Latest Odisha News

BREAKING NEWS

ବୁଲି ଯାଆନ୍ତୁ ପ୍ରାକୃତିକ ଶୋଭରାଜିରେ ପରିପୂର୍ଣ୍ଣ କୋରଡ଼କୋଟ ଜଳପ୍ରପାତ

ଭୁବନେଶ୍ୱର: ଆରମ୍ଭ ହେଲାଣି ପର୍ଯ୍ୟଟନ ଋତୁ। କୋଭିଡ କଟକଣା ମଧ୍ୟରେ ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ବୁଲିବାକୁ ପର୍ଯ୍ୟଟକଙ୍କୁ ଅନୁମତି ଦେଇଛନ୍ତି ସରକାର। ତେବେ ଆଜି ଆମେ ଆପଣଙ୍କୁ ବୁଲାଇ ନେବୁ ଦେବଗଡ଼ ଜିଲ୍ଲାର କୋରଡକୋଟ ଜଳ ପ୍ରପାତ।

ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ଦେବଗଡ଼ ଜିଲାର ‘କୋରଡକୋଟ ଜଳପ୍ରପାତ ପର୍ଯ୍ୟଟକମାନଙ୍କ ପାଇଁ ଏକ ଦର୍ଶନୀୟ ସ୍ଥାନ ହୋଇପାରିଛି। ଏହାର ପ୍ରାକୃତିକ ମନୋରମ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ବର୍ଷଯାକ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟେ। ତେବେ ଦୀପ ତଳ ଅନ୍ଧାରରେ ରହିଥିବା ଏସିଆ ମହାଦେଶର ଦ୍ଵିତୀୟ ତଥା ଓଡିଶାର ପ୍ରଥମ ଜଳବିଦ୍ୟୁତ ପ୍ରକଳ୍ପର ମାନ୍ୟତା ପାଇଥିବା ‘କୋରଡ଼କୋଟ ଜଳପ୍ରପାତର ପ୍ରାକୃତିକ ଶୋଭାରାଜି ମଧ୍ୟ ବେଶ୍ ଉପଭୋଗ୍ୟ ଓ ମନୋମୁଗ୍ଧକର ।

ବାମଣ୍ଡା ରାଜ ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ଶାସନକାଳ ସମୟରେ ୧୯୦୫ ମସିହାରେ ଏହି କୋରଡ଼କୋଟ  ଜଳପ୍ରପାତରୁ (ହାଇଡ୍ରୋ ଇଲେକ୍ଟ୍ରିସିଟି) ମାଧ୍ୟମରେ ବିଦ୍ୟୁତ ଆହରଣ କରାଯାଇ ସମଗ୍ର ଦେବଗଡ ସହରକୁ ଆଲୋକିତ କରାଯାଉଥିଲା ।

ପ୍ରକୃତିର ଶୋଭା ବିମଣ୍ଡିତ ଘଞ୍ଚଜଙ୍ଗଲ ପରିବେଷ୍ଠିତ କୋରଡ଼କୋଟର ପାଦଦେଶକୁ ପର୍ଯ୍ୟଟକମାନଙ୍କ ନିୟମିତ ଯିବାଆସିବା ଲାଗି ରାଜା ଦେବଗଡରୁ ଜଳପ୍ରପାତର ନିମ୍ନଭାଗ ପର୍ଯ୍ୟନ୍ତ ବଣବୁଦା କାଟି ଏକ ପାଦଚଲା ରାସ୍ତା ନିର୍ମାଣ କରାଇଥିଲେ ।

ଜଙ୍ଗଲୀ ଫୁଲ, ଫଳ ଭରା ସବୁଜିମାର ଚିତ୍ରପଟ, ପାହାଡ ଘେରା ମଧ୍ୟରେ କୋରଡ (ଗୁମ୍ଫା) ସମେତ ବିଭିନ୍ନ ଜାତିର ପଶୁପକ୍ଷୀଙ୍କ କାକଳୀ ଏବେ ବି ମନରେ ଉନ୍ମାଦନା ଭରିଦିଏ ।

ଏହି ଅନନ୍ୟ ଐତିହ୍ୟର ବୈଭବ କୋରଡ଼କୋଟ ଜଳବିଦ୍ୟୁତ କେନ୍ଦ୍ରର ପାଦଦେଶକୁ ଜିଲାର ଅନ୍ୟତମ ଆକର୍ଷଣୀୟ ପୋଖରୀ ସ୍ପଟ୍ର ଶେଷ ସ୍ପର୍ଶ ଦେବା ପାଇଁ ବର୍ତମାନ ବିଭିନ୍ନ ପଦକ୍ଷେପ ନିଆଯାଉଛି ।

ଏହି କୋରଡକୋଟ ଜଳବିଦ୍ୟୁତ କେନ୍ଦ୍ରରୁ ୧୯୭୦ ମସିହା ପର୍ଯ୍ୟନ୍ତ ବିଦ୍ୟୁତ ଦେବଗଡ ସହରକୁ ଆଲୋକିତ କରୁଥିଲା । ପରେ ଏହା ସହ ଦୁଇଗୋଟି ଡିଜେଲ୍ ଇଞ୍ଜିନ୍ ସାହାଯ୍ୟରେ ମଧ୍ୟ ବିଦ୍ୟୁତ ସରବରାହ କାର୍ଯ୍ୟକାରୀ ହେଉଥିଲା ।

୧୯୭୧ ମସିହାରେ ରାଉରକେଲା ବାଟ ଦେଇ ହୀରାକୁଦ ଜଳବିଦ୍ୟୁତ କେନ୍ଦ୍ରରୁ ବିଦ୍ୟୁତ ସରବରାହ ଆରମ୍ଭ ହେବା ପରେ କୋରଡକୋଟ ଜଳବିଦ୍ୟୁତ କେନ୍ଦ୍ର ଓ ଡିଜେଲ୍ ଇଞ୍ଜିନ୍ କୁ ବନ୍ଦ କରିଦିଆଗଲା ।

କେମିତି ଯିବେ:

ଭୁବନେଶ୍ଵରରୁ ବସ୍ ବା କାର ଯୋଗେ ଦେବଗଡ ସହରକୁ ଯିବା ସୁବିଧା ରହିଛି। ସେଠାରୁ ଅନତି ଦୂରରେ ଥିବା ହାତୀଶାଳ ଛକ ଦେଇ ୪ କିମି ଗଲା ପରେ କୋରଡକୋଟ ଜଳପ୍ରପାତ ନିକଟରେ ପହଞ୍ଚି ହେବ ।

Leave A Reply

Your email address will not be published.