Latest Odisha News

BREAKING NEWS

ଖଡ଼ିଆଳରେ ନିଆରା ନବରାତ୍ରୀ ଦୁର୍ଗାପୂଜା ଓ ଯୋଡ଼ି ଛତର ଯାତ୍ରା ପାଇଁ ଜମୁଛି ଭିଡ଼

ନୂଆପଡ଼ା: ନବରାତ୍ରୀ ଆରମ୍ଭ ସହ ନୂଆପଡ଼ା ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛି । ବିଭିନ୍ନ ମଣ୍ଡପକୁ ଚାନ୍ଦି ମେଢ଼ ସହ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜା ଯାଇଛି । ରାଜ ପଣ୍ଡିତଙ୍କ ଶ୍ଲୋକ ସହ ଚଣ୍ଡୀପାଠରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ । ଖଡିଆଳରେ ଦୁର୍ଗା ପୂଜା ରାଜା ରାଜୁଡ଼ା ଶାସନ ଅମଳରୁ ପାଳିତ ହୋଇ ଆସୁଛି । ଗତବର୍ଷରୁ ପୂଜା ମଣ୍ଡପରେ ବଳି ପ୍ରଥାକୁ ବନ୍ଦ କରାଯାଇଥିବା ବେଳେ ମଣ୍ଡପରେ ତାମସିକ ଢଙ୍ଗରେ ମାଆଙ୍କୁ ପୂଜା କରାଯାଉଛି ।

ପୁରୁଣା ଗଡ଼ଜାତ ଅଞ୍ଚଳ ଖଡ଼ିଆଳ । ଶୈବ, ଶାକ୍ତ ଓ ବୈଷ୍ଣବ ଧର୍ମର ମିଳନ ସ୍ଥଳୀ । ଏହି ମାଟିରେ ତନ୍ତ୍ର ପୂଜାର ମଧ୍ୟ ପ୍ରଭାବ ରହିଛି । ଏଠାରେ ଥିବା ରକ୍ତାମ୍ବରୀ ଓ ସମଲେଶ୍ୱରୀ ମନ୍ଦିରରେ ତନ୍ତ୍ର ଉପାସନା ବିଧି ରହିଛି । ଚୌହାନ ବଂଶୀୟ ରାଜାଙ୍କ ଅମଳରୁ ଏହା ଚଳି ଆସୁଥିବା ବେଳେ ପ୍ରତ୍ୟେକ ବର୍ଷ ଦଶହରାରେ ମାଆଙ୍କ ନବରାତ୍ରୀ ପୂଜା ଅନୁଷ୍ଠିତ ହେଉଛି । ରୀତିନୀତି ଅନୁସାରେ ଉଭୟ ମାଆଙ୍କୁ ଅଖଣ୍ଡ ଦୀପ ପ୍ରଜ୍ଵଳନ କରି ବୋଦାବଳୀ ଦିଆଯାଏ । ପ୍ରତିବର୍ଷ ଦଶହରା ମହାଳୟା ପ୍ରତିପଦା ଠାରୁ ଦଶମୀ ପର୍ଯ୍ୟନ୍ତ ମାଆ ଅଗଣିତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ଏହାପରେ ଦଶମୀ ଦିନ ଉଭୟ ଦେବୀଙ୍କ ଯୋଡ଼ି ଛତର ଯାତ୍ରା ସମ୍ପନ୍ନ କରି ପୁଣି ଶକ୍ତି ପୀଠକୁ ଫେରି ଯାଆନ୍ତି ।

ଖଡ଼ିଆଳର ପଟ୍ଟନାୟକ ପଡ଼ା, ରାଜା ପଡ଼ାରେ ନବରାତ୍ରୀ ପୂଜା ହେଉଥିବା ବେଳେ ବିଦ୍ୟୁତ୍ ବିଭାଗ ଦ୍ୱାରା ଚାରିଦିନ ଧରି ପୂଜା କରାଯାଏ । ଦୁଇବର୍ଷ ଧରି କରୋନା କଟକଣା ଯୋଗୁଁ ଶ୍ରଦ୍ଧାଳୁ ମଣ୍ଡପରେ ମାଆଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ । ଏବର୍ଷ କୌଣସି କଟକଣା ନଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି ।

Leave A Reply

Your email address will not be published.