Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ରାଜ୍ୟରେ ଆହୁରି ୪ ଦିନ ଏମିତି ବନ୍ୟା ସ୍ଥିତି ଲାଗି ରହିବ । ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ସେ ଆହୁରି କହିଛନ୍ତି ଯେ, ଏହି ବନ୍ୟା ଦ୍ୱାରା ମହାନଦୀ ସିଷ୍ଟମରେ ମଙ୍ଗଳବାର ଦୁଇଟି ଘାଇ ହୋଇଥିଲା । ବୁଧବାର ଆଉ ଦୁଇଟି ଘାଇ ହୋଇଛି । ଏବେ ଯାଏ ମୋଟ ୪ଟି ଘାଇ ହୋଇଛି । ୨୦୧୧ ପରେ ରାଜ୍ୟରେ ଏଭଳି ବନ୍ୟା ହୋଇଛି ।

୨) ବନ୍ୟା ଦ୍ୱାର କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଜଗତସିଂହପୁର କୁଜଙ୍ଗ ବ୍ଲକ କାଠ କୋଟ ନିକଟ ପାଇକା ନଦୀରେ ୫୦ ଫୁଟର ଘାଇ ଦେଖିବାକୁ ମିଳିଛି । ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି । ୩ ଶହରୁ ଊର୍ଦ୍ଧ୍ୱ ପରିବାର ଜଳ ବନ୍ଦୀ ହୋଇ ରହିଛନ୍ତି । ତେବେ ଘାଇ ନିକଟରେ ଏକ କୁମ୍ଭୀର ଦେଖିବାକୁ ମିଳିଥିବାରୁ ଲୋକମାନେ ଭୟଭୀତ ରହିଛନ୍ତି ।

୩) ପୁରୀ କାଠପୋଲରୁ ବାହାରିଥିବା ଭାର୍ଗବୀ ନଦୀର ଏକ ନଳା ଦେଇ ପ୍ରବାହ କରୁଥିବା ବନ୍ୟାଜଳ ଜନବସତିକୁ ଜଳବନ୍ଦୀ କରି ଦେଇଛି । ତଳଜଙ୍ଗ କର୍ପୁର ହରିଚନ୍ଦନପୁର ରାସ୍ତାର ସରବନ୍ଧ ଠାରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି । ଏହି ଘାଇଦେଇ ଭାର୍ଗବୀ ବନ୍ୟାଜଳ ଗ୍ରାମାଞ୍ଚଳରେ ପ୍ରବେଶ କରୁଛି । ପୁରୀ ସଦର ବ୍ଲକ୍ ଉତ୍ତରକୋଣା ସହ ନୂଆ ଗାଁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

୪) ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ପରେ ରାଜୁଆ ନଦୀ ଫୁଲୁଛି । ଏହାର ପ୍ରଭାବରେ ରାଜୁଆର ପଛୁଆ ପାଣି ଖୋର୍ଦ୍ଧା ବ୍ଲକ ନରଣଗଡ଼ ଏବଂ ଓରବରସିଂହ ପଞ୍ଚାୟତର ୧୦ରୁ ଅଧିକ ଗାଁ ପାଣି ଘେରରେ ରହିଛି । ଓରବରସିଂହ ପଞ୍ଚାୟତର ହିରିମୂଳ, ଡିହଖଳା, ଦୁର୍ଗାପୁର ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଗ୍ରାମବାସୀଙ୍କ ଯାତାୟାତ ଲାଗି ପ୍ରଶାସନ ପକ୍ଷରୁ ଡଙ୍ଗା ପଡିଛି । ଏକର ଏକର ଚାଷ ଜମି ଜଳମଗ୍ନ ରହିଛି ।

୫) ଗତ ୧୦ ତାରିଖ ପରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ବନ୍ୟା ସ୍ଥିତି ଉପୁଜିଛି । ଏହାର ପ୍ରଭାବ ପଡ଼ିଛି ରାଜ୍ୟର ପରିବା ବଜାର ଉପରେ । ୨ ଦିନ ହେବ ପରିବା ଦରରେ ଏକ ପ୍ରକାର ନିଆଁ ଲାଗିଛି । ପ୍ରାୟ ସବୁ ପରିବା ଦର ୬୦ ଟଙ୍କା ଉପରେ । ଏହା ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି । ବନ୍ୟା ଯୋଗୁ ଫସଲ ହାନି ହେବା ଆଶଙ୍କା ରହିଛି । ତେଣୁ ଆଗକୁ ଦର ଆହୁରି ବଢ଼ିପାରେ ।

