Latest Odisha News

BREAKING NEWS

୩ ବର୍ଷ ତଳେ ବଢିଥିଲା, ପୁଣି ବିଧାୟକଙ୍କ ୧୦୦ ପ୍ରତିଶତ ଦରମା ବୃଦ୍ଧି ଦାବି କେତେ ଯୁକ୍ତିଯୁକ୍ତ ?

ଭୁବନେଶ୍ୱର:ଦିଲ୍ଲୀ ବିଧାୟକ, ମନ୍ତ୍ରୀଙ୍କରୂ ଦରମା ବଢିଲା  । ଆମର ବି ବଢିବ । ଗୃହରେ ଏମିତି ଦାବି କରିଛନ୍ତି ଓଡ଼ିଶା ବିଧାୟକ । ଏହାକୁ ସବୁ ଦଳର ବିଧାୟକମାନେ ମଧ୍ୟ ସମର୍ଥନ କରିଛନ୍ତି । ବିଧାସଭା ଚାଲିଥିବାବେଳେ ଦରମା ବୃଦ୍ଧି ନେଇ ରାସ୍ତରେ ଗର୍ଜୁଛନ୍ତି ପ୍ରାଥମିକ ଶିକ୍ଷକ, ଆଶା କର୍ମୀ, ପାଚିକା ସଂଘ, ଅଙ୍ଗନାବଡି କର୍ମୀ । ଏହାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି । ପରିବହନ ବାଧାପ୍ରାପ୍ତ ହେଉଛି । ଏପରିକି ଡ୍ରାଇଭର ମହାସଂଘ ଆନ୍ଦୋଳନ ଯୋଗୁ ରାଜ୍ୟରେ ଖୁବ ଶୀଘ୍ର ପେଟ୍ରୋଲ, ପରିବା ସରିଯିବା ନେଇ ଆଶଙ୍କା ପ୍ରକାଶ ପାଇଲାଣି । ଏପରି ସ୍ଥିତିରେ  ବିଧାୟକଙ୍କ ଦରମା ବୃଦ୍ଧି ଦାବି କେତେଦୂର ଯୁକ୍ତିଯୁକ୍ତ ?  ପ୍ରକୃତରେ କ’ଣ ଓଡ଼ିଶା ବିଧାୟକ ଓ ମନ୍ତ୍ରୀଙ୍କ  ଦରମା ବୃଦ୍ଧି ହେବା ଉଚିତ କି ?

୧୨ ବର୍ଷ ପରେ ବଢିବ ଦିଲ୍ଲୀ ବିଧାୟକ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦରମା ।  ଅନ୍ୟ କେତେକ ସୁବିଧାକୁ ଛାଡି ଏହି ବିଧାୟକମାନେ ପାଉଥିଲେ ୫୪ ହଜାର । ଦରମା ବୃଦ୍ଧି ପରେ ସେମାନେ ପାଇବେ ୯୦ ହଜାର । ସେହିପରି ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ପାଉଥିଲେ ୭୨ ହଜାର  । ଏବେ ଏହା ବୃଦ୍ଧି ପାଇ ଏକ ଲକ୍ଷ ୭୦ ହଜାରରେ ହେଲା ।

୩ ବର୍ଷ ତଳୁ ଓଡ଼ିଶାରେ ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ମାସିକ ଦରମା ଓ ଭତ୍ତା ଯାହା ପାଇ ଆସୁଛନ୍ତି ଏବେ ଦରମା ବୃଦ୍ଧି ପରେ ଦିଲ୍ଲୀ ବିଧାୟକ/ମନ୍ତ୍ରୀ ତାହା ପାଇବେ ।   ୨୦୧୭ ରିଭାଇଜ ସାଲେରୀ ଅନୁସାରେ ଓଡ଼ିଶାରେ  ଅନ୍ୟ କେତେକ ସୁବିଧାକୁ ବାଦ ଦେବା ପରେ କ୍ଷମତାରେ ଥିବା ବିଧାୟକମାନେ ମାସିକ  ୩୫ ହଜାର ଦରମା ସହ ଅନ୍ୟାନ୍ୟ ଭତ୍ତା ୬୫, ୦୦୦କୁ ମିଶାଇ ୧ ଲକ୍ଷ ଟଙ୍କା ପାଉଛନ୍ତି ।  ମନ୍ତ୍ରୀ/ମୁଖ୍ୟମନ୍ତ୍ରୀ ଏହାଠାରୁ ଅଧିକ ପାଉଛନ୍ତି ।

ଏହା ପରେ ବିଧାୟକମାନେ ଦରମା ବୃଦ୍ଧି ପାଇଁ ଦାବି କରିଛନ୍ତି । ମୋଟ ଦରମା ଓ ଭତ୍ତା ମିଶାଇ ମାସିକ ୨.୫ ଲକ୍ଷ  ପାଇଁ ଗୃହ କମିଟି ପ୍ରସ୍ତାବ ଦେଇଛି । ଏଠି କହିରଖିବୁ, ଓଡ଼ିଶାରେ ମାସିକ ହାରାହାରି ମୁଣ୍ଡ ପିଛା ଆୟ ୧୨,୫୦୦ ଟଙ୍କା ଅଛି ।

