ଛାୟାଲିପି : ରୂପକଥାରୁ ଚିତ୍ର ଜଗତ

ଏହି ସମୟ ପର୍ଯ୍ୟନ୍ତ ଯେତିକି ଚଳଚ୍ଚିତ୍ର ପତ୍ରିକା ପ୍ରକାଶିତ ହୋଇଛି ଓ  ଯେଉଁସବୁର ଚର୍ଚ୍ଚା ଏହି ସ୍ତମ୍ଭରେ ହୋଇସାରିଛି, ତାହାର ଭାଷାଗତ ବୈଚିତ୍ରକୁ ଏଥର ସୂଚୀତ କରିଦିଏ । ସହଜ ଭାଷାର ପ୍ରୟୋଗ ଓ ଅଳଙ୍କାରହୀନ ବାକ୍ୟଗଠନର ଯେଉଁ ପ୍ରକ୍ରିୟା ପ୍ରଥମ ଚଳଚ୍ଚିତ୍ର ପତ୍ରିକା ‘ସିନେ ଓଡ଼ିଶା’ ଆରମ୍ଭ କରିଥିଲା ତାହାକୁ ଅନ୍ୟ ପତ୍ରିକା ଅନୁସରଣ କରିଥିଲେ । ଏପରିକି ବିଖ୍ୟାତ ସାହିତ୍ୟିକ ଲକ୍ଷ୍ମୀଧର ନାୟକଙ୍କ ସମ୍ପାଦନାରେ ପ୍ରକାଶିତ ‘ଚିତ୍ରଲେଖା’ର ସିନେମା ସମ୍ବନ୍ଧିତ ଲେଖାରେ ମଧ୍ୟ ଭାଷା ଥିଲା ସହଜ ଓ ଆଡମ୍ବରହୀନ । ତେବେ ପ୍ରକାଶନର ଦ୍ୱିତୀୟ ପ୍ରସ୍ଥରେ ‘ସିନେ ଓଡ଼ିଶା’ ହାଲକା ଓ ମନୋରଞ୍ଜନ ଧର୍ମୀ  ସାହିତ୍ୟକୁ ମଧ୍ୟ ସ୍ଥାନିତ କଲା ଓ ଅନ୍ୟ ପତ୍ରିକା ମଧ୍ୟ ଏହାକୁ ଅନୁସରଣ କଲେ । ସୂଚନାଯୋଗ୍ୟଯେ ଗମ୍ଭୀର ଓ ଦର୍ଶନଯୁକ୍ତ ସାହିତ୍ୟ  ରଚନା ସେହି ସମୟର ଚଳଚ୍ଚିତ୍ର ପତ୍ରିକାରେ ସ୍ଥାନିତ ହୋଇନାହିଁ ।
ଚଳଚ୍ଚିତ୍ର ପତ୍ରିକାରେ ସହଜ ଓ ସରଳ ଭାଷା ପ୍ରୟୋଗକୁ ପ୍ରଥମେ ଭାଙ୍ଗିଲା କଲିକତାରୁ ପ୍ରକାଶିତ  ପତ୍ରିକା ‘ସିନେମା’ । ଏହି ସମ୍ବନ୍ଧିତ ତଥ୍ୟ ଗତ ସଂଖ୍ୟାରେ ଆଲୋଚନା ହୋଇଛି । ବିଭିନ୍ନ ଚିତ୍ରତାରକାଙ୍କ ଛବି ଓ ଚଳଚ୍ଚିତ୍ର ଦୃଶ୍ୟ ଛବି ତଳେ ଯେଉଁ କବିତା ଓ ଭାବାତ୍ମକ ମନ୍ତବ୍ୟ ‘ସିନେମା’ ପତ୍ରିକାରେ ରହିଲା, ତାହା ପରବର୍ତ୍ତୀ ପତ୍ରିକାସବୁକୁ ମଧ୍ୟ ଆକ୍ରାନ୍ତ କଲା । ଯଦିଚ ସେସବୁ ଲଘୁ ଆମୋଦ ଉଦ୍ଦେଶ୍ୟରେ ରଚନା ହେଉଥିଲା, ସ୍ଥଳ ବିଶେଷରେ କିନ୍ତୁ ସେସବୁ  ଚିତ୍ର ତାରକାଙ୍କ ବ୍ୟକ୍ତଗତ ଜୀବନକୁ ମଧ୍ୟ ସୂଚୀତ କରୁଥିଲା । ଅବଶ୍ୟ ପୂର୍ବରୁ ‘ସିନେ ଓଡ଼ିଶା’ ଓ ‘ଚିତ୍ରଲେଖା’ ଇଙ୍ଗିତଧର୍ମୀ ମନ୍ତବ୍ୟ ଦେଇ ଲେଖା ପ୍ରକାଶ କରିଛନ୍ତି କିନ୍ତୁ ସେସବୁର ବ୍ୟକ୍ତିଗତ ଆକ୍ଷେପ ତୀବ୍ର ନୁହେଁ ।