୬) ଅଗଷ୍ଟ ୧୯ରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ହେବ । ୧୯ରେ ପ୍ରବଳ ବର୍ଷା ହେବ । ୨୦ରେ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ରହିବ । ମୁଖ୍ୟତଃ ଉପକୂଳରେ ବର୍ଷା ଜାରି ରହିବ ବୋଲି ଆକଳନ ହୋଇଛି । ଆଉ ୨୧ ବେଳକୁ ବର୍ଷା କମିଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବର୍ଷା ନେଇ ୨୦ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।

୭) ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ ଏମଡି । କୋରାପୁଟ ବନ୍ଧୁଗାଁ ବ୍ଲକ୍ ଆଲମଣ୍ଡା ଲ୍ୟାମ୍ପର ଏମଡି ଆର ରାମାକ୍ରିଷ୍ଣା ଧାନ ଚାଷୀଙ୍କଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଖରିଫ ଋତୁରେ ଚାଷୀଙ୍କ ନାମ ପଞ୍ଜିକରଣ ପାଇଁ ଲାଞ୍ଚ ନେଉଥିବା ବେଳେ ଏମଡି ଧରାପଡିଛନ୍ତି । ଲ୍ୟାମ୍ପ୍ ଏମଡିଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଥିବା ଜୟପୁର ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

୮) ଯୁକ୍ତ ୨ ନାମଲେଖା ପାଇଁ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି । ୨୦୨୨-୨୩ ଶିକ୍ଷାବର୍ଷରେ ଯୁକ୍ତ ୨ ପ୍ରଥମ ବର୍ଷ ଶ୍ରେଣୀରେ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି । ବିଜ୍ଞାନ ଓ ବାଣିଜ୍ୟରେ କଟକ ସ୍ଥିତ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ କଳାରେ କୃଷ୍ଣପ୍ରସାଦ ସ୍ଥିତ କନ୍ଦାଖାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଟ୍ ଅଫ୍ ମାର୍କ ସର୍ବାଧିକ ରହିଛି । ସେପ୍ଟେମ୍ବର ୨ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତାଲିକା ।

୯) ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କର ସୁରକ୍ଷାରେ ତ୍ରୁଟି ଯୋଗୁ ତିନି କମାଣ୍ଡୋକୁ ବରଖାସ୍ତ କରିଛନ୍ତି କେନ୍ଦ୍ର ସରକାର । ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଅଜିତ ଡୋଭାଲ୍ଙ୍କର ସୁରକ୍ଷାରେ ତ୍ରୁଟି ହୋଇଥିଲା । ଏବେ ଏହି ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ମିଳିଥିବା ସୂଚନା ଅନୁସାରେ ଡୋଭାଲଙ୍କର ସୁରକ୍ଷା ସହ ଜଡ଼ିତ ଥିବା ଡେପୁଟି ଇନ୍ସ୍ପେକ୍ଟର ଜେନେରାଲ(ଡିଆଇଜି) ଓ ଭିଆଇପି ସିକ୍ୟୁରିଟି କମାଣ୍ଡାଣ୍ଟକୁ ବଦଳି କରିଦିଆାଯାଇଛି ।

୧୦) ବିଜେପି ସଂସଦୀୟ ବୋର୍ଡ ଏବଂ କେନ୍ଦ୍ରୀୟ ନିର୍ବାଚନ କମିଟିର ପୁର୍ନଗଠନ କରିଛି । ସଂସଦୀୟ ବୋର୍ଡରେ ପରିବର୍ତ୍ତନ କରାଯାଇ ନୀତିନ ଗଡକରୀ ଏବଂ ଶିବରାଜ ସିଂହ ଚୌହ୍ଵାନଙ୍କୁ ଏଥିରୁ ହଟାଇ ଦିଆଯାଇଛି । ଏହା ବ୍ୟତୀତ ୧୫ ଜଣିଆ କେନ୍ଦ୍ରୀୟ ନିର୍ବାଚନ କମିଟିରେ ମଧ୍ୟ ଏହି ନେତାଙ୍କୁ ସ୍ଥାନ ମିଳିନି । ଅନ୍ୟପଟେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସଙ୍କୁ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିରେ ସାମିଲ୍ କରାଯାଇଛି ।

