Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପରେ କ୍ରସ ଭୋଟିଂକୁ ନେଇ ଚର୍ଚ୍ଚା ଚାଲିଛି । ୧୭ ଜଣ ସାଂସଦ ଓ ବିରୋଧୀ ଦଳର ପ୍ରାୟ ୧୨୫ ବିଧାୟକ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ କ୍ରସ ଭୋଟିଂ କରିଛନ୍ତି । ଏପରିକି ୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭାରେ ଏନଡିଏର କୌଣସି ଜଣେ ବିଧାୟକ ନଥିଲେ ବି ମୁର୍ମୁଙ୍କୁ ମିଳିଛି ଗୋଟିଏ ଭୋଟ୍ । ଆସାମରେ ବିରୋଧୀ ଦଳର ୨୫ ବିଧାୟକ ଦ୍ରୌପଦୀଙ୍କୁ ଭୋଟ୍ ଦେଇଛନ୍ତି । ମଧ୍ୟପ୍ରଦେଶରେ କଂଗ୍ରେସର ୯୫ ବିଧାୟକ ଥିଲେ ବି ଯଶଓ୍ୱନ୍ତଙ୍କୁ ମିଳିଛି ୭୯ଟି ଭୋଟ ।

୨) ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ୍ ଯୋଗେ କଥା ହୋଇଛନ୍ତି । ଓଡ଼ିଶାବାସୀଙ୍କ ତରଫରୁ ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ସଫଳତା ପାଇଁ ଓଡ଼ିଶାବାସୀ ଗର୍ବିତ ବୋଲି କହିଛନ୍ତି ନବୀନ । ଆସନ୍ତା ୨୫ ତାରିଖରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯିବେ । ଆସନ୍ତାକାଲି ଠାରୁ ମୁଖ୍ୟମନ୍ତ୍ରୀ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ବୋଲି ଜଣାପଡ଼ିଛି ।

୩) କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ପିସିସି ସଭାପତି କାରଣ ଦର୍ଶାଅ ନୋଟିସ୍ ଦେଇଛନ୍ତି । ୨ ସପ୍ତାହ ମଧ୍ୟରେ ଜବାବ ଦେବାକୁ ମହମ୍ମଦ ମୋକିମଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଷ୍ଟ୍ରପତି ନିର୍ବାଚନରେ ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ପରିବର୍ତ୍ତେ NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ ମୋକିମ୍ । କହିଥିଲେ ବିବେକ ଅନୁସାରେ ମାଟିର ଝିଅକୁ ଭୋଟ୍ ଦେଇଛି ।

୪) ଆଜି ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ବିଧାନସଭା ପ୍ରେସ୍ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ଛାଡ଼ିବାକୁ ଦାବି କରି ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକ ହୋ ହଲ୍ଲା କରିଥିଲେ । କୋଭିଡ୍ କଟକଣାରେ ଗୃହ ଚାଲିଛି । ସର୍ବଦଳୀୟ ବୈଠକରେ ମଧ୍ୟ ଏନେଇ ନିଷ୍ପତ୍ତି ହୋଇଥିବା କହିଥିଲେ ବାଚସ୍ପତି । ତଥାପି କଂଗ୍ରେସ ବିଧାୟକ ମାନେ ବିଧାନସଭା ପ୍ରେସ୍ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ଦେବା ପାଇଁ ଅଡ଼ି ବସିଥିଲେ । ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବା ସହ ଗୃହକୁ ଦିନ ୧୧ଟା ୩୦ ଯାଏ ମୁଲତବି ଘୋଷଣା କରିଥିଲେ ।

୫) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରା ପ୍ରସଙ୍ଗରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ହୋ ହଲ୍ଲା ଦେଖିବାକୁ ମିଳିଛି । ଦରବୃଦ୍ଧି, ମୁଦ୍ରାସ୍ଫୀତି ଆଦି ପ୍ରସଙ୍ଗରେ ସଂସଦ ବାହାରେ ଗାନ୍ଧି ପ୍ରତିମୂର୍ତ୍ତି ତଳେ ବିରୋଧୀ ସାଂସଦ ଧାରଣା ଦେଇଛନ୍ତି । ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର ପ୍ରସଙ୍ଗରେ ସାଂସଦମାନେ ପ୍ରବଳ ହଟ୍ଟଗୋଳ କରିବାରୁ ରାଜ୍ୟସଭା ମୁଲତବି ହୋଇଥିଲା ।

