Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ସିବିଆଇ ସ୍କାନରରେ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ର । ଶିଳ୍ପପତି ମହିମା ମିଶ୍ରଙ୍କ ଘର ଓ ଅଫିସରେ ସିବିଆଇ ଚଢ଼ାଉ କରିଛି । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ଏକକାଳୀନ ଛାନିଭିନ୍ କରୁଛି ସିବିଆଇ ଟିମ୍ । କଟକ ଓଡ଼ିଆ ବଜାର ସ୍ଥିତ ମହିମା ମିଶ୍ରଙ୍କ ଘର ସହ କଟକ ଲିଙ୍କ୍ ରୋଡ୍ ସ୍ଥିତ OSL ଅଫିସରେ ସିବିଆଇ ଟିମ୍ ରେଡ୍ କରିଛି । ପାରାଦୀପ ବଡ଼ପଡ଼ିଆ ସ୍ଥିତ OSL ଅଫିସ୍ ସହ ଏକାଧିକ ସ୍ଥାନରେ ସିବିଆଇ ଚଢ଼ାଉ କରିଛି ।

୨) ଭାରତର ପ୍ରଧାନ ବିଚାରପତି ଏନ.ଭି.ରମଣା ଅଗଷ୍ଟ ୨୬ତାରିଖରେ ଅବସର ନେବେ । ତେବେ ତା ପୂର୍ବରୁ ପରବର୍ତ୍ତୀ ସିଜେଆଇଙ୍କ ନାମ ସୁପାରିସ କରିଛନ୍ତି । ଏଥିରେ ସେ ବରିଷ୍ଠ ବିଚାରପତି ଉଦୟ ଉମେଶ ଲଳିତଙ୍କ ନାମ ସୁପାରିସ କରିଥିବା ଜଣାପଡିଛି । ଜଷ୍ଟିସ୍ ରମଣା ଭାରତର ୪୮ ତମ ସିଜେଆଇ ଥିଲେ । ୨୭ ଅଗଷ୍ଟରେ ନୂଆ ସିଜେଆଇ ଶପଥଗ୍ରହଣ କରିବେ ।

୩) ସିଏଜି ରିପୋର୍ଟରୁ ଧରାପଡ଼ିଥିବା ବ୍ୟାପକ ଅନିୟମିତତାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଜଙ୍ଗଲ, ଜଳସେଚନ ଓ ପୂର୍ତ୍ତ ବିଭାଗକୁ ନେଇ ରିପୋର୍ଟରୁ ଜଣାପଡୁଛି ୨୨ ବର୍ଷ ଧରି ନିର୍ଦ୍ଦିଷ୍ଟ ଗୋଟିଏ ସରକାର ରାଜ୍ୟକୁ ଶାସନ କଲେ ମଧ୍ୟ ଯେଉଁ ଅନିୟମିତତା ହୋଇଛି ତାହା ଅନ୍ୟ ରାଜ୍ୟରେ କେବେ ହୋଇନଥିବ । ଓଡ଼ିଶାରେ ମଧ୍ୟ ପ୍ରଥମ ଥର ଏଭଳି ହୋଇଥିବା ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି ।

୪) ଆସନ୍ତାକାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ । ୭ ତାରିଖରେ ହେବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗଦେବେ ନବୀନ ପଟ୍ଟନାୟକ । ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବେ । ବିଶେଷକରି ଓଡ଼ିଶାକୁ ଫୋକସ ଷ୍ଟେଟ ମାନ୍ୟତା ଦାବି ଉଠାଇବେ ନବୀନ । ଏହା ସହିତ କେନ୍ଦ୍ର ବକେୟା ଅର୍ଥ ଦେବାକୁ ଦାବି ଦୋହରାଇବେ ।

୫) ବୁଷ୍ଟର ଡୋଜ ନେବାକୁ ଆଗ୍ରହ ଦେଖାଉ ନାହାନ୍ତି ଲୋକ । ଏନେଇ ଚିନ୍ତା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ । ଏବେ ସୁଦ୍ଧା ରାଜ୍ୟର ୮୭ ପ୍ରତିଶତ ତଥା ୨ କୋଟି ୮୪ ଲକ୍ଷ ଲୋକ ବୁଷ୍ଟର ଡୋଜ ନେଇନାହାନ୍ତି । କେବଳ ୪୨ ଲକ୍ଷ ୭୦ ହଜାର ୪୮୭ ଲୋକେ ବୁଷ୍ଟର ଡୋଜ ନେଇଛନ୍ତି । ଯାହାକି ମାତ୍ର ୧୩ ପ୍ରତିଶତ । ସେହିପରି ରାଜ୍ୟରେ ୨୫ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେଇନାହାନ୍ତି ।