୧୧) ମୋଦି ସରକାର କୃଷକଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ବୁଧବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ କମ ଅବଧିର ଋଣ ପରିଶୋଧ ପାଇଁ କୃଷକଙ୍କ ପାଇଁ ଇଣ୍ଟରେଷ୍ଟ ସବଭେସନ ସ୍କିମ ଜାରି କରିଛନ୍ତି । ଅର୍ଥାତ ଯେଉଁ କୃଷକ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ଵଳ୍ପ ଅବଧିର ଋଣ ନେଇଛନ୍ତି, ସେମାନଙ୍କ ସୁଧରେ ୧.୫ ପ୍ରତିଶତ ଛାଡ କରାଯିବ ।

୧୨) ଦକ୍ଷିଣ କୋରିଆ ଓ ଆମେରିକାର ସମରାଭ୍ୟାସ ଚାଲିଥିବା ଥିବା ବେଳେ ଉତ୍ତର କୋରିଆ ସମୁଦ୍ର ଭିତରେ ଦୁଇଟି ମିସାଇଲ୍ ପରୀକ୍ଷଣ କରିଛି । ଚଳିତ ମାସ ଆରମ୍ଭରୁ ଉତ୍ତର କୋରିଆର ଏହା ପ୍ରଥମ ପରୀକ୍ଷଣ ବୋଲି ଦକ୍ଷିଣ କୋରିଆ କହିଛି । ଦକ୍ଷିଣ କୋରିଆର ଜଣେ ସେନା କହିଛନ୍ତି “ଆଜି ସକାଳେ ଅଙ୍କନରୁ ଦକ୍ଷିଣ ପୋଙ୍ଗାୟାଙ୍ଗ ଅଞ୍ଚଳର ପଶ୍ଚିମ ସମୁଦ୍ରକୁ ଉତ୍ତର କୋରିଆ ଦୁଇଟି କ୍ରୁସ ମିସାଇଲ୍ ପରୀକ୍ଷଣ କରିଛି ।

୧୩) ବୁଧବାର ଦିନ ସୁପ୍ରିମକୋର୍ଟରେ ଫିଫା ମାମଲାର ଶୁଣାଣି ହୋଇଛି । ଅଲ୍ ଇଣ୍ଡିଆ ଫୁଟବଲ ଫେଡେରସନକୁ ନିଲମ୍ବିତ କରିବା ପ୍ରସଙ୍ଗରେ ଫିଫା ସହିତ କଥା ହେବାକୁ କେନ୍ଦ୍ରକୁ କହିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି, ଅକ୍ଟୋବରରେ ହେବାକୁ ଥିବା ଅଣ୍ଡର-୧୭ ମହିଳା ବିଶ୍ୱକପ୍ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଭାରତରେ ଆୟୋଜନ ଭାରତରେ ହିଁ ହେଉ । ଏହାଦ୍ୱାର ଆମକୁ ଆଗାମୀ ଦିନରେ ଭଲ ଫାଇଦା ମିଳିବ ।

୧୪) ଐତିହାସିକ ଓଡ଼ିଆ ଚଳଚ୍ଚିତ୍ର ‘ମହର୍ଷି’ର ଟ୍ରେଲର ରିଲିଜ୍ ହୋଇଯାଇଛି । ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଚଳଚ୍ଚିତ୍ରର ଟ୍ରେଲର ଦର୍ଶକଙ୍କ ସାମ୍ନାକୁ ଆସିଛି । ପାଇକ ବିଦ୍ରୋହର ମହାନ୍ ବୀରତ୍ୱ, ଦେଶପ୍ରେମ ଓ ସାହସର ପ୍ରତୀକ ତଥା ମୁଖ୍ୟ କର୍ଣ୍ଣଧାର ଜୟୀ ରାଜଗୁରୁଙ୍କ ଜୀବନ କାହାଣୀ ଉପରେ ର୍ନିମିତ ହୋଇଛି ଏହି ଚଳଚ୍ଚିତ୍ର । ଯାହା ଆସନ୍ତା ସେପ୍ଟେମ୍ବର ମାସରେ ପ୍ରେକ୍ଷାଳୟକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.