୬) ଆଜି ସିବିଏସଇ ଦ୍ୱାଦଶ ଓ ଦଶମ ଶ୍ରେଣୀ ଟର୍ମ ୨ ରେଜଲ୍ଟ ପ୍ରକାଶ ପାଇଛି । ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଛାତ୍ରଙ୍କ ଠାରୁ ଆଗରେ ରହିଛନ୍ତି ଛାତ୍ରୀ । ଦ୍ୱାଦଶ ପରୀକ୍ଷାରେ ପାସହାର ୯୨.୭୧ % ରହିଛି । ସେହିଭଳି ଦଶମ ଶ୍ରେଣୀର ଚଳିତ ବର୍ଷ ପାସହାର ୯୪.୪୦ ପ୍ରତିଶତ ରହିଛି । ଭୁବନେଶ୍ୱର ଜୋନରେ ପାସହାର ୯୬.୪୬ ପ୍ରତିଶତ ଥିବା ଜଣାପଡ଼ିଛି । ଗତବର୍ଷ ଅପେକ୍ଷା ପାସହାର କମିଛି ।

୭) ବ୍ରହ୍ମପୁର ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗ୍ୟାସ ଟାଙ୍କି ଫାଟି ଘରର କାନ୍ଥ ଓ ଛାତ ଭୁଶୁଡ଼ି ପଡ଼଼ିଛି । ଦେବରାଜ ନାୟକଙ୍କ ଘରେ ଗ୍ୟାସ୍ ଟାଙ୍କି ଫାଟି ବିସ୍ଫୋରଣ ହେବାରୁ ଦୁଇ ଜଣ ଆହତ ହୋଇଛି । ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଆହତଙ୍କୁ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ବ୍ରହ୍ମପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

୮) ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ ୫୫ । ରାଜପଥ କାମ ସଂପ୍ରସାରଣରେ ବିଳମ୍ବ ଯୋଗୁ ସମସ୍ୟା ଭୋଗୁଛନ୍ତି ଜନସାଧାରଣ । ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଢେଙ୍କାନାଳ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି । ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ମନମାନି ବିରୋଧରେ ବନ୍ଦ ଡାକରା ଦିଆଯାଇଥିଲା । ବନ୍ଦ ପାଳନକୁ ଶିଳ୍ପ ବାଣିଜ୍ୟ ପ୍ରତିଷ୍ଠାନ ସମର୍ଥନ ଜଣାଇଛନ୍ତି ।

୯) ଦେଶରେ ତୃତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଥମ ଓ ଦ୍ୱିତୀୟ ଭଳି ତୃତୀୟ ମଙ୍କିପକ୍ସ ଆକ୍ରାନ୍ତ ଜଣଙ୍କ କେରଳର । ୩୫ ବର୍ଷୀୟ ବ୍ୟକ୍ତି ଜଣଙ୍କ କେରଳ ମଲ୍ଲାପୁରମର ହୋଇଥିବା ବେଳେ ଜୁଲାଇ ୬ ତାରିଖରେ ସେ ୟୁଏଇରୁ ଫେରିଥିଲେ । ତାଙ୍କୁ ଜର ହେବା ପରେ ମଞ୍ଜେରୀ ମେଡିକାଲ୍ କଲେଜରେ ୧୩ ତାରିଖରେ ଭର୍ତ୍ତି କରାଯାଇଥିଲା । ୧୫ ତାରିଖରେ ତାଙ୍କ ଠାରେ ମଙ୍କିପକ୍ସର ଲକ୍ଷଣ ଦେଖା ଯାଇଥିଲା । ଏବେ ତାଙ୍କ ପରିବାର ଓ ନିକଟ ସମ୍ପର୍କରେ ଆସିଥିବା ଲୋକଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଥିବା ସୂଚନା ଦେଇଛନ୍ତି କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ।

୧୦) ଅବିବାହିତ ମହିଳାଙ୍କୁ ଗର୍ଭପାତରୁ ବଞ୍ଚିତ କରାଯାଇପାରିବ ନାହିଁ । ୨୪ ସପ୍ତାହର ଜଣେ ଅବିବାହିତା ଗର୍ଭବତୀଙ୍କୁ ଗର୍ଭପାତ ପାଇଁ ଅନୁମତି ଦେବା ସହ ଏହା କହିଛନ୍ତି ସୁପ୍ରିମକୋର୍ଟ। ଅବିବାହିତ ଗର୍ଭବତୀଙ୍କ ଜୀବନକୁ ବିପଦ ନ ପହଞ୍ଚାଇ କିଭଳି ସୁରକ୍ଷିତ ଭାବେ ଗର୍ଭପାତ କରିପାରିବେ ଏନେଇ AIIMS ମେଡିକାଲ ବୋର୍ଡକୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ରାୟ କହିଛନ୍ତି, ଜଣେ ଅବିବାହିତା ଅବାଞ୍ଛିତ ଗର୍ଭଧାରଣ ଭୋଗିବା ଆତ୍ମା ବିରୋଧ ଅଟେ ।

