Latest Odisha News

ଦେବକୁଣ୍ଡ: ଯେଉଁଠି ଦେବତା ମାନେ କରନ୍ତି ସ୍ନାନ

ନିତିଦିନିଆ ଜୀବନରୁ ବୋର ହୋଇଗଲେ ମନ ଚାହେଁ କୁଆଡେ ଟିକେ ବୁଲି ଆସିବାକୁ । ପ୍ରକୃତିର ଶୋଭାରାଜିରେ କିଛି ସମୟ ଅତିବାହିତ କରି ଆସିଲେ ମନରୁ ସତେ ଯେପରି ଅପସରି ଯାଏ ସମସ୍ତ କ୍ଳାନ୍ତି । ଆପଣ ମଧ୍ୟ ଯଦି ବୁଲିବା ପାଇଁ ପ୍ଲାନିଂ କରୁଛନ୍ତି,ତେବେ ମୟୂରଭଞ୍ଜ ଜିଲ୍ଲାର ଦେବକୁଣ୍ଡ ଯିବାକୁ ଭୁଲନ୍ତୁ ନାହିଁ।

ଶିମିଳିପାଳର ପାଦଦେଶରେ ଥିବା ଏହି ପର୍ଯ୍ୟଟନ ସ୍ଥଳୀରେ ମା’ ଅମ୍ବିକାଙ୍କ ପୀଠ ରହିଛି । ପାହାଡ଼, ଝରଣା ସହିତ ଜଙ୍ଗଲ ଘେରା ଦେବକୁଣ୍ଡ ବଣଭୋଜି ପାଇଁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରତିବର୍ଷ  ମା’ ଅମ୍ବିକାଙ୍କ ଦର୍ଶନ ସହିତ ବଣଭୋଜି କରିବାକୁ ଏଠାରେ ପ୍ରବଳ ଜନସମାଗମ ହେଉଛି।

ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ମା’ ଅମ୍ବିକାଙ୍କ ଦର୍ଶନ। ବଣଭୋଜି ସାଙ୍ଗକୁ ନାଚଗୀତର ଆସର ପାଇଁ ଦେବକୁଣ୍ଡରେ ଲାଗିରହିଥାଏ ପର୍ଯ୍ୟଟକଙ୍କ ଭିଡ଼ । ପାହାଡ଼, ଜଙ୍ଗଲ ଝରଣାର ମନଲୋଭା ଦୃଶ୍ୟ ପର୍ଯ୍ୟଟକଙ୍କୁ ଏଠାକୁ ଟାଣି ଆଣିଥାଏ । ଏଠାରେ ଝରଣା ଓ ଛୋଟ ଜଳପ୍ରପାତକୁ ଲାଗିରହିଛି ମା’ ଅମ୍ବିକାଙ୍କ ପୀଠ। ମା’ଙ୍କ ଦର୍ଶନ ସହିତ ସାଙ୍ଗସାଥୀ, ପରିବାରବର୍ଗଙ୍କ ସହିତ ବଣଭୋଜିର ମଜା ନେଉଛନ୍ତି ଲୋକେ। ପର୍ଯ୍ୟଟକଙ୍କ ଭିଡ଼କୁ ନଜରରେ ରଖି ଭୋଜି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ପର୍ଯ୍ୟଟନ ୠତୁ ଆରମ୍ଭ ହେବା ପରେ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗେ। କେବଳ ରାଜ୍ୟ ନୁହେଁ ପଡୋଶୀ ରାଜ୍ୟରୁ ମଧ୍ୟ ବହୁ ପର୍ଯ୍ୟଟକ ପ୍ରତିବର୍ଷ ମା’ ଅମ୍ବିକାଙ୍କ ଦର୍ଶନ କରିବା ପାଇଁ ଏଠାକୁ ଆସିଥାନ୍ତି।

ବିଶ୍ୱାସ ରହିଛି, ଦେବତାମାନେ ଏଠାରେ ଗାଧୋଇବା ପରେ ଦେବୀ ଅମ୍ବିକାଙ୍କ ପୂଜା କରିଥିଲେ। ତେଣୁ ଏହା ଦେବକୁଣ୍ଡ ନାମରେ ନାମିତ ହୋଇଛି। ପ୍ରତ୍ୟକ୍ଷ ଦେବୀ ମା’ ଅମ୍ବିକାଙ୍କ ନିକଟରେ ମାନସିକ ପୂରଣ ପାଇଁ ବର୍ଷସାରା ଏଠାରେ ଭକ୍ତଙ୍କ ଭିଡ ଜମିଥାଏ।

Leave A Reply

Your email address will not be published.