ଏହି ପରିପ୍ରେକ୍ଷୀରେ ଆଉ ଏକ ଉଲ୍ଲେଖଯୋଗ୍ୟ ଉପାଦାନ ହେଉଛି   ଚଟୁଳ କଥା ବା କଥାକୁ ବଙ୍କେଇ ଲେଖିବାର ରସିକତା । ଏହା ପ୍ରମାଣ କରେ ଯେ ଚିତ୍ର ତାରକାଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ଜାଣିବାର ଇଚ୍ଛା ସେତେବେଳେ ବି ପାଠକ/ ପାଠିକାମାନଙ୍କର ଥିଲା ଯେମିତି ଆଜି ରହିଛି । ଯେଣୁ ଏହି ସମୟ ପର୍ଯ୍ୟନ୍ତ ଓଡ଼ିଆ ଚଳଚ୍ଚିତ୍ରର ସଂଖ୍ୟା ନଗଣ୍ୟ ବା ଜମାରୁ ଛଅ, ଏଣୁ ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ର ସମ୍ବାଦ ଏହି ସମୟର ପତ୍ରିିକାରେ ରହିବା ସ୍ୱାଭାବିକ । ପୁଣି ବ୍ରହ୍ମପୁରରୁ ପ୍ରକାଶିତ ହେଉଥିବା ପତ୍ରିକାରେ ତେଲୁଗୁ ଚଳଚ୍ଚିତ୍ରର ବିବରଣୀ ମଧ୍ୟ ରହିବା ସ୍ୱାଭାବିକ । ‘ସିନେ ଓଡ଼ିଶା’ ଓ ‘କଳାଶ୍ରୀ’ ତେଲୁଗୁ ଚଳଚ୍ଚିତ୍ର   ସମ୍ବନ୍ଧରେ ବି ଲେଖୁଥିଲେ ଆଉ ‘ଚିତ୍ରଲେଖା’ ଓ ‘ସିନେମା’ ବେଶି ବଙ୍ଗଳା ଚଳଚ୍ଚିତ୍ର ବିଷୟରେ ଲେଖୁଥିଲେ ।  ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ବିଷୟବସ୍ତୁ ପ୍ରାୟତଃ ନାହିଁ ସେତେବେଳେ, ଅତଏବ ଓଡ଼ିଆ ବ୍ୟାବସାୟିକ ନାଟକ ସମ୍ବନ୍ଧରେ ବି ଚଳଚ୍ଚିତ୍ର ପତ୍ରିକାରେ ଚର୍ଚ୍ଚାା କରାଯାଉଥିଲା । କିନ୍ତୁ ସେତେବେଳେ ନାଟକ ସଂଖ୍ୟା ବି କେତେ? ଅଧିକାଂଶ ଚଳଚ୍ଚିତ୍ର ପତ୍ରିକା ଥିଲା ମାସିକ । ସେହିହେତୁ ଚଳଚ୍ଚିତ୍ର ପତ୍ରିକାସବୁ ସାହିତ୍ୟ ସମ୍ବନ୍ଧିତ ଲେଖା ପ୍ରକାଶ ପାଇଁ ଅଧିକ ଆଗ୍ରହୀ ହେଲେ । ଚଳଚ୍ଚିତ୍ର ପତ୍ରିକାର ପାଠକ/ ପାଠିକା ଗମ୍ଭୀର, ଦର୍ଶନଯୁକ୍ତ  ସାହିତ୍ୟ ପସନ୍ଦ କରିବେ ନାହିଁ ଏବଂ ପ୍ରତିଷ୍ଠିତ ସାହିତ୍ୟିକ ସେହି ପତ୍ରିକାକୁ ଲେଖା ଦେବେ ନାହିଁ, ଏକଥା ତତ୍କାଳୀନ ଚଳଚ୍ଚିତ୍ର ପତ୍ରିକାର ପ୍ରକାଶକ, ସମ୍ପାଦନମାନେ ଜାଣିଥିଲେ ।  