୧୧) ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ ଖବର । ଏଣିକି ବୟସ୍କଙ୍କୁ ରେଲୱେ ଦେବନି ରିହାତି । ଲାଗୁ ହେବ ନୂଆ ନିୟମ । ଏଣିକି ବୟସ୍କଙ୍କୁ ଆଉ ମିଳିବନି ରିହାତି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ବୁଧବାର ଦିନ ସଂସଦରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଏନେଇ ସ୍ପଷ୍ଟ କରିଛନ୍ତି । ତେବେ ପୂର୍ବରୁ ସାଧାରଣ ଲୋକଙ୍କୁ ଯାତ୍ରା ସମୟରେ କୌଣସି ପ୍ରକାର ସୁବିଧା ମିଳୁନଥିଲା କିନ୍ତୁ ବୟସ୍କମାନେ ଅର୍ଥାତ୍‌ ୬୦ ବର୍ଷରୁ ଅଧିକ ବ୍ୟକ୍ତିମାନେ ରେଲୱେରେ ଯାତ୍ରା କଲେ ସେମାନଙ୍କୁ ୫୦ ପ୍ରତିଶତ ରିହାତି ମିଳୁଥିଲା।

୧୨) କୋରାପୁଟ ଓ ବଲାଙ୍ଗିରରେ ମଧ୍ୟାହ୍ନ ଭୋଜନ ଦୁର୍ନୀତି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦୁଇ ଜିଲ୍ଲାର ସବୁ CRCCଙ୍କୁ ବଦଳାଇବା ଲାଗି ଗଣଶିକ୍ଷା ବିଭାଗ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋରାପୁଟର ୧୧୪ ଏବଂ ବଲାଙ୍ଗିରର ୮୦ରୁ ଅଧିକ CRCCଙ୍କୁ କାର୍ଯ୍ୟାନ୍ତର କରାଯାଇଛି । ସେହିପରି ୨ ଜିଲ୍ଲାର ମଧ୍ୟାହ୍ନ ଭୋଜନ ବୁଝୁଥିବା ସବୁ DTP ଅପରେଟରଙ୍କୁ ମଧ୍ୟ ଗଣଶିକ୍ଷା ବିଭାଗ କାର୍ଯ୍ୟାନ୍ତର ନିର୍ଦ୍ଦେଶ ଦେଇଛି ।

୧୩) କେନ୍ଦ୍ରାପଡ଼ା ପୌର ପରିଷଦକୁ ଜରିମାନା । ଗୋବରୀ ନଦୀକୁ ପ୍ରଦୂଷିତ କରିଥିବାରୁ ମାସିକ ୧ ଲକ୍ଷ ଟଙ୍କା ହିସାବରେ ୨୮ ମାସକୁ ୨୮ ଲକ୍ଷ ଟଙ୍କା ଫାଇନ ପଡ଼ିଛି । ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍‌ ପକ୍ଷରୁ ଏହି ଜରିମାନା କରାଯାଇଛି । ସହରରୁ ବାହାରୁଥିବା ବର୍ଜ୍ୟବସ୍ତୁ ସହ ଡ୍ରେନ ପାଣି ସିଧାସଳଖ ଗୋବରୀ ନଦୀରେ ପକାଯାଇଥିବାରୁ ଏହି ଫାଇନ ଲଗାଯାଇଛି । କେନ୍ଦ୍ରାପଡା ପୌରପାଳିକା ଗୋବରୀ ନଦୀକୁ ଏକ ଅଘୋଷିତ ଡମ୍ପିଙ୍ଗ୍‌ ୟାର୍ଡ ପରିଣତ କରିଥିବା ଅଭିଯୋଗ ହୋଇଛି ।

୧୪) ଭାରତର ୨ ବୋଲର ଚେତନ ସକାରିଆ ଓ ମୁକେଶ ଚୌଧୁରୀ ଅଷ୍ଟ୍ରେଲିଆରେ ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ଟି-୨୦ ମ୍ୟାକ୍ସ ଟୁର୍ଣ୍ଣାମେଣ୍ଟର ପ୍ରଥମ ସିଜିନରେ ଖେଳିବେ । ଏହି ଦୁଇ ଖେଳାଳି ଆଇପିଏଲ୍ ଖେଳିଥିବା ବେଳେ ପ୍ରଦର୍ଶନ ବେଶ୍ ଭଲ ରହିଥିଲା । ଗତ ଆଇପିଏଲ୍ (IPL) ସଂସ୍କରଣରେ ଉଭୟ ଭଲ ବୋଲିଂ କରିଥିଲେ । ଦୁହେଁ ଗତ ଆଇପିଏଲ୍ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିଲେ ।

୧୫) ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି । ଅଜୟ ଦେବଗନ ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଛନ୍ତି । ତାନାଜି ଫିଲ୍ମ ପାଇଁ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି । ଅଜୟ ଦେବଗନଙ୍କ ସହ ସୁରିୟାଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତା ପୁରସ୍କାର ଦିଆଯାଇଛି । ଅପର୍ଣ୍ଣା ବାଲମୂରଲୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି ।

 

Leave A Reply

Your email address will not be published.