ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋରର ବେଲେଶ୍ୱର ମହାଦେବ ଝୁଲେଲାଲ୍ ମନ୍ଦିରରେ କୂଅ ଛାତ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ପୁଲିସ କୂଆ ଭିତରୁ ୩୫ ମୃତଦେହ ଉଦ୍ଧାର କରିଛି। ଇନ୍ଦୋର ବେଲେଶ୍ୱର ମହାଦେବ ଝୁଲେଲାଲ ମନ୍ଦିରରେ ଭିତରେ ଥିବା ଏକ କୂଅକୁ କଂକ୍ରିଣ୍ଟ ପଲସ୍ତରା ଦେଇ ଚଟାଣ କରାଯାଇଥିଲା।
ଗତକାଲି ଶ୍ରୀ ରାମନବମୀ ଉତ୍ସବ ପାଳନ ବେଳେ ମନ୍ଦିର ଭିତରେ ଏକାଧିକ ଶ୍ରଦ୍ଧାଳୁ ଏହି ଚଟଣା ଉପରେ ଛିଡ଼ା ହୋଇ ପୂଜାର୍ଚ୍ଚନା କରୁଥିବା ବେଳେ ହଠାତ୍ ଚଟାଣ କୂଅ ଭିତରକୁ ଭୁଶୁଡ଼ି ପଡ଼ିଥିଲା। କିଛି ଲୋକ କୂଅ ଭିତରକୁ ଗଳି ପଡ଼ିଥିଲେ।
ଖବର ପାଇଁ ଘଟଣା ସ୍ତଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଧା ୩୫ ମୃତଦେହ ଉଦ୍ଧାର କରାଯାଇଛି ବୋଲି ଇନ୍ଦୋର ପୁଲିସ କମିଶନର ପୱନ ଶର୍ମା ସୂଚନା ଦେଇଛନ୍ତି। ୧୮ ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ୧୮ ମଧ୍ୟରେ ୧୬ ଜଣ ଚିକିତ୍ସିତ ହେଉଥିବା ବେଳେ ୨ ଜଣ ସୁସ୍ଥ ଅଛନ୍ତି। ୨ ଜଣ ଏବେ ବି ନିଖୋଜ ଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି।
ଶ୍ରୀ ଶର୍ମାଙ୍କ ସୂଚନା ଅନୁସାରେ ୧୪୦ ଜଣିଆ ଏକ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ୭୫ ଆର୍ମି ଜବାନ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ୪୦ ଫୁଟ କୂଅ ଭିତରେ ରାତିସାରା ଶବ ଉଦ୍ଧାର କରିଥିଲେ ଉଦ୍ଧାରକାରୀ।
ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ନିତ କରିବା ଓ ଆହତଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୋହ୍ୱାନ୍ ଦୁର୍ଘଟଣାରେ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଓ ଆହତଙ୍କୁ ୫୦ ହଜାର ସହାୟତା ରାଶି ଘୋଷଣା କରିଛନ୍ତି ମଧ୍ୟ ପ୍ରଦେଶ ସରକାର।
ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଶୋକ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି।
Comments are closed.