୬) ଝାରସୁଗୁଡ଼ାରେ ଡାଇରିଆ ଆକ୍ରାନ୍ତ ଅଞ୍ଚଳକୁ ଗସ୍ତ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ l ଝାରସୁଗୁଡା ପୌରାଞ୍ଚଳର ୧୩ ନମ୍ବର ୱାର୍ଡ ଦେବାଡ଼ିହ ଲିଟିପଡାରେ ଗତ ୩୦ ତାରିଖରେ ଝାଡ଼ାବାନ୍ତିରେ ବାପା-ପୁଅଙ୍କ ମୃତ୍ୟୁ ହୋଇଥିଲା l ଗୁରୁବାର ଏହି ପରିବାରକୁ ଭେଟି ସ୍ୱାସ୍ଥ୍ୟମନ୍ତ୍ରୀ ଆର୍ଥିକ ସହାୟତା ରାଶି ଦେବା ସହ ପରିବାରବର୍ଗକୁ ସାନ୍ତ୍ୱନା ଦେଇଛନ୍ତି । ବର୍ତ୍ତମାନ ଗ୍ରାମରେ ସ୍ଥିତି ନିୟନ୍ତ୍ରଣ ଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

୭) ଭୁବନେଶ୍ୱର ଏମ୍ସରେ ଆନ୍ଦୋଳନକୁ ଓହ୍ଲାଇଲେ ଠିକା କର୍ମଚାରୀ । ବିନା କାରଣରେ କର୍ମଚାରୀଙ୍କୁ ଛଟେଇର ପ୍ରତିବାଦ, ମାସରେ ୪ଦିନ ଛୁଟି ଦାବି ଓ ଇପିଏଫ ବାବଦରେ ଟଙ୍କା କାଟ୍ ବିରୋଧରେ ଭୁବନେଶ୍ୱର ଏମ୍ସରେ କାର୍ଯ୍ୟରତ ଠିକା କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଛଟେଇ ହୋଇଥିବା କର୍ମଚାରୀଙ୍କୁ ତୁରନ୍ତ ପୁନଃ ନିଯୁକ୍ତି ସହ ସାଲାରି ସ୍ଲିପ ପ୍ରଦାନ ଦାବିରେ ଠିକା କର୍ମଚାରୀ କାର୍ଯ୍ୟବନ୍ଦ କରି ଏମ୍ସ ସାମ୍ନାରେ ଧାରଣା ଦେଇଛନ୍ତି ।

୮) ଆମେରିକା ବାଚସ୍ପତି ନାନସୀ ପେଲୋସିଙ୍କ ତାଇୱାନ୍ ଗସ୍ତକୁ ନେଇ ଖପ୍ପା ହୋଇଛି ଚୀନ୍ । ଏହାର ରାଗ ସୁଝାଇବା ପାଇଁ ଚୀନ୍ ସେନା ତାଇୱାନ୍ ସୀମାରେ ମିଶାଇଲ୍ ମାଡ଼ କରିଛି । ସୈନ୍ୟ ଅଭ୍ୟାସ ସମୟରେ ତାଇୱାନ୍ର ପାଖାପାଖି ପାଣିରେ ମିଶାଇଲ୍ ପଡ଼ିଥିଲା । ତାଇପେର ରକ୍ଷା ମନ୍ତ୍ରାଳୟ ଏହା ଅଯୌକ୍ତିକ କହିବା ସହିତ କ୍ଷେତ୍ରୀୟ ଶାନ୍ତିକୁ ଭଙ୍ଗ କରୁଥିବା କହିଛି ।

୯) ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁ ନାହିଁ । ତାଇୱାନ ଏବଂ ଚୀନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ମଧ୍ୟ ଏସିଆର ଦୁଇ ଦେଶ ଅଜରବୈଜାନ ଏବଂ ଆର୍ମେନିଆ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଛି । ଅଜରବୈଜାନ ଡ୍ରୋନ ସାହାଯ୍ୟରେ ଆର୍ମେନିଆର ବିଭିନ୍ନ ସ୍ଥାନରେ ବୋମା ମାଡ କରିଛି । ଏହାସହ ନାଗୋର୍ଣ୍ଣୋ-କରାବାଖର ଅନେକ ଅଞ୍ଚଳକୁ କବଜା କରିଛି ।

୧୦) ସିନ୍ଦେ ଗୋଷ୍ଠୀକୁ ବଡ ଝଟକା । ସୁପ୍ରିମକୋର୍ଟ ଗୁରୁବାର ନିର୍ବାଚନ ଆୟୋଗଙ୍କୁ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ଆବେଦନ ଉପରେ କୌଣସି ନିଷ୍ପତ୍ତି ନନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଆବେଦନରେ ସିନ୍ଦେ ସେମାନେ ପ୍ରକୃତ ଶିବସେନା ଓ ତାଙ୍କୁ ନିର୍ବାଚନୀ ସଙ୍କେତ ମିଳୁ ବୋଲି କୁହାଯାଇଥିଲା ।  ପ୍ରଧାନ ବିଚାରପତି ଏନଭି ରମଣା, ଜଷ୍ଟିସ୍ କୃଷ୍ଣା ମୁରାରୀ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ପୀଠ ଏହି ମାମଲାର ଶୁଣାଣି କରିଥିଲେ ।

