Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ବର୍ଷାରେ ବେହାଲ୍ ଓଡ଼ିଶା । ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗିରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସହ, ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ପ୍ରଭାବରେ ପ୍ରବଳ ବର୍ଷା ହେବାକୁ ଥିବାବେଳେ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଚେତାବନୀ ଜାରି କରାଯାଇଛି l

୨) ଅନ୍ୟପଟେ ଆଜି ସକାଳୁ ଲାଗି ରହିଥିବା ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ଜଟଣୀ ଅଣ୍ଡରପାସରେ ୫ ଫୁଟର ପାଣି ଆସିବାରୁ ଏକ ‘ମୋ ବସ୍’ ବୁଡ଼ି ଯାଇଛି । ଏହି ‘ମୋ ବସ୍’ କର୍ମଚାରୀଙ୍କ ସହ କିଛି ଯାତ୍ରୀ, ପହଁରି ପହଁରି ବାହାରକୁ ଆସିଥିଲେ । ଆଜିଠୁ ୧୦ ତାରିଖ ଯାଏ ରାଜ୍ୟର ବହୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

୩) ପାରାଦୀପ ବନ୍ଦରରେ ଲାଞ୍ଚ କାରବାର ମାମଲାରେ ବଢ଼ୁଛି ଗିରଫଦାରୀ । ଶିଳ୍ପପତି ଚର୍ଚ୍ଚିତ ମିଶ୍ରଙ୍କୁ ସିବିଆଇ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି । ଲାଞ୍ଚ କାରବାର ମାମଲାରେ ଆଜି ସିବିଆଇରେ ହାଜର ହୋଇଥିଲେ ଚର୍ଚ୍ଚିତ ମିଶ୍ର । ଦୀର୍ଘ ସମୟ ଜେରା ପରେ ତାଙ୍କୁ ସିବିଆଇ ଗିରଫ କରିବା ସହ ୪ ଦିନିଆ ରିମାଣ୍ଡରେ ନେଇଛି । ଆସନ୍ତା ୧୦ ତାରିଖ ଦିନ ୨ଟାରେ ଚର୍ଚ୍ଚିତଙ୍କୁ କୋର୍ଟରେ ସିବିଆଇ ହାଜର କରିବ । ତାଂକ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଡାଏଟ୍ ଓ ଔଷଧ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

୪) ଅନ୍ୟପଟେ ସିବିଆଇରେ ଆଜି ପୁଣି ଥରେ ହାଜର ହୋଇଛନ୍ତି ମହିମା ମିଶ୍ର ଓ ତାଙ୍କ ବଡ଼ ପୁଅ ଚନ୍ଦନ ମିଶ୍ର । ମାମଲାରେ ପୂର୍ବରୁ ସିବିଆଇ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ୍ ଇଞ୍ଜିନିୟର, କେସିଟି ଗ୍ରୁପର ପୋର୍ଟ୍ ମ୍ୟାନେଜର, ଓଏସ୍ଏଲର ଡିଜିଏମଙ୍କ ସହ ଜଣେ ଠିକାଦାରଙ୍କୁ ଗିରଫ କରିଥିଲା । ଆଜି ବିଲ୍ଡର ଶିଶିର କୁମାର ଦାସଙ୍କ ସହ ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରିଛି । ଲାଞ୍ଚ ମାମାଲରେ ସିବିଆଇ, ଏଯାବତ୍ ୮୪ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ।

୫) ବଡ଼ଧରଣର ଜିଏସଟି ଠକେଇ ଅଭିଯୋଗ ଆଧାରରେ ବୌଦ୍ଧର ବିଭିନ୍ନ ସ୍ଥାନରେ ଜିଏସଟିର ୧୨ଟି ଟିମ୍ ରେଡ୍ କରିଛି । ଶ୍ରୀ ବିନାୟକ ଟେକ୍ସଟାଇଲ ଏବଂ ସିଂଘଲ ଏଣ୍ଡ ସିଂଘଲ ଟେକ୍ସଟାଇଲରେ, ସମ୍ବଲପୁର ଜିଏସଟି ଟିମ୍ ପକ୍ଷରୁ ଚଢ଼ାଉ ହୋଇଛି । ନଗଦ ୫ କୋଟି ୬୮ ଲକ୍ଷ ଟଙ୍କା ସହ ବହୁ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି । ବୌଦ୍ଧ ସହର ସ୍ଥିତ ଶ୍ରୀ ବିନାୟକ ଟେକ୍ସଟାଇଲ ଏବଂ ସିଂଘଲ ଏଣ୍ଡ ସିଂଘାଲ ଟେକ୍ସଟାଇଲରେ ବ୍ୟାପକ ଜିଏସଟି ଠକେଇ ହୋଇଥିବା ଅଭିଯୋଗ ଆସିଥିଲା ।

