Latest Odisha News

BREAKING NEWS

ବାତ୍ୟା ମୁକାବିଲା: ହେଲ୍ପଲାଇନ୍ ନମ୍ବର ଜାରି କଲେ ବିଜେଡି ଓ ବିଜେପି

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି କ୍ଷମତାରେ ଥିବା ବିଜେପି ଓ ବିରୋଧୀ ଦଳ ବିଜେଡି ଦ୍ବାରା ବୁଧବାର ପୃଥକ ପୃଥକ୍ ହେଲପଲାଇନ୍ ନମ୍ବର ଜାରି କରାଯାଇଛି । ଏହାସହିତ ବିଜେପି ନିଜର ସମସ୍ତ ସାଂଗଠନିକ କାର୍ଯ୍ୟକ୍ରମକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବାବେଳେ ବିଜେଡି ମଧ୍ୟ ତା’ର ସଦସ୍ୟତା ଅଭିଯାନକୁ ଏକ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିବା ଜଣାପଡ଼ିଛି ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ବାତ୍ୟା ‘ଦାନା’ ପାଇଁ ନିଜେ ସତର୍କ ରହିବା ଓ ଅନ୍ୟମାନଙ୍କୁ ସତର୍କ କରାଇବା ପାଇଁ ଦଳୀୟ କର୍ମୀ, ନେତା ଓ ନିର୍ବାଚିତ ପ୍ରତିନିଧିମାନଙ୍କୁ ପରାମର୍ଶ ଦିଆଯାଇଛି । ମିଛ ଓ ଗୁଜବରୁ ଦୂରେଇ ରହିବା ସହିତ ଅଯଥା ଆତଙ୍କିତ ନହେବାକୁ ସେ ଅନୁରୋଧ କରିଛନ୍ତି । ବିଜେପି ପକ୍ଷରୁ ୨୪ ଘଣ୍ଟିଆ ହେଲପଲାଇନ୍ ନମ୍ବର ୦୬୭୪-୨୩୯୩୯୮୪ ଜାରି କରାଯାଇଛି ।

ସେହିପରି ଅନ୍ୟପଟେ, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କରି ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି । ବାତ୍ୟା ମୁକାବିଲା ପାଇଁ ଆମର ଏକ ପ୍ରଭାବୀ ବିପର୍ଯ୍ୟୟ ପରିଚାଳନା ନୀତି ରହିଛି । ପୂର୍ବରୁ ଆମେ ସମସ୍ତେ ଅନେକ ବାତ୍ୟାର ସଫଳ ମୁକାବିଲା କରିଛେ ବୋଲି ନବୀନ କହିଛନ୍ତି । ତେଣୁ ଏବେ ମଧ୍ୟ ସଜାଗ ରହି ଏକାଠି ବାତ୍ୟା ‘ଦାନା’କୁ ସଫଳତାର ସହ ମୁକାବିଲା କରିପାରିବା ।

ବିଜେପି ପକ୍ଷରୁ ୯୯୩୭୦୫୭୫୨୮ ଏବଂ ୮୯୮୪୩୦୩୫୩୪ ଏହି ଦୁଇଟି ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି । ଯେକୌଣସି ଲୋକ ଏହି ଦୁଇଟି ନମ୍ବରକୁ ଫୋନ୍ କରି ସହଯୋଗ ଲୋଡ଼ିପାରିବେ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.