ଟ୍ରାଉମା
ସୌମ୍ୟା ମହାପାତ୍ର
ଦେହ ସାରା ମୋର କଣ୍ଟା ଭର୍ତ୍ତି, ରକ୍ତ ଝରୁଛି ଟୋପେ ଟୋପେ ଆୟୁଷର ଅବଧିର ହିସାବ କିତାବ ଚାଲିଛି ଡାକ୍ତରଙ୍କ ଶୀତତାପ ନିୟନ୍ତ୍ରିତ ନିବୁଜ କୋଠରିରେ ଆତ୍ମୀୟଙ୍କ ସହ । ଅପରେସନ୍ ପାଇଁ ଇନସୁରାନସ୍ ଆଉ ବିନା ଇନସୁରାନସ୍ର କେତେ ଖର୍ଚ୍ଚ ହେବ ଅଟକଳ ବି । ନିକଟ, ଦୂର ସଂପର୍କୀୟଙ୍କ ଭିତରେ ଟଣାଓଟରା ହସପିଟାଲ ଗେଟ୍ରେ ଭିଜିଟି କାଡର଼୍ ପାଇଁ! କେତେ ଜଲଦି କିଏ ମୋତେ ଦେଖିଯିବ । ସଂପର୍କ ରେଜିଷ୍ଟରରେ ଆଟେଣ୍ଡାନସ୍ ପଡ଼ିଗଲେ କାମ ଖତମ୍ । ଅପରେସନ୍ ପୂର୍ବରୁ ଆଉ ପରେ କିଏ ରହିବ ମୋ ପାଖରେ; ଦିନରେ ଆଉ ରାତିରେ, ଅଙ୍କ କଷାକଷି । ରାତିର ସାଥୀ ହେବା ପାଇଁ ହାତଗଣତି ପାଦ ଆଗେଇ ଆସେ । ଦିନସାରା ଲୋକଭିଡ଼, କୋଳାହଳ, ସଂବେଦନାର ଫଳ ଓ ହର୍ଲିକ୍ସ ପ୍ୟାକେଟ୍ ଭର୍ତ୍ତି ରୁମ୍ ସାରା । ଆଶା ଓ ବିଶ୍ୱାସର ସାଲାଇନ୍ ଝରୁଛି ମୋ ଦେହପାଇଁ ଟୋପେଟୋପେ । ସାଇରେନ୍ ବାଜି ଝାଡ଼ିଝୁଡ଼ି ହୋଇ ଛିଡ଼ା ହୋଇଯାଇଥିବା ଆତ୍ମୀୟମାନଙ୍କର ଅସରନ୍ତି ଆତ୍ମୀୟତାରେ ମୁଁ ରୁନ୍ଧି ହୋଇଯାଉଛି ।
ମଝିରେ ମଝିରେ ଦେବଦୂତ ସାଜି ଡାକ୍ତର ଆଉ ନର୍ସମାନେ ମୋତେ ଆସି ଦେଖିଯାଉଛନ୍ତି । ଏମିତି ଶ୍ରଦ୍ଧା, ଆତ୍ମୀୟତା, ସ୍ନେହ, ସଦିଚ୍ଛା ସବୁ ମୁଁ ସୁସ୍ଥ ସତେଜ ଥିବା ବେଳେ ପାଇପାରିଥା’ନ୍ତି କି? ଡାଏରୀ ଆଉ ଫଟୋଫ୍ରେମ୍ ଭିତରେ ସାଇତି ରଖିଥାନ୍ତି ନିଶ୍ଚେ । ଜୀବନ ପାଇଁ ସବୁ ଯୁଦ୍ଧ ଆଉ ମୃତୁ୍ୟ ପରେ ଏଠି ଦୁଇ ମିନିଟର ନୀରବ ପ୍ରାର୍ଥନା- ଏଇ ବୋଧେ ଜୀବନ! ଯାହାକୁ ମୁଁ ନିୟମିତ ଭେଟି ଆସିଛି । ସଂଘର୍ଷ କରିଛି ଅନେକ । କେତେ ସଫଳତା ବା ବିଫଳତା ସାଉଁଟିଛି, ସେସବୁର ବାଲାନ୍ସସିଟଟିଏ ପ୍ରସ୍ତୁତ କରିପାରି ନାହିଁ ଆଜି ଯାଏ । ହେଲେ ଆଜି କାହିଁକି?