୬) ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ ତାରିଖ ଘୋଷଣା ହୋଇଛି । ୮ ତାରିଖ ଅପରାହ୍ଣ ୪ଟାରେ ପ୍ରକାଶ ପାଇବ ପରିକ୍ଷା ଫଳ । orissaresults.nic.in ୱେବସାଇଟ୍ ମାଧ୍ୟମରେ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ରାଜ୍ୟରେ ଚଳିତବର୍ଷ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷା ଦେଇଥିଲେ ।

୭) ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ୍ ଘାଟମାଲ ଅଞ୍ଚଳରେ ବାଘ ଆତଙ୍କ । କିଛି ଦିନ ହେବ ୪ଟି ବାଘ ବୁଲୁଥିବାର ନଜର ଆସିଛି । ଯାହାକୁ ନେଇ ପାଖାପାଖି ୯ଟି ଗାଁର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସୁନାବେଡା ଅଭୟାରଣ୍ୟ ପାଟଧରା ଜଙ୍ଗଲକୁ ଲାଗି ଉପାନ୍ତ ଅଞ୍ଚଳ ଘାଟମାଲ, ବଡମଲା, ପର୍ରିପାନି, ଯୋଗଭଟା ଭଳି ଅନେକ ଗାଁରେ ବାଘକୁ ନେଇ ଆତଙ୍କ ଲାଗି ରହିଛି । ସିନାପାଲି ବନ ବିଭାଗ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି କ୍ୟାମେରା ଲଗାଇବା ସହ ସ୍ଥିତି ଅନୁଧ୍ୟାନ କରୁଛି ।

୮) ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ମାଓବାଦୀମାନେ ପାଳନ କରିଛନ୍ତି ସହିଦ ସପ୍ତାହ । ଶତାଧିକ ନକ୍ସଲ ହାତରେ ବନ୍ଧୁକ ଧରି ବିରାଟ ଶୋଭାଯାତ୍ରା କରିଛନ୍ତି । ନିକଟରେ ବିଏସଏଫ କ୍ୟାମ୍ପ୍ ରହିଥିଲେ ମଧ୍ୟ ଏହାକୁ ଖାତିର ନକରି ନକ୍ସଲମାନେ ଗାଁରେ ଆସି ସହିଦ ସ୍ତମ୍ଭ ନିର୍ମାଣ କରି ମୃତ ସାଥୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ନକ୍ସଲପନ୍ଥୀଙ୍କ ଏହି ସହିଦ ଦିବସରେ ଶହ ଶହ ଆଦିବାସୀ ଲୋକେ ମଧ୍ୟ ସାମିଲ୍ ହୋଇଥିଲେ ।

୯) କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ । ଡାକ୍ତରଖାନାରେ ଆଜି ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତକ ହେଲେ ପିପଲପଦର ପଞ୍ଚାୟତ ମୁସପାଲି ଗାଁର ଅପା କୁଲେସିକା । ଶୁକ୍ରବାର ରାତିରେ ଝାଡ଼ାବାନ୍ତି ହେବାରୁ ପରିବାର ଲୋକ କେସ୍କାପାଡି ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

୧୦) ରବିବାର ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ । ଶାହ ରବିବାର ରାତି ୧୦ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ୮ ତାରିଖ ସକାଳୁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ । ପରେ କଟକରେ ଅମୃତ ମହୋତ୍ସବ ଅବସରରେ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଜନ୍ମସ୍ଥାନ ପରିଦର୍ଶନ କରିବେ । ଏହାସହ ହରେକୃଷ୍ଣ ମହତାବଙ୍କ ଦ୍ୱାରା ସ୍ଥାପିତ ‘ପ୍ରଜାତନ୍ତ୍ର’ ଖବରକାଗଜର ୭୫ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

୧୧) ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ମତଦାନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ଦଳର ସାଂସଦମାନେ ମତଦାନ କରିଛନ୍ତି । ପୂର୍ବାହ୍ନ ୧୦ଟାରେ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ଅପରାହ୍ଣ ୫ଟାରେ ସରିବା ପରେ ଭୋଟ୍ ଗଣନା ଚାଲିଛି । ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡଙ୍କ ସହ ମିଳିତ ବିରୋଧୀ ଦଳଙ୍କ ପ୍ରାର୍ଥୀ ମାର୍ଗାରେଟ୍ ଆଲଭାଙ୍କ ପ୍ରତିଦ୍ୱନ୍ଦ୍ୱିତା ହେଉଛି ।