୧୧) ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସର ଅଡୁଆ ଥମିବାର ନାଁ ନେଉନାହିଁ । ଗୁରୁବାର କଂଗ୍ରେସ ପାର୍ଟିର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ହେରାଲ୍ଡ ହାଉସରେ ଇଡି ଅଧିକାରୀଙ୍କ ସାମ୍ନାରେ ନିଜେ ହାଜର ହୋଇଛନ୍ତି । କଂଗ୍ରେସ ମାଲିକାନାରେ ଥିବା ଖବରକାଗଜ ନ୍ୟାସନାଲ ହେରାଲ୍ଡର ସହ କମ୍ପାନୀ ୟଙ୍ଗ ଇଣ୍ଡିଆର ଅଫିସରେ ଇଡିର ଚଢାଉ ପୁଣି ଥରେ ହୋଇଛି ।

୧୨) ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଦମଦାର୍ ପ୍ରଦର୍ଶନ ଜାରି ରଖିଛି । ଭାରତ ବାରବାଡୋସକୁ ୧୦୦ ରନରେ ମାତ୍ ଦେଇଛି । ଏହି ବିଜୟ ସହ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡା ମହିଳା କ୍ରିକେଟର ସେମିଫାଇନାଲରେ ଏଣ୍ଟ୍ରି କରିଛି । ଗ୍ରୁପ୍-ଏରେ ଅଷ୍ଟ୍ରେଲିଆ ୬ ପଏଣ୍ଟ ସହ ସେମିଫାଇନାଲରେ ପ୍ରବେଶ କରି ସାରିଥିଲା । ଏବେ ଭାରତ ୪ ପଏଣ୍ଟ ସହ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ସ୍ଥାନ ପକ୍କା କରିଛି ।

୧୩) ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଆଉ ଏକ ପଦକ ହାତେଇଛି । ସ୍କ୍ୱାଶରେ ଭାରତର ସୌରଭ ଘୋଷାଲ କାଂସ୍ୟ ଜିତିଛନ୍ତି । ପ୍ରଥମ ଥର ପାଇଁ ସ୍କ୍ୱାଶରେ ଭାରତ ସିଙ୍ଗିଲ ଇଭେଣ୍ଟରେ ପଦକ ପାଇଛି । ଏହି ପଦକ ସହ ଭାରତର ମୋଟ୍ ପଦକ ସଂଖ୍ୟା ୧୫ରେ ପହଞ୍ଚିଛି ।କାଂସ୍ୟ ପଦକ ପାଇଁ ଖେଳାଯାଇଥିବା ଏହି ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ସୌରଭ ଘୋଷାଲ ଓ ଇଂଲଣ୍ଡର ଜେମ୍ସ ବିଲଷ୍ଟ୍ରପ୍ ।

୧୪) ହାଇକୋର୍ଟରେ ଅଭିନେତା ବାବୁଶାନଙ୍କ ଆଗୁଆ ଜାମିନ ଆବେଦନ ମାମଲାର ବିଚାର ହୋଇଛି । ଆଗୁଆ ଜାମିନ ଆବେଦନର କୌଣସି ଆବଶ୍ୟକତା ନ ଥିବା ଦର୍ଶାଇ ହାଇକୋର୍ଟ ମାମଲାର ଅନ୍ତ ଘଟାଇଛନ୍ତି । Crpc ୪୧ରେ ବାବୁସାନ୍ ଙ୍କ ବୟାନ ରେକର୍ଡ କରିଛି ପୋଲିସ । ତଦନ୍ତ ପ୍ରକ୍ରିୟାରେ ବାବୁଶାନ ସହଯୋଗ କରୁଥିବାରୁ ଆଗୁଆ ଜାମିନର ଆବଶ୍ୟକତା ନଥିବା କୋର୍ଟ ଦର୍ଶାଇଛନ୍ତି ।

୧୫) ଅନ୍ୟପଟେ ଅଭିନେତ୍ରୀ ବର୍ଷାପ୍ରିୟଦର୍ଶିନୀଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଛି । ବର୍ଷା, ତାଙ୍କ ଝିଆରୀ ଓ ମାଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି ହାଇକୋର୍ଟ । ଅନୁଭବଙ୍କ ସୁରକ୍ଷାକର୍ମୀଙ୍କୁ ଜାତିଆଣ ଆକ୍ଷେପ ନେଇ ଅଭିଯୋଗ ହୋଇଥିଲା । ମାମଲାରେ ଆଗୁଆ ଜାମିନ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା । ସାଂସଦ ଅନୁଭବଙ୍କ କର୍ମଚାରୀଙ୍କୁ ଜାତିସୂଚକ ଗାଳି ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସର ବର୍ଷାଙ୍କୁ ସମନ କରିଥିଲା ।

Leave A Reply

Your email address will not be published.