ଅପରେସନ୍ ପରେ ମୁଁ କେତେଦିନ ବଞ୍ଚିବି, କୋଉଠି ବଞ୍ଚିବି, ସେସବୁର ଜାଣିବାର ଆସ୍ପର୍ଦ୍ଧା ବି ମୁଁ କରି ନାହିଁ । ବିଷାକ୍ତ ସର୍ପଠୁ ବି ଆହୁରି ଭୟଙ୍କର ମନେହୁଏ ମୋତେ ମୋ ଚାରିପଟ ମଣିଷମାନଙ୍କର ବୃଦ୍ଧି । ବେଳେବେଳେ ମୋତେ ଅଣନିଶ୍ୱାସୀ ଲାଗୁଛି । ଆୟୁଷର ଶେଷପାଦରେ ମୁଁ ଯେ ଛିଡ଼ା ହୋଇଛି । କେହି ଠେଲି ଦେବ କି ମୋତେ ହଠାତ୍! କୁଆଡେ଼ ହେବ ମୋର ଗତି? ସ୍ୱର୍ଗ, ନର୍କ ନା ଆଉ କିଛି ।
ରାତି ପ୍ରାୟ ବାରଟା ହେବାକୁ ଯାଉଛି । ଚାରିଆଡେ଼ ହାଲକା ନଜର ପକେଇଲି । ପାଖରେ ଶୋଇଥିବା ମୋ ସଂପର୍କୀୟ ଆଟେଣ୍ଡାଣ୍ଟକୁ ଶେଷଥର ପାଇଁ ଚାହିଁଲି । ଦେହସାରା ଗୁଡେ଼ଇ ହୋଇଥିବା ଯନ୍ତ୍ରସବୁକୁ ଗୋଟିକ ପରେ ଗୋଟିଏ କାଢ଼ିଚାଲିଲି । ଖୁବ୍ ଧୀରେ ପାଦ ପକେଇଲି । ପଛକୁ ଆଉ ବୁଲି ନ ଚାହିଁ ଲିଫ୍ଟ ବଦଳରେ ସିଡ଼ି ଧରିଲି । ଏତେ ରାତିରେ ବାହାରିଯିବା ପାଇଁ ଏମରଜେନସି ଗେଟ୍ ହିଁ ଗୋଟିଏ ଭରସା । କିଛିଟା ସଂଘର୍ଷ ପରେ ମୁଁ ହସପିଟାଲ୍ ଗେଟ୍ ବାହାରକୁ ଆସି ସାରିଥିଲି । ଅଦୃଶ୍ୟ ଈଶ୍ୱରଙ୍କ ପାଇଁ ହାତ ଯୋଡ଼ିଲି ମୋ ସଫଳତା ପାଇଁ ।
ଶୂନଶାନ ରାସ୍ତାରେ ଆଗକୁ ଆଗେଇ ଚାଲିଲି ମୁକ୍ତି ପ୍ରତକ୍ଷିତ ଯୋଦ୍ଧା ପରି । ମୁଁ ଜାଣେ ହସପିଟାଲରୁ ମୁଁ ଫେରାର ହେବା ପରେ ଆତ୍ମୀୟତା ନ ଥିବା ସେ ମିଛ ଆତ୍ମୀୟମାନେ ମୋତେ ଢେର ଖୋଜିବେ ପେପ୍ର ଆଉ ଟିଭିରେ । ମୋ ନିରୁଦ୍ଧିଷ୍ଟ ହେବାର ସୂଚନା ବି ଦେବେ । ଆଉ ତା’ ପରେ ସବୁକିଛି ସ୍ୱାଭାବିକ ହେଇଯିବ ଧୀରେଧୀରେ ।
ମୋର ଅପରେସନ୍ ହେବାର ଥିଲା । ହେଲେ ହଠାତ୍ ମୁଁ ଫେରାର ହୋଇଯିବାଟା ହସପିଟାଲ ପାଇଁ ବେଶ୍ ଚ୍ୟାଲେଜିଂ ହୋଇପଡ଼ିବ ନିଶ୍ଚେ ।
କି ଅପରେସନ୍ ହୋଇଥା’ନ୍ତା ମୋର? ମୁଁ କଣ ଅପରେସନରେ ସୁସ୍ଥ ହୋଇଯିବାର ସର୍ତ୍ତ କାହା ପାଇଁ କୋଉଠି ରଖିଥିଲି କି?
