Latest Odisha News

BREAKING NEWS

ଡ୍ରାଇଭର ସଂଘର ଆନ୍ଦୋଳନ ଯୋଗୁଁ ପରିବହନ ବାଧାପ୍ରାପ୍ତ ! ବଜାରକୁ ଆସିପାରୁନି ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ବର : ଦ୍ବିତୀୟ ଦିନରେ ପହଞ୍ଚିଛି ଡ୍ରାଇଭର ମହାସଂଘର ୧୦ ଦଫା ଦାବି ନେଇ ଦିଆଯାଇଥିବା ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ଆଜି ମଧ୍ୟ ଭୁବନେଶ୍ୱରର ତମାଣ୍ଡୋ ସହ ବିଭିନ୍ନ ସ୍ଥାନରେ ନିଜର ମହାସଂଘ ତାର ବିରୋଧ ପ୍ରଦର୍ଶନ ଜାରି ରଖିଛି। ଆଉ ଏହି ଆନ୍ଦୋଳନ ଯୋଗୁଁ ବେଶ ବାଧାପ୍ରାପ୍ତ ହୋଇଛି ପରିବହନ ବ୍ୟବସ୍ଥା । ଯାହାର ପ୍ରଭାବରେ ରାଜ୍ୟକୁ ଅତ୍ୟାବଶ୍ୟକ ଜିନିଷ ଆସିବା ହ୍ରାସ ପାଇଛି। ବିଭିନ୍ନ ସ୍ଥାନରେ ଫଳ, ପନିପରିବା ଓ ଅନ୍ୟ ଖାଉଟି ସାମଗ୍ରୀ ବୋଝେଇ ଗାଡ଼ି ଏକାଧିକ ସ୍ଥାନରେ ଅଟକି ରହିଛି। ମିଳିଥବା ସୂଚନା ଅନୁସାରେ, ଆନ୍ଦୋଳନ ଯୋଗୁଁ ଅଟକି ରହିଥିବା ଗାଡି ଭିତରେ ପଚିବାକୁ ଆରମ୍ଭ କଲାଣି ଫଳ ଓ ପନିପରିବା। ସେପଟେ ରାଜ୍ୟର ସବୁଠୁ ବଡ଼ ପନିପରିବା ମାର୍କେଟ କୁହାଯାଉଥିବା କଟକ ଛତ୍ରବଜାରରେ ଏବେ ଶୂନସାନ ପଡ଼ିଛି । ବାହାରୁ ପରିବା ଗାଡି ଆସି ନପାରିବା ଯୋଗୁଁ ପରିବା ଦର ଧିରେଧିରେ ଉଚ୍ଚା ହେବା ସହ ପରିମାଣ ବି କମିବାକୁ ଲାଗିଲାଣି। ଯଦି ଏଭ‌ଳି ପରିସ୍ଥିତି ଲାଗି ରହେ, ତେବେ ଖୁବଶୀଘ୍ର ସ୍ଥିତି ଅଣାୟତ୍ତ ହେବ ବୋଲି ଛତ୍ରବଜାର ବ୍ୟବସାୟ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଆଶଙ୍କା ପ୍ରକାଶ କରିଛନ୍ତି।

ଗୋଟିଏ ପଟେ ଫଳ ଓ ପନିପରିବାର ଅଭାବ ଦେଖିବାକୁ ମିଳିଥିବା ବେଳେ ଅନ୍ୟପଟେ ଅତ୍ୟାବଶ୍ୟକ ସାମଗ୍ରୀ ଓ ପେଟ୍ରୋଲ ପମ୍ପରେ ଲୋକଙ୍କ ଭିଡ଼ ଜମିଲାଣି। ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ତେଲ ଟ୍ୟାଙ୍କର ସବୁ ରାଜ୍ୟର ସୀମାରେ ଛିଡ଼ା ହୋଇ ରହିଛନ୍ତି। ସେପଟେ କାଳେ ଆନ୍ଦୋଳନ ଅଧିକ ଦିନ ଚାଲିବ, ସେଇ ଭୟରେ ଲୋକେ ଆବଶ୍ୟକତା ଠାରୁ ଅଧିକ ପେଟ୍ରୋଲ ନେଇ ଘରେ ମହଜୁଦ କରିବା ଆରମ୍ଭ କଲେଣି । ଏହାକୁ ଦେଖି ଲୋକଙ୍କୁ ଛାନିଆ ନ ହେବାକୁ ପରାମର୍ଶ ଦେଇଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସମ୍ପାଦକ ସଞ୍ଜୟ ଲାଠ। ବଡ଼ ପେଟ୍ରୋଲ ପମ୍ପ୍‌ରେ ଯଥେଷ୍ଟ ପେଟ୍ରୋଲ୍‌ ଷ୍ଟକ୍ ଅଛି, ତେଣୁ ବିବ୍ରତ ହୋଇ ଆବଶ୍ୟକତାଠାରୁ ଅଧିକ ପେଟ୍ରୋଲ୍ କି ଡିଜେଲ୍ କିଣନ୍ତୁ ନାହିଁ ବୋଲି ସେ ଅନୁରୋଧ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଦି ସରକାର ଯଥାଶୀଘ୍ର ଆନ୍ଦୋଳନ ସମାଧାନ ଦିଗରେ କିଛି ପଦକ୍ଷେପ ନନିଅନ୍ତି, ତାହେଲେ ଖାଉଟି ବଜାରରେ କଳାବଜାରୀ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।

Leave A Reply

Your email address will not be published.