ଟୋକିଓ: ଅଲିମ୍ପିକ୍ସକୁ ଘାରିଲାଣି କରୋନା କଳାବାଦଲ । କ୍ରୀଡ଼ା ମହାକୁମ୍ଭ ପାଖେଇ ଆସିବା ବେଳେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପୂର୍ବରୁ ଜଣେ ଆୟୋଜକ ସଦସ୍ୟ ସଂକ୍ରମିତ ହୋଇଥିବା ବେଳେ ଏବେ ଦୁଇ ଜଣ ଆଥଲେଟ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟି ଏହି ସୂଚନା ଦେଇଛି ।
ଅଲିମ୍ପିକ୍ସ ଭିଲେଜରେ ରହୁଥିବା ଦୁଇ ଜଣ ଖେଳାଳି ଓ କ୍ରୀଡ଼ା ଗ୍ରାମ ବାହାରେ ଥିବା ଆଉ ଜଣେ ପ୍ରତିଯୋଗୀ କରୋନା ସଂକ୍ରମିତ ହୋଇଛନ୍ତି । କଡ଼ା କୋଭିଡ୍ କଟକଣା ସତ୍ତ୍ୱେ ଟୋକିଓ ଅଲିମ୍ପିକ୍ସ ଭିଲେଜରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାପରେ ଅନ୍ତର୍ଜାତୀୟ ଅଲିମ୍ପିକ୍ ଆସୋସିଏସନ ଗୁରୁତ୍ୱପୂର୍ଣ୍ଣ ବୈଠକରେ କୋଭିଡ୍ ପ୍ରଟୋକଲକୁ କଡ଼ାକଡ଼ି ପାଳନ କରିବା ଉପରେ ଗୁରୁତ୍ୱ ଦେଇଛି ।
ଗୋପନୀୟତା ଦୃଷ୍ଟିରୁ କେଉଁ ଦେଶର ଆଥଲେଟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେନେଇ ସୂଚନା ଦିଆଯାଇନାହିଁ । ଜୁଲାଇ ୧ରୁ ଆଜି ସୁଦ୍ଧା ଅଲିମ୍ପିକ୍ସ ପାଇଁ ଟୋକିଓରେ ୧୫ହଜାର ଆଥଲେଟ୍, ଅଫିସିଆଲ୍, ମିଡିଆ ପ୍ରତିନିଧି ଓ ଅନ୍ୟାନ୍ୟ ଷ୍ଟେକ ହୋଲଡର ପହଞ୍ଚି ସାରିଛନ୍ତି ।
ସ୍କ୍ରିନିଂ ବେଳେ କେବଳ ୧୫ ଜଣ କରୋନା ପଜିଟିଭ୍ ବାହାରିଛନ୍ତି । କରୋନା ଯୋଗୁ ବିନା ଦର୍ଶକରେ ଅଲିମ୍ପିକ୍ସ ଆୟୋଜନ ହେଉଛି । ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ଟୋକିଓ ଅଲିମ୍ପିକ୍ସ । ବିଭିନ୍ନ ଦେଶର ଆଥଲେଟ୍ ପହଞ୍ଚି ସାରିଥିବା ବେଳେ କରୋନା ପଜିଟିଭ୍ ଚିହ୍ନଟକୁ ନେଇ ଏବେ ଚିନ୍ତା ବି ବଢ଼ିଛି ।
Comments are closed.