ହଁ । ମୁଁ ଆଉ କେହି ନୁହେଁ । ମୁଁ ହେଉଛି ହୃଦୟ । ଏଇ ଥରକୁ ମିଶାଇ ଶହେଥର ମୋ ସହ ଦୁର୍ଘଟଣା ହୋଇସାରିଥିବ । ମୋତେ ଚିରି, କାଟି, ବିଧ୍ୱସ୍ତ କରି ଉପଭୋଗ କରିବାକୁ ଆମ ଆଖପାଖରେ ଥିବା କିଛି କକି୍ରଂଟ୍ ହୃଦୟ ବେଶ୍ ଭଲପା’ନ୍ତି । ମୋତେ ସ୍ନେହ, ଆଦରରେ ର୍ୟାପିଙ୍ଗ୍ କରିସାରିଲା ପରେ ପୂରା ଚକୋଲେଟ୍ର ମଜା ନିଅନ୍ତି ସେମାନେ । ଦେଖିଛ ତାଙ୍କ ଛଳନା, ଈର୍ଷା, ପରଶ୍ରୀକାତରତା ଜ୍ୱାଳାରେ ସିଝିଯାଇଥିବା ଆଖିହଳକୁ? ମିଛର ମୁଖା ପିନ୍ଧି, ପ୍ରତାରଣାର ଗ୍ଲୋଭସ୍ ଲଗାଇ କେତେଥର ସେମାନେ ମୋ ସର୍ଜରୀ କରିନାହାନ୍ତି ଯେ! କେବେ ପ୍ରେମିକାଠାରୁ, କେବେ ପରିବାର ଆତ୍ମୀୟଙ୍କଠାରୁ, କେବେ ବନ୍ଧୁଠାରୁ, କେବେ ସହକର୍ମୀଠାରୁ, କେତେ ଯେ ଧୋକା । ମୋତେ ଲୁଡ଼ୁପାଲିର ସବୁଠୁ ଲମ୍ବା ସାପ ପରି ଗୋଟା ଗିଳିଦେଇଛନ୍ତି । ଲୁହରେ ଲହୁରେ ଦୁଃଖରେ, ଶୋକରେ ମୁଁ ଏକା ପହଁରିଛି । ନିଜ ଭାଙ୍ଗିଯାଇଥିବା ଅଂଶକୁ ମଣିଷ ଚମଡ଼ାରେ ପ୍ୟାଚ୍ ପକାଇଛି ରାତି ରାତି । ସେତେବେଳେ କେଉଁଠି ଥିଲେ ହସ୍ପିଟାଲରେ ରଖି ମୋ ଅପରେସନ୍ ଅପେକ୍ଷାରେ ଥିବା ଏ ଆତ୍ମୀୟମାନେ? କୋଉଠି ଥିଲା ଏ ଆଶା, ଭରସା, ବିଶ୍ୱାସର ସଞ୍ଜିବନୀ ସବୁ?