ଏଣୁ ହାଲକା ରୋମାଣ୍ଟକ୍ ଲେଖା ବା ବିରହାତ୍ମକ ଲେଖା ବା ତରୁଣ ପ୍ରାଣକୁ ଉଦ୍‌ବେଳିତ କରିବା ଲେଖା ଚଳଚ୍ଚିତ୍ର ପତ୍ରିକାସବୁରେ ପ୍ରକାଶିତ ହେଲା । କେତେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ହୋଇଛି ଅବଶ୍ୟ କିନ୍ତୁ ସେପରି ଉଦାହରଣ କମ ।
‘ସିନେମା’  ପତ୍ରିକା ପରେ ଯେଉଁସବୁ ଚଳଚ୍ଚିତ୍ର ପତ୍ରିକା ୧୯୫୯ ପର୍ଯ୍ୟନ୍ତ ପ୍ରକାଶିତ ହେଲା ସେସବୁ ମଧ୍ୟରେ ରହଛି: ଗୋପାଳକୃଷ୍ଣ ପାଠୀଙ୍କ ସମ୍ପାଦିତ ୧୯୫୬ ଫେବୃଆରୀ ମାସରୁ ବ୍ରହ୍ମପୁରରୁ ପ୍ରକାଶିତ ‘ରୂପକଥା’, ୧୯୫୬ ମସିହା ଏପ୍ରିଲ ମାସରୁ କଟକରୁ ସୁରେନ୍ଦ୍ର କୁମାର ଦାସଙ୍କ ସମ୍ପାଦନାରେ ‘ଚଳଚ୍ଚିତ୍ର’, ଏଚ୍‌. କେ. ଏ. ନସାଦଙ୍କ ସମ୍ପାଦନାରେ ଏପ୍ରିଲ ୧୯୫୭ରୁ କଟକରୁ ପ୍ରକାଶିତ ‘ସିନେମା ରାଇଜ’ ଏବଂ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ କାର୍ତ୍ତିକ କୁମାର ଘୋଷଙ୍କ ସମ୍ପାଦନାରେ ୧୯୫୮ ସେପ୍‌ଟେମ୍ବର ମାସରୁ କଟକରୁ ପ୍ରକାଶିତ ‘ଚିତ୍ର ଜଗତ’ ।
ଏହିସବୁ ପତ୍ରିକାର ରୂପରେଖ କ’ଣ ଓ କେମିତି ଥିଲା ଏବଂ ଏସବୁ ପରେପରେ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାର ଦୀର୍ଘ ଅବଧି ସଂପନ୍ନ ପତ୍ରିକାର ପ୍ରକାଶନ କେମିତି ହେଲା ତାହା ଆପଣଙ୍କୁ କୁହୁକ ଗଳ୍ପ ପରି ମନେହେବ ନିଶ୍ଚୟ । ଆର ସ୍ତମ୍ଭରେ ସେସବୁର ଚର୍ଚ୍ଚା ଆପଣ ପଢ଼ିବେ, ଏହି ସ୍ତମ୍ଭରେ ସ୍ଥାନିତ ହୋଇଛି ବ୍ରହ୍ମପୁରୁ ପ୍ରକାଶିତ ‘ରୂପକଥା’ର ଦ୍ୱିତୀୟ ବର୍ଷ ପ୍ରଥମ ସଂଖ୍ୟାର ପ୍ରଚ୍ଛଦର ପ୍ରତିଲିପି । ସାହିତ୍ୟ ଓ କଥାଚିତ୍ରର ସମନ୍ୱୟକୁ ପ୍ରଥମଥର ପାଇଁ ‘ରୂପକଥା’ ସ୍ୱୀକାରୋକ୍ତି ଭାବରେ ପ୍ରଚ୍ଛଦରେ ପ୍ରକାଶିତ କଲା, ସେହି କଥନକୁ ଆପଣ ପ୍ରଚ୍ଛଦରେ ସ୍ପଷ୍ଟ ଦେଖିପାରୁଥିବେ ।