଉପସ୍ଥିତି ଓ ଏହାର ଟ୍ରାନ୍‌ସିମିସନ୍‌ ବାବଦରେ ପ୍ରଥମ ସୂଚନା ଦେଇଥିଲେ ଜେମସ୍‌ କ୍ଲାର୍କ ମାକ୍‌ସେୱଲ। ୧୯୦୧ରେ ଇଟାଲୀୟ ବିଜ୍ଞାନୀ ମାର୍କୋନି ବିଶ୍ୱରେ ପ୍ରଥମ ଥର ରେଡିଓ ତରଙ୍ଗର ଟ୍ରାନ୍‌ସଆଟ୍‌ଲାନ୍‌ଟିକ୍‌ ଟ୍ରାନ୍‌ସମିସନ୍‌ରେ ସଫଳ ହୋଇଥିଲେ। ୧୯୦୩ରେ ତାଙ୍କ ମାଧ୍ୟମରେ ମାର୍କିନ୍‌ ରାଷ୍ଟ୍ରପତି ରୁଜ୍‌ଭେଲ୍‌ଟ, ସପ୍ତମ ଲଡ୍‌ୱାର୍ଡଙ୍କ ପାଖକୁ ଏକ ରେଡିଓ ବାର୍ତ୍ତା ପଠାଇଥିଲେ। ମାର୍କୋନିଙ୍କ ପୂର୍ବରୁ ନିକୋଲା ଟେସଲା, ଅଲିଭର୍‌ ଲଜ୍‌, ହେନ୍‌ରିଚ୍‌ ହର୍ଜ ପ୍ରମୁଖ ରେଡିଓ ତରଙ୍ଗ ପ୍ରେରଣରେ ସଫଳ ହୋଇଥିବାର ଦାବି ରହିଛି। ଏଥିପାଇଁ ମାର୍କୋନିଙ୍କୁ ୧୯୦୯ରେ ‘ନୋବେଲ ପୁରସ୍କାର’ ମିଳିଥିଲା। ରେଡିଓକୁ ପ୍ରସାରିତ ଓ ବିକଶିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଇଟାଲିର ଗ୍ୟୁଗ୍ଲିଏଲ୍‌ମୋ ମାର୍କୋନି, ଜର୍ମାନିର ହେନ୍‌ରିଚ୍‌ ହର୍ଜ, ରହିଆର ଆଲେକଜାଣ୍ଡର ପୋପୋଭ୍ ଭଳି ଅନେକ ବ୍ୟକ୍ତି। ୧୯୨୨ରୁ ୧୯୭୧ ପର୍ଯ୍ୟନ୍ତ ୟୁନାଇଟେଡ୍‌ କିଙ୍ଗଡମ୍‌ରେ ବିନା ଲାଇସେନ୍ସ୍‌ରେ ରେଡିଓ ବ୍ୟବହାର ଦଣ୍ଡନୀୟ ଅପରାଧ ଥିଲା। ଟେଲିଭିଜନ୍‌ର ବ୍ୟବହାର ବୃଦ୍ଧି ସତ୍ତ୍ୱେ ରେଡିଓର ଲୋକପ୍ରିୟତା ଏବେ ବି ଅଛି। ବିନା ବିଜୁଳିରେ ଚାଲୁଥିବା ଯୋଗୁଁ ଏହାର ବ୍ୟବହାର ଆଜି ବି ଲୋକପ୍ରିୟତା ରହିଛି। ତେବେ ଆଜିକାଲି ଅଗମ୍ୟ ଅଞ୍ଚଳରେ କମ୍ୟୁନିଟି ରେଡିଓ ସ୍ଥାପନାକୁ ଗୁରୁତ୍ୱ ଦିଆଯାଇଛି।

 

 

Leave A Reply

Your email address will not be published.