ମୁଁ ଭାଙ୍ଗେ ସବୁଥର ବିନାଶଦ୍ଧରେ । ଭାଙ୍ଗିବାର ଭାଗ୍ୟ ନେଇ ମୋର ଜନ୍ମ । ମୁଁ ବିଶ୍ୱାସର ଡେଣା ବାନ୍ଧି ଖଣ୍ଡିଉଡ଼ା ଦେଉଥିବାବେଳେ ଛଳନାର ମହମବତୀରେ କେତେ ଥର ଜଳି ବି ସାରିଛି । ମରି ବି ସାରିଛି । ତ ଆଜି କାହିଁକି ଆଉ ସେ ହସପିଟାଲର ଚାରିକାନ୍ଥ ଭିତରେ ବନ୍ଧା ପଡ଼ି ରହିଥା’ନ୍ତି । କି ବା ଅପରେସନ୍ ହୋଇଥାନ୍ତା ମୋର? ଯିଏ ପ୍ରତିଦିନ ଦୁର୍ଘଟଣାକୁ ଭେଟେ, ସେ ବା କ’ଣ ଆଜି ଠିକ୍ ହୋଇପାରିବ ଏମିତି!
ସଂଘର୍ଷ ମୋତେ ସଫଳତାର ସ୍ୱାଦ ଚଖାଇଛି ପ୍ରତିଥର । ନିଜ ଭାଙ୍ଗି ଯାଇଥିବା ଛୋଟ ଛୋଟ ହୃଦୟର ଖଣ୍ଡକୁ ରାତି ରାତି ମୂର୍ତ୍ତି କାରିଗର ପରି ଯୋଡ଼ିଛି । ଭାଙ୍ଗିବାର ଦୁଃଖ, ପୁଣି ଉଠି ଛିଡ଼ା ହେବାର ବ୍ୟାକୁଳତା ଆଜି ମୋତେ ଲୁହାଠୁଁ ବେଶୀ ଶକ୍ତ କରିଛି ।
ସକାଳ ହୋଇଥିଲା ପୁଣି ଗୋଟେ ମୁଖାପିନ୍ଧା କଳା ରାତିକୁ ବିଦାୟ ଦେଇ । ମୁଁ ଲମ୍ବାଲମ୍ବା ପାଦ ପକେଇ ଆଗେଇ ଚାଲିଥିଲି । ଚାରିପଟୁ ଶୁଭୁଥିଲା ଯେମିତି ହସପିଟାଲରୁ ଜଣେ ରୋଗୀ ଅଚାନକ ଫେରାର । ପ୍ରିଣ୍ଟ୍ ମିଡ଼ିଆ, ଇଲେକଟ୍ରୋନିକ୍ସ ମିଡ଼ିଆରେ ଅଙ୍କ କଷାକଷି, ମୋତେ ଖୋଜି ଆଣିବା ପାଇଁ । କେତେ ବା ଫରକ ପଡେ଼ ମୋ ପାଇଁ ଏସବୁ । ହୃଦୟକୁ ଖୋଜି ଆଣିବାର, ପୁଣି ଥରେ ହୃଦୟକୁ ଗଢ଼ିବାର ହୃଦୟଟିଏ କାଇଁ ଯେ?
ମହାନଦୀରେ ସ୍ନାନ କଲି । ନିଜ ଦେହରୁ ଝରୁଥିବା ରକ୍ତସବୁକୁ ପାଣିରେ ଭସାଇଦେଲି । ତା ସହ ଅନ୍ୟର ଛଳନା, ଘୃଣା, ପରଶ୍ରୀକାତରତା ସବୁ କିଛିକୁ ।
ପୁଣି ପାଦ ଆଗକୁ ପକାଇଲି । ନୂଆ ଜୀବନ, ନୂଆ ଆଲୁଅ ସନ୍ଧାନରେ । ପଛପଟୁ ଛୋଟ ପୁଅଟିଏ ପଚାରିଲା- ସହରର ନାମୀ ହସପିଟାଲର ଅପରେସନ୍ ଥିଏଟରରୁ ଜଣେ ରୋଗୀ ଫେରାର… ତୁମେ ତାଙ୍କୁ ଦେଖିଛ କି?
…………………
ସୌମ୍ୟା ମହାପାତ୍ରଙ୍କ ସଦ୍ୟପ୍ରକାଶିତ ଗପବହି ‘ବାଲିଘର‘ ମିଳୁଛି ଆମାଜନରେ
Comments are closed.