Latest Odisha News

BREAKING NEWS

ମା’ଙ୍କୁ ବିଦାୟ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି: ଜାଣନ୍ତୁ କେଉଁଠି ରହିଛି ଟ୍ରାଫିକ୍ କଟକଣା…

ଭୁବନେଶ୍ବର: ଆଜି ମେଲାଣି ନେବେ ଜଗତ ଜନନୀ ମା’ ଦୁର୍ଗା । ୯ ଦିନ ଧରି ମଣ୍ଡପରେ ଭକ୍ତଙ୍କୁ ନିଜର ଦୁର୍ଲଭ ରୂପର ଦର୍ଶନ କରାଇବା ପରେ ଆଜି ବିଦାୟ ନେବେ ମା’ ଦୁର୍ଗତୀନାଶିନୀ । ମା’ଙ୍କୁ ମେଲାଣି ଦେବାରେ ମନରେ ଯେତିକି ଦୁଃଖ ରହିଛି, ବିଦାୟ ନେଲେ ପୁଣି ଆର ବରଷକୁ ମା’ ଆସିବେ ତା’ର ଉତ୍କଣ୍ଠା ମଧ୍ୟ ରହିଛି । ଏଥିପାଇଁ ଭସାଣୀ ଉତ୍ସବ ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି।

ସେପଟେ ଭୁବନେଶ୍ବର ଓ କଟକରେ ଭସାଣୀ ପାଇଁ ଟ୍ରାଫିକ୍ କଟକଣା ଜାରି ହୋଇଛି। ଦିନ ୩ଟାରୁ ଭସାଣୀ ଶେଷ ହେବା ଯାଏ କଟକଣା ବଳବତ୍ତର ରହିବ । ଏହି ସମୟରେ କୌଣସି ବି ଗାଡି ବାଣୀବିହାର ଦେଇ ରୂପାଲି ଛକ ଆଡକୁ ଯାଇପାରିବେ ନାହିଁ । ଏଥିପାଇଁ ଆଚର୍ଯ୍ୟ ବିହାର ଛକ ଦେଇ ଗାଡିଗୁଡିକ ଯାଇପାରିବେ । ସେହିପରି ସିଆରପି ଛକରୁ କଟକ ଯାଇଥିବା ରୁଟଟିରେ ମଧ୍ୟ ଗାଡି ଚଳାଚଳ ବନ୍ଦ ରହିବ ।  ଏଥିପାଇଁ ଗାଡି ଚାଳକ ସିଆରପି ଛକରୁ ଏକାମ୍ର ପାର୍କ- ବିଜୁ ପଟ୍ଟନାୟକ କଲେଜ ରାସ୍ତା ଦେଇ ଜୟଦେବ ବିହାର ହୋଇ ଯାଇପାରିବେ । ସେପଟେ କିଟ୍ ଛକ ପଟୁ ନାଲକୋ ଛକ ଆଡକୁ କୌଣସି ଯାନବାହନକୁ ଅନୁମତି ନାହିଁ । ସେପଟ ରୁଟର ଗାଡିଗୁଡିକ ନନ୍ଦନ କାନନ ରାସ୍ତା ଦେଇ ଜୟଦେବ ବିହାର ଆଡକୁ ଯାଇପାରିବେ । ଖୋର୍ଦ୍ଧା ପଟୁ ଆସୁଥିବା ଭାରୀ ଯାନଗୁଡିକ ଫାହାର ଷ୍ଟେସନରୁ ହିଁ ଫ୍ଲାଏ ଓଭର ଦେଇ ଯିବେ ।

ଅନ୍ୟପଟରେ କଟକରେ ମଧ୍ୟ ସମାନ ବ୍ୟବସ୍ଥା କରାଯାଇଛି । କଟକରେ କଲେଜ ଛକ ଠାରୁ ବକ୍ସି ବଜାର ପର୍ଯ୍ୟନ୍ତ କୌଣସି ଯାନବାହନ ଯାଇପାରିବେ ନାହିଁ । ତିନିକୋଣିଆ ବଗିଚା ଦେଇ ଚାନ୍ଦିନଚୌକ ଛକ ଯାଏଁ ଯାନବାହନ ଚଳାଚଳ ବନ୍ଦ ରହିବ । ଚୌଧୁରୀବଜାର ଛକରୁ ପୂର୍ଣ୍ଣ ସାହୁ ଛକ, ଯାଁଳିଆପଟି ଓ ଫିରିଙ୍ଗି ବଜାର ଦେଇ ଦେବୀ ଗଡ଼ା ପର୍ଯ୍ୟନ୍ତ ଏବଂ କଟକ ଚଣ୍ଡୀ ଛକରୁ ଶେଖବଜାର ଓ ମହମ୍ମଦିଆ ବଜାର ରାସ୍ତାରେ ଚାନ୍ଦିନଚୌକ ଛକ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାରେ ଯାନବାହନ ଯାତାୟତ କରିପାରିବ ନାହିଁ।

ତେବେ ଗତକାଲି ଠାରୁ କିଛି କିଛି ସ୍ଥାନରେ ମା’ଙ୍କୁ ବିସର୍ଜନ କରାଯାଇଥିବା ବେଳେ ଆଜି ଅଧିକାଂଶ ସ୍ଥାନରେ ଭସାଣି ଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ କଟକରେ ସକାଳୁ ସକାଳୁ ଢୋଲ ନଗାଡାରେ ପ୍ରକମ୍ପିତ କଟକ । ପ୍ରୋସେସନ ସହ ମେଲାଣି ଯାତ୍ରାରେ ବାରି ଗଲେଣି ମା’ ଜଗତଜନନୀ ।

Leave A Reply

Your email address will not be published.