ସେନାକୁ ରାଜନୀତିକୁ ଟାଣିବା ସମ୍ପୂର୍ଣ୍ଣ ଅନୁଚିତ; ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପରୋକ୍ଷରେ ଟାର୍ଗେଟ୍ କଲେ ଏମ.ଏମ. ନରବଣେ
ନୂଆଦିଲ୍ଲୀ: ଭାରତୀୟ ସେନାର ପୂର୍ବତନ ମୁଖ୍ୟ ଜେନେରାଲ୍ ଏମ୍.ଏମ୍. ନରବଣେ (ଅବସରପ୍ରାପ୍ତ) ନିଜର ଅପ୍ରକାଶିତ ଆତ୍ମଜୀବନୀ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ (Four Stars of Destiny) କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ଶେଷରେ ମୁହଁ ଖୋଲିଛନ୍ତି। ଏକ ସାକ୍ଷାତକାରରେ ସେ ସ୍ପଷ୍ଟ କରିଛନ୍ତି ଯେ ୨୦୨୦ ମସିହାରେ ଚୀନ୍ ସହ ଏଲଏସି (LAC) ରେ ସୃଷ୍ଟି ହୋଇଥିବା ଚରମ ବିବାଦ ସମୟରେ ଭାରତ ସରକାର ତାଙ୍କୁ କଦାପି ଏକୁଟିଆ ଛାଡ଼ି ନଥିଲେ। ନିଜର ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ତାଙ୍କୁ ଏବଂ ସଶସ୍ତ୍ର ବାହିନୀକୁ ରାଜନୀତି ଭିତରକୁ ଟାଣିବା ସମ୍ପୂର୍ଣ୍ଣ ଅନୁଚିତ ବୋଲି ସେ ଦୃଢ଼ ନିନ୍ଦା କରିଛନ୍ତି।
କ’ଣ ଥିଲା ବିବାଦ?
କିଛି ମାସ ପୂର୍ବେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସଂସଦରେ ଜେନେରାଲ ନରବଣେଙ୍କ ଏହି ଅପ୍ରକାଶିତ ପୁସ୍ତକର କିଛି ଅଂଶକୁ ଉଦ୍ଧାର କରି ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ପୁସ୍ତକରେ ଉଲ୍ଲେଖ ଥିଲା ଯେ, ରେଚିନ୍ ଲା (Rechin La) ପାସ୍ ନିକଟରେ ଚୀନ୍ ସୈନିକଙ୍କ ସହ ମୁହାଁମୁହିଁ ସ୍ଥିତି ବେଳେ ନରବଣେ ସରକାରଙ୍କଠାରୁ ନିର୍ଦ୍ଦେଶ ମାଗିଥିଲେ। ସେତେବେଳେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ତାଙ୍କୁ କହିଥିଲେ, “ଯାହା ଉଚିତ ମଣୁଛ, ତାହା କର”। ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ସଙ୍କଟ ସମୟରେ ସରକାର ସେନାକୁ ଏକୁଟିଆ ଛାଡ଼ିଦେଇଥିଲେ ଏବଂ ନିଜର ଦାୟିତ୍ୱରୁ ଓହରି ଯାଇଥିଲେ।
ନରବଣେଙ୍କ ସ୍ପଷ୍ଟୀକରଣ:
ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇ ପୂର୍ବତନ ସେନାଧ୍ୟକ୍ଷ କହିଛନ୍ତି ଯେ, ବହିରେ ଏପରି କୌଣସି କଥା ନାହିଁ ଯାହାକୁ ନେଇ ଏତେ ହଟଚମଟ ସୃଷ୍ଟି କରାଯିବ। ସେ କହିଛନ୍ତି, “ସରକାର ମୋତେ ସମ୍ପୂର୍ଣ୍ଣ ସମର୍ଥନ ଦେଇଥିଲେ। ଯଦି ପରିସ୍ଥିତି ବିଗିଡ଼ିଥାନ୍ତା, ତେବେ ଚୀନ୍ ସୈନିକଙ୍କ ଉପରକୁ ଗୁଳି ଚଳାଇବା ପାଇଁ ମଧ୍ୟ ମୋ ପାଖରେ ପୂର୍ଣ୍ଣ କ୍ଷମତା ଏବଂ ସରକାରଙ୍କ ଅନୁମତି ଥିଲା।”
ଜଣେ ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କ ସ୍ଥିତିକୁ ବର୍ଣ୍ଣନା କରି ସେ କହିଛନ୍ତି, “ସେ ଜଣେ ସିଇଓ ହୁଅନ୍ତୁ କିମ୍ବା ଗୋଟିଏ ଦେଶର ନେତା, ଶୀର୍ଷରେ ଥିବା ବ୍ୟକ୍ତି ସର୍ବଦା ଏକୁଟିଆ ନିଷ୍ପତ୍ତି ନିଅନ୍ତି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣଙ୍କୁ ସମସ୍ତେ ଛାଡ଼ିଦେଇଛନ୍ତି। ପୂରା ଦେଶ ଏବଂ ପୂରା ସେନା ଆପଣଙ୍କ ପଛରେ ଦୃଢ଼ ଭାବେ ଛିଡ଼ା ହୋଇଥାଏ।”
ଏହି ବିବାଦ ମଧ୍ୟରେ ଜେନେରାଲ ନରବଣେଙ୍କର ଏକ ନୂଆ ବହି ଆସିବାକୁ ଯାଉଛି, ଯାହାର ନାମ ରହିଛି ‘ଦି କ୍ୟୁରିଅସ୍ ଆଣ୍ଡ ଦି କ୍ଲାସିଫାଏଡ୍: ଅନଆର୍ଥିଂ ମିଲିଟାରୀ ମିଥ୍ସ ଆଣ୍ଡ ମିଷ୍ଟ୍ରିଜ୍’ (The Curious and the Classified: Unearthing Military Myths and Mysteries)। ବୁଧବାର ଦିନ ପ୍ରକାଶକ ରୁପା ପବ୍ଲିକେସନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପ୍ରକାଶକଙ୍କ ଅନୁଯାୟୀ, ଏହି ବହିରେ ଭାରତୀୟ ସ୍ଥଳସେନା, ନୌସେନା ଏବଂ ବାୟୁସେନା ସହ ଜଡ଼ିତ ଅନେକ ରହସ୍ୟ ଏବଂ ଅକୁହା କାହାଣୀ ଉପରୁ ପରଦା ଉଠାଯାଇଛି।