Latest Odisha News

ଆମାଜନରେ ଖରାପ ମାନର ପ୍ରେସର କୁକର ବିକ୍ରି: ଏକ ଲକ୍ଷ ଟଙ୍କା ଜରିମନା

ଭୁବନେଶ୍ୱର: ଆମାଜନ ଇ-କମର୍ସ ଓ୍ୱେବସାଇଟରେ ଖରାପ ମାନର ପ୍ରେସର କୁକର ବିକ୍ରି ପାଇଁ ସିସିପିଏ (ସେଣ୍ଟ୍ରାଲ କନଜ୍ୟୁମର ପ୍ରୋଟେକ୍ସନ ଅଥରିଟି) ଆମାଜନ ଉପରେ ଏକ ଲକ୍ଷ ଟଙ୍କା ଜରିମନା ଲଦିଛି । ସିସିପିଏ ମୁଖ୍ୟ ଆମାଜନ ବିରୋଧରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁଥିରେ ଆମାଜନକୁ ଏକ ଲକ୍ଷ ଟଙ୍କା ଜରିମନା ଭରିବାକୁ ହେବ ବୋଲି ଉଲ୍ଲେଖ ରହିଛି ।

ବିଗତ ଦିନରେ ଏକ ନିର୍ଦ୍ଧିଷ୍ଟ କମ୍ପାନୀର ୨୨୬୫ଟି ପ୍ରେସର କୁକର ଆମାଜନ ଇ-କମର୍ସ ସାଇଟ ଜରିଆରେ ବିକ୍ରି ହୋଇଛି । ଏ ସମସ୍ତ ପ୍ରେସର କୁକର ସୁରକ୍ଷା ମାନଦଣ୍ଡ ପୂର୍ଣ୍ଣ କରୁନାହାନ୍ତି । ତେଣୁ ଆମାଜନ ଏ ସମସ୍ତ ପ୍ରେସର କୁକର କିଣିଥିବା ଗ୍ରାହକ ମାନଙ୍କ ଠାରୁ ପ୍ରେସର କୁକର ଫେରସ୍ତ କରି ବଦଳରେ ଟଙ୍କା ଫେରସ୍ତ କରିବାକୁ ସିସିପିଏ ନିର୍ଦ୍ଦେଶ ଦେଇଛି । ଶୀଘ୍ର ଏହି କାର୍ଯ୍ୟ ସାରିବାକୁ ଆମାଜନକୁ ନିର୍ଦ୍ଦେଶ ଦିଆଯାଇଛି ।

ଏ ସମସ୍ତ ୨୨୬୫ଟି ପ୍ରେସର କୁକର ବିକ୍ରି କରି ୬ ଲକ୍ଷ ୧୪ ହଜାର ୮୨୫.୪୧ ଟଙ୍କା କମିଶନ ମିଳିଛି । ସିସିପିଏଙ୍କ ନିକଟରେ ଆମାଜନ ସ୍ୱୀକାର କରିଛି ଯେ, ପ୍ରେସର କୁକର ବିକ୍ରି କରିବା ଦ୍ୱାରା ଆମାଜନକୁ ବିକ୍ରି କିମାନ ମଧ୍ୟ ମିଳିଛି । ସେହି ଆଧାରରେ ଏହି ଘଟଣାରେ ଆମାଜନ ମଧ୍ୟ ଦୋଷୀ । ତେଣୁ ଆମାଜନ ଉପରେ ଏକ ଲକ୍ଷ ଟଙ୍କାର ଜରିମନା ଦଣ୍ଡବିଧାନ ହୋଇଛି ।

ସମସ୍ତ ୨୨୬୫ଟି ପ୍ରେସର କୁକର କିଣିଥିବା ଗ୍ରାହକଙ୍କୁ ଯୋଗାଯୋଗ କରି ସେମାନଙ୍କ ଠାରୁ ଜିନିଷ ଫେରସ୍ତ ଆଣିବାକୁ ୪୫ ଦିନ ସମୟ ଦିଆଯାଇଛି । ଏଥି ସହ ଏକ ସବିଶେଷ ରିପୋର୍ଟ ମଧ୍ୟ ଦାଖଲ କରିବାକୁ ସିସିପିଏ ଆମାଜନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ପେଏଟିଏମ ମଲ୍ ବିରୋଧରେ ମଧ୍ୟ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ଏବଂ ଏକ ଲକ୍ଷ ଟଙ୍କା ଜରିମନା ଦଣ୍ଡବିଧାନ ହୋଇଛି ।

Leave A Reply

Your email address will not be published.