Latest Odisha News

BREAKING NEWS

Cyclone Montha: ଆସନ୍ତା ୩୧ ଯାଏଁ ପର୍ଯ୍ୟଟକଙ୍କୁ ସମୁଦ୍ର ଓ ପାହାଡିଆ ଅଞ୍ଚଳରେ ଭ୍ରମଣ ପାଇଁ ନିଷେଧ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ବାତ୍ୟା ମୋନ୍ଥାର ମୁକାବିଲା ସମ୍ପର୍କରେ ସମୀକ୍ଷା କରିଛନ୍ତି। ପ୍ରତ୍ୟେକ ବିପର୍ଯ୍ୟୟରେ ଜିରୋ କାଜୁଆଲ୍‌ଟିକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ବାତ୍ୟା ଆନ୍ଧ୍ରପ୍ରଦେଶରେ ଅତିକ୍ରମ କରୁଥିଲେ ମଧ୍ୟ ଓଡିଶାର ବିଭିନ୍ନ ଜିଲ୍ଲାରେ, ବିଶେଷ କରି ଦକ୍ଷିଣ ଓଡିଶାର ଜିଲ୍ଲା ଗୁଡିକରେ ବ୍ୟାପକ ବର୍ଷା ସହିତ ପବନ ହେବାର ମଧ୍ୟ ସମ୍ଭାବନା ରହିଛି। ତେଣୁ, କୌଣସି ବିପଦ ସଂକୁଳ ଅଞ୍ଚଳରେ ଯେପରି ଜଣେ ବି ଲୋକ ରହିଯିବ ନାହିଁ, ସମସ୍ତେ ବାତ୍ୟା-ବନ୍ୟା ଆଶ୍ରୟ ସ୍ଥଳ କିମ୍ବା ଅନ୍ୟ ସୁରକ୍ଷିତ ସ୍ଥାନାନ୍ତରିତ ହେବେ, ତାକୁ ଅଧିକାରୀ ମାନେ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଓ ପାହାଡିଆ ଅଞ୍ଚଳରେ ଭ୍ରମଣ ପାଇଁ ପର୍ଯ୍ୟଟକ ମାନଙ୍କୁ ନିଷେଧ କରାଯାଇଛି। ମତ୍ସ୍ୟଜୀବୀ ମାନଙ୍କୁ ମଧ୍ୟ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ କରାଯାଇଛି। ବାତ୍ୟାର ମୁକାବିଲା ପାଇଁ ୩୦ ଟି ଓଡ୍ରାଫ, ୫ଟି ଏନ୍‌.ଡି.ଆର୍‌.ଏଫ ଏବଂ ୧୨୩ଟି ଅଗ୍ନିଶମ ଦଳକୁ ମୁତୟନ କରାଯାଇଛି। ଆହୁରି ଅଧିକ ଟିମ୍ ଆଲର୍ଟରେ ଅଛନ୍ତି । ଆବଶ୍ୟକ ପଡିଲେ ନିୟୋଜିତ କରାଯିବ।

ପ୍ରଭାବିତ ହେବାକୁ ଥିବା ୮ଟି ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଆବଶ୍ୟକହେଲେ ଛୁଟିର ସମୟସୀମା ବଢାଯିବ। ନିରବଛିନ୍ନ ବିଦ୍ୟୁତ ସରବରାହ ଓ ପାନୀୟ ଜଳ ଯୋଗାଣ ପାଇଁ ଇଞ୍ଜିନିୟରିଂ ବିଭାଗ ଗୁଡିକ ପ୍ରସ୍ତୁତ ହୋଇ ଅଛନ୍ତି । ବିକଳ୍ପ ଭାବେ ସମସ୍ତ ଜରୁରୀ ସେବା ସଂସ୍ଥା ଗୁଡିକରେ ଡିଜି ସେଟ୍ ମହଜୁଦ ରଖାଯାଇଛି। ସମସ୍ତ ପ୍ରଭାବିତ ଅଞ୍ଚଳର ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ପର୍ଯ୍ୟାପ୍ତ ପରିମାଣର ସାପକାମୁଡା ଇଞ୍ଜେକ୍‌ସନ୍‌, ଔଷଧ ଓ ଚିକିତ୍ସା କିଟ୍ ମହଜୁଦ୍ ରଖାଯାଇଛି।

ସେହିପରି ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଆଦି ୮ଟି ଜିଲ୍ଲାରେ ବାତ୍ୟାର ସର୍ବାଧିକ ପ୍ରଭାବ ରହିବ। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ୨୦୪୮ଟି ବାତ୍ୟା-ବନ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ କରି ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୮ଟି ଜିଲ୍ଲାରେ ୧୧,୩୯୬ ଜଣ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଆବଶ୍ୟକ ହେଲେ ଆହୁରି ୩୦,୫୫୪ ଜଣଙ୍କୁ ସ୍ଥାନାନ୍ତରିତ କରାଯିବ। ୧୮୭୧ ଜଣ ଗର୍ଭବତୀ ମହିଳାଙ୍କୁ ମଧ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି ଏବଂ ଆହୁରି ୮୨୨ ଜଣଙ୍କୁ ସ୍ଥାନାନ୍ତରିତ କରାଯିବ। ସମୁଦାୟ ୨୬୯୩ ଜଣ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯିବ।

ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟା ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଓ ବରିଷ୍ଠ ଅଧିକାରୀ ମାନେ ବୈଠକରେ ଯୋଗଦେଇଥିଲେ। ଜିଲ୍ଲାପାଳ ମାନେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ।

Comments are closed.