Latest Odisha News

BREAKING NEWS

ଘୂର୍ଣ୍ଣିବଳୟ ସକ୍ରିୟ, କାଲିଠୁ ଲଘୁଚାପ; ୧୦ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବର୍ଷିଲା, ଭସେଇଲା, ବୁଡ଼େଇଲା । ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ଟ୍ୱିନସିଟି କଟକ ଓ ଭୁବନେଶ୍ୱରର ତଳିଆ ଅଞ୍ଚଳରେ ପାଣି ପଶିଛି । ଭୁବନେଶ୍ୱର ଇସ୍କନ ମନ୍ଦିର ସମ୍ମୁଖ ଜଳବନ୍ଦୀ ହୋଇଥିବା ବେଳେ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଘରେ ପାଣି ପଶିଛି ।

ସେପଟେ ଜଟଣୀରେ ଅଣ୍ଡରପାସ୍ ନିକଟରେ ୧୫ ଫୁଟର ପାଣି ଯୋଗୁଁ ଫସିଯାଇଛି ମୋ ବସ୍ । ଜୀବନ ବିକଳରେ ଯେଣେତେଣ ପ୍ରକାରେ ମୋ ବସ୍ କର୍ମଚାରୀ ଓ କିଛି ଯାତ୍ରୀ ପହଁରି ପହଁରି ଆସିଛନ୍ତି । ପାଣି ଯୋଗୁଁ ଜଟଣୀ-ପିପିଲି ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଆସନ୍ତାକାଲିଠୁ ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ଆଜିଠୁ ବର୍ଷା ବଢ଼ିଛି । ୬ରୁ ୧୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଗାମୀ ୨୪ ଘଣ୍ଟାରେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ମାଲକାନଗିରି, ବୌଦ୍ଧ ଓ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ନୂଆପଡ଼ା, ସୋନପୁର, ବରଗଡ଼, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ବର୍ଷା ପାଇଁ ୧୧ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.