ସେହିପରି କେରଳ କଥା ଦେଖିଲେ, ଏଠାରେ ମୁଣ୍ଡପିଛା ଆୟ ୧୪ ହଜାର ଥିବାବେଳେ ଅନ୍ୟାନ୍ୟ ସୁବିଧା ଛାଡ଼ି ବିଧାୟକଙ୍କ ମାସିକ ଦରମା ଓ ଭତ୍ତା ୭୦ ହଜାର ଓ ମନ୍ତ୍ରୀଙ୍କର ପ୍ରାୟ ୯୨ ହଜାର ଅଛି । ସେହିପରି ତେଲେଙ୍ଗାନାରେ ମୁଣ୍ଡପିଛା ଆୟ ୩୮ ହଜାର ଥିବାବେଳେ ବିଧାୟକଙ୍କ ଦରମା ଓ ଭତ୍ତା ପ୍ରାୟ ୨.୫ ଲକ୍ଷ ରହିଛି ।

ସୂଚନାଥାଉ କି, ଓଡ଼ିଶାରେ କ୍ୟାବିନେଟ ମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରୀଙ୍କ ଦରମା ଯଥାକ୍ରମେ ୪୦ ହଜାର ଏବଂ ୩୮ ହଜାର ରହିଛି । ଏହା ବ୍ୟତୀତ ସେମାନଙ୍କୁ ଅନ୍ୟାନ୍ୟ ଭତ୍ତା ଯଥା କାର ଆଲାଉନ୍ସ ବାବଦରେ ୧୭ ହଜାର, ସମ୍ପଟୁଆରୀ ଭତ୍ତା ୪୦ ହଜାର, ସିଟିଂ ଆଲାଉନ୍ସ(ବିଧାନସଭାରେ ଯୋଗଦେବା) ୮୦୦ ଦୈନିକ, ମେଡିକାଲ ଟ୍ରିଟମେଣ୍ଟ (ଗ୍ରୁପ ଏ ସରକାରୀ ଚାକିରିଆଙ୍କ ସହ ସମାନ), ଡେଲି ଆଲାଉନ୍ସ ୧୫ ଶହ(ରାଜ୍ୟ ଭିତର ଟୁର) ଏବଂ ୨ ହଜାର(ରାଜ୍ୟ ବାହାର ଟୁର), ଟ୍ରାଭେଲିଂ ଆଲାଉନ୍ସ ବାବଦରେ ରାଜ୍ୟ ଭିତରେ କିଲୋମିଟର ପିଛା ୧୫ ଟଙ୍କା ଏବଂ ରାଜ୍ୟ ବାହାର ପାଇଁ କିଲୋମିଟର ପିଛା ୨୦ ଟଙ୍କା ରହଛି ।

ସେହିପରି ଟେଲିଫୋନ ଆଲାଉନ୍ସ ବାବଦରେ ୧୫ ହଜାର ଟଙ୍କା (ଘର, ଅଫିସ ଏବଂ ମୋବାଇଲ ଫୋନ), ମୋଟର କାର ଆଡଭାନ୍ସ ୫ ଲକ୍ଷ ଟଙ୍କା ( ୮% ସିମ୍ପଲ ଇଣ୍ଟ୍ରେଷ୍ଟ), ଇଲେକ୍ଟ୍ରି ଭଡା ଖର୍ଚ୍ଚର ୪୦%, ରିଫ୍ରେଶମେଣ୍ଟ ଚାର୍ଜ ୨ ହଜାର ଟଙ୍କା, ପିରିଡିଓକାଲ ଚାର୍ଜ (୪ଟି ଡେଲି ଇଂଲିଶ କିମ୍ବା ଓଡ଼ିଆ) ଏବଂ ରେସିଡେନ୍ସ ବାବଦରେ ସରକାରୀ ବାସଭବନ ନଚେତ ଦୈନିକ ୧ ହଜାର ଟଙ୍କା ରହିଛି ।

ଏଠି କହି ରଖିବୁ, ପିରିୟଡିକ ଲେବର ଫୋର୍ସ ସର୍ଭେ (PLFS 2017-28) ଅନୁସାରେ ଓଡ଼ିଶା ଓ ଭାରତର ୭୫% ସ୍ଥାୟୀ ଶ୍ରମିକ/ସଂଗଠିତ କର୍ମଚାରୀ ୭ମ ବେତନ କମିଶନ ଅନୁସାରେ ଧାର୍ଯ୍ୟ କରାଯାଇଥିବା ମାସିକ ସର୍ବନିମ୍ନ ଦରମା ୧୮ ହଜାର ଟଙ୍କା ବି ପାଆନ୍ତି ନାହିଁ। ଏପରି ସ୍ଥିତିରେ ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବୃଦ୍ଧି ଦାବି କେତେ ଦୂର ଯୁକ୍ତିଯୁକ୍ତ ?

Leave A Reply

Your email address will not be published.