ଓଡିଶାର ପାରମ୍ପରିକ ଲୋକ ନୃତ୍ୟ କରମା ନାଚ ସମ୍ପର୍କରେ ଜାଣନ୍ତୁ…

ଭୁବନେଶ୍ୱର: ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚୟ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି ।

ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ସାମାଜିକ ସଂସ୍କାର ଆଦି ବହୁ ଉଦ୍ଦେଶ୍ୟକୁ ନେଇ ଲୋକନୃତ୍ୟର ସୃଷ୍ଟି ହୋଇଛି । ଗ୍ରାମବହୁଳ ଓଡ଼ିଶାରେ ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ ଏସବୁ ଅନୁଷ୍ଠିତ କରାଯାଏ ।

ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣୀ ସହ ବିଭିନ୍ନ ଲୋକନୃତ୍ୟର ପ୍ରଚଳନ ରହିଛି । ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଇଥାଏ । ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହୋଇଥାଏ । ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଥାଏ ।

ଆଜି ଆମେ ଆପଣଙ୍କୁ ଜଣାଇବୁ ଓଡ଼ିଶାର ପାରମ୍ପରିକ ଲୋକ ନୃତ୍ୟ କରମା ନାଚ ସମ୍ପର୍କରେ…

ଏହା କରମ ଦେବତୀ (କରମଶୁଣି)ଙ୍କ ପୂଜା ପାଇଁ କରା ଯାଇଥାଏ । ଭାଦ୍ରବ ଶୁକ୍ଲ ଏକାଦଶୀରେ ଏହା ଆରମ୍ଭ ହୋଇ କିଛି ଦିନ ପର୍ଯ୍ୟନ୍ତ ଚାଲିଥାଏ ।

ଏହିନୃତ୍ୟ ଓଡ଼ିଶାର ସମ୍ବଲପୁର, ମୟୂରଭଞ୍ଜ, ଢେଙ୍କାନାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦେଖାଯାଏ । ପୂଜା ଦିନ ଦୁଇ ଜଣ ଯୁବତୀ କନ୍ୟା “କରମା” ଗଛର ଡାଳକୁ ଆଣି ଦେବତାଙ୍କ ଆସ୍ଥାନରେ ରଖିଥାନ୍ତି ।

ଏହି କରମା ଡାଳକୁ “କରମଶୁଣି “ ଦେବୀ ହିସାବରେ ପୂଜା କରା ଯାଏ । ଏହା ସହିତ ଅଙ୍କୁରିତ ଗଜା, ଘାସ ଫୁଲ ଏବଂ ଦେଶୀ ମଦ୍ୟ ମଧ୍ୟ ଦେବତୀଙ୍କୁ ଅର୍ପଣ କରାଯାଏ । ପୂଜା ପରେ ଯୁବକ ଯୁବତୀମାନେ ମାଦଳର ତାଳେ ତାଳେ ନୃତ୍ୟ କରିଥାନ୍ତି ।

ପ୍ରାୟତଃ ଏହି ନାଚରେ ଗୋଡ଼ ଏବଂ ପାଦର ବ୍ୟବହାର ଅଧିକ ହୁଏ । ଅଣ୍ଟାରେ ହାତ ଛନ୍ଦା ଛନ୍ଦି ହୋଇ ଆଦିବାସୀ ଯୁବକ ଯୁବତୀମାନେ ନାଚ ଆରମ୍ଭ କରି ଥାନ୍ତି । ନୃତ୍ୟ ଆରମ୍ଭ ଯଦିଓ ମନ୍ଥର ଗତିରେ ଆରମ୍ଭ ହୁଏ, ଧୀରେ ଧୀରେ ନାଚର ଗତି ମାଦଳର ଶବ୍ଦ ଠାରୁ ମଧ୍ୟ ଦ୍ରୁତତର ହୁଏ । ଏହି ନୃତ୍ୟ ଗ୍ରାମ ଦେବତୀଙ୍କ ଆସ୍ଥାନ ନିକଟରେ ହୋଇ ଥାଏ ଏବଂ ସାରା ରାତି ଏହି ନାଚ ଚାଲିଥାଏ ।