୧୨) ବିହାରର ରାଜଧାନୀ ପାଟଣାରେ ବଡ ଧରଣର ବିସ୍ଫୋରଣ । ଗଙ୍ଗାନଦୀରେ ଏକ ଡଙ୍ଗାରେ ଗ୍ୟାସ୍ ବିସ୍ଫୋରଣ ହୋଇଛି । ଏଥିରେ ୪ ଜଣ ପ୍ରାଣ ହରାଇଛନ୍ତି । ଏହାସହ ଅନେକ ଆହତ ହୋଇଛନ୍ତି । ଡଙ୍ଗାରେ ପ୍ରାୟ ୨୦ ଜଣ ଯାତ୍ରୀ ଥିଲେ । ସୂଚନା ପାଇବା ପରେ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

୧୩) ଚୀନ ଓ ତାଇୱାନ ମଧ୍ୟରେ ସଙ୍କଟ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି । ଏହାମଧ୍ୟରେ ତାଇୱାନକୁ ଏକ ବଡ ଝଟକା ଲାଗିଛି । ତାଇୱାନର ମିସାଇଲ ଡେଭଲପମେଣ୍ଟ ମୁଖ୍ୟ ଅଧିକାରୀଙ୍କ ମୃତଦେହ ଏକ ହୋଟେଲରୁ ମିଳିଛି । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ହୋଇପାରିନାହିଁ । ଚୀନ ଲଗାତର ଭାବେ ତାଇୱାନକୁ ଘେରିବା ସହ ସୀମାରେ ସମରାଭ୍ୟାସ କରୁଥିବା ବେଳେ ମିସାଇଲ ଡେଭଲପମେଣ୍ଟ ମୁଖ୍ୟ ଅଧିକାରୀଙ୍କ ମୃତ୍ୟୁକୁ ନେଇ ଚିନ୍ତା ବଢ଼ିଛି ।

୧୪) ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ । ସାକ୍ଷୀ ମଲ୍ଲିକ ଜିତିଛନ୍ତି ସ୍ୱର୍ଣ୍ଣ । ୬୨କେଜି ବର୍ଗ ମହିଳା କୁସ୍ତିରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହାପୂର୍ବରୁ ଶୁକ୍ରବାର ସ୍ବର୍ଣ୍ଣ ଜିତିଥିଲେ ବଜରଙ୍ଗ ପୁନିଆ । ମହିଳା ରେସ ୱାକର ପ୍ରିୟଙ୍କା ଗୋସ୍ୱାମୀ, ୧୦ ହଜାର ମିଟର ରେସରେ ରୌପ୍ୟ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି । ଶନିବାର ଭାରତର ଦୁଇ ରେସଲର୍-ଦିନେଶ ଫୋଗଟ ଓ ପୂଜା ସେହାଗ ସେମାନଙ୍କ ବିଭାଗର ଫାଇନାଲରେ ପ୍ରବେଶ କରି ଭାରତ ପାଇଁ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି ।

୧୫) ବଲିଉଡ ଅଭିନେତା ବିକି କୌଶଲ-କ୍ୟାଟ୍ରିନା, ଇଣ୍ଡଷ୍ଟ୍ରିର ଲଭେବୁଲ୍ କପଲ୍ । ବିକି ବର୍ତ୍ତମାନ ତାଙ୍କ ଫିଲ୍ମ ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି । ତାଙ୍କ ହାତରେ ଏବେ ବହୁତ ପ୍ରୋଜେକ୍ଟ । ବର୍ତ୍ତମାନ ତାଙ୍କ ପରିଚୟ ଦେବାର କୌଣସି ଆବଶ୍ୟକତା ନାହିଁ । କାରଣ ସେ ନିଜର ଦକ୍ଷ ଅଭିନୟ ପାଇଁ ଲୋକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛନ୍ତି । ଏବେ ବଡ ବଡ ନିର୍ଦ୍ଦେଶକମାନେ ବିକିଙ୍କୁ ସେମାନଙ୍କ ଫିଲ୍ମରେ କାଷ୍ଟ କରିବାକୁ ଚାହୁଁଛନ୍ତି। ଏଥିସହିତ ସେ ଓଟିଟି ଦୁନିଆରେ ପାଦ ଦେବାକୁ ଯାଉଛନ୍ତି ।

Leave A Reply

Your email address will not be published.