Latest Odisha News

BREAKING NEWS

ଆରମ୍ଭ ହେଲା ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ-୨୦୨୩

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଆଦିବାସୀ ମେଳା-୨୦୨୩ ଆରମ୍ଭ ହୋଇଯାଇଛି । ଏହି ମେଳାରେ କଳାବସ୍ତୁ ପ୍ରଭାଗରେ ସମୁଦାୟ ୧୩ଟି ଷ୍ଟଲ ରହିଛି । ଧରଣୀପେନୁ ଢୋକରା କାରିଗରୀ ସମିତି, ବାଲିଗୁଡ଼ା, କନ୍ଧମାଳ ପକ୍ଷରୁ ଢୋକରା ସାମଗ୍ରୀ ଯଥା: କଇଁଛ, ମାଣ, ଘଣ୍ଟି, ଫରୁଆ, ପିତ୍ତଳ କବାଟ ହ୍ୟାଣ୍ଡେଲ, ମୂର୍ତ୍ତି ଇତ୍ୟାଦି ପ୍ରଦର୍ଶନ ଓ ବିକ୍ରୟ ନିମନ୍ତେ ରଖାଯାଇଛି । ୧୫୦ ଟଙ୍କାରୁ ଆରମ୍ଭ ହୋଇ ୫ ହଜାର ଟଙ୍କା ମୂଲ୍ୟର ସାମଗ୍ରୀ ପର୍ଯ୍ୟନ୍ତ ଏହି ଢୋକରା ଷ୍ଟଲରେ ମିଳୁଛି ।

ସେହିଭଳି ଅନ୍ୟ ଏକ ଷ୍ଟଲରେ ସବାଇ ଘାସର ସପ, ଫୁଲଝୁଡ଼ି, ଟେବୁଲ ମ୍ୟାଟ୍‌, ବ୍ୟାଗ୍‌, ଡାଇନିଙ୍ଗ୍‌ ମ୍ୟାଟ୍‌, ଆଦି ପ୍ରଦର୍ଶନ ଓ ବିକ୍ରୟ କରାଯାଉଛି । ଏହାକୁ ପ୍ରସ୍ତୁତ କରୁଥିବା ବ୍ୟକ୍ତିବିଶେଷ ସେମାନଙ୍କ ଜମିରେ ସବାଇଘାସ ଚାଷ କରିଥାନ୍ତି । ଘାସ ପାକଳ ହେଲାପରେ ବିଲରୁ କାଢ଼ି ଖରାରେ ଶୁଖାଇ ପଲିସ୍‌ କରି ସବାଇଘାସ ଜିନିଷ ପ୍ରସ୍ତୁତ କରିଥାନ୍ତି । ବିଭିନ୍ନ ରଙ୍ଗୀନ ସୂତା ଦ୍ୱାରା ଏହାକୁ ଆକର୍ଷଣୀୟ କରାଯାଇଥାଏ ।

ଆଇଟିଡିଏ କରଞ୍ଜିଆର ଷ୍ଟଲରେ ପଥର ନିର୍ମିତ ଆକର୍ଷଣୀୟ କଳା ମୁଗୁନି ପଥରକୁ କାଟି ପଲିସ୍‌ କରି ବିଭିନ୍ନ ପ୍ରକାରର ସାମଗ୍ରୀ ଯଥା ଗଣେଶ, କୁଟୁଣୀ, ଦୀପ, ବାଟି, ଶିଳ ଆଦି ଘରୋଇ ବ୍ୟବହୃତ ସାମଗ୍ରୀ ବିକ୍ରୟ ଓ ପ୍ରଦର୍ଶନ ନିମନ୍ତେ ରଖାଯାଇଛି । ଏହି କଳାବସ୍ତୁ ସେକଫରରେ ଗୋଣ୍ଡ ଓ ସଉରା ଚିତ୍ରକଳା ସହିତ ଜୁଆଙ୍ଗ ଓ କନ୍ଧ ଚିତ୍ରକଳା ଦର୍ଶକମାନଙ୍କ ପ୍ରଦର୍ଶନ ଓ ବିକ୍ରୟ ନିମନ୍ତେ ରହିଛି । ଏକ ଷ୍ଟଲରେ ସମ୍ବଲପୁରୀ ପୋଷାକ ଇତ୍ୟାଦି, ଟେରାକୋଟା ସାମଗ୍ରୀ ସହିତ ଲାଖ ତିଆରି ଚୁଡ଼ି, କେ„ଇ, ହାର ଆଦି ମିଳୁଛି । ସେହିଭଳି କାଠଶିଳ୍ପର ଗଣେଶ, ବଳଦଗାଡ଼ି, ହାତୀ ଆଦି ଶାଗୁଆନ୍‌ କାଠକୁ ପଲିସ୍‌ କରି ଅତ୍ୟନ୍ତ ନିଖୁଣ ଭାବେ ତିଆରି କରାଯାଇଛି । ଶିଆଳି ଲତାରୁ ବିଭିନ୍ନ ପ୍ରକାର ବ୍ୟାଗ, ଘରୋଇ ଶିକା, ସୂତା ଆଦି ମଧ୍ୟ ବିକ୍ରୟ ହେଉଛି ।

ଆଦିବାସୀ ମେଳା ୨୦୨୩ରେ ଧାନ୍ୟଶିଳ୍ପର ବିଭିନ୍ନ ସାମଗ୍ରୀ ପ୍ରସ୍ତୁତିର ପ୍ରତ୍ୟକ୍ଷ ପ୍ରଦର୍ଶନ କରାଯାଇଛି । ଧାନ୍ୟରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ପ୍ରଣାଳୀ ସମ୍ପର୍କରେ ଦେଖଣାହାରୀମାନେ ଜାଣି ପାରୁଛନ୍ତି ।
ଆଜି ସନ୍ଧ୍ୟାରେ ଓଡ଼ିଶାର ସାନ୍ତାଳ ଜନଜାତିଙ୍କର ଡଙ୍ଗନୃତ୍ୟ, ସଉରା ଜନଜାତିଙ୍କ ‘ମିରିଆ’, ସାନ୍ତାଳ ଜନଜାତିଙ୍କ ଦଂଠା, ଦିଦାୟୀ ଜନଜାତିଙ୍କ ଚଇତି ନୃତ୍ୟ, ସାନ୍ତାଳ ଜନଜାତିଙ୍କ ଛଉ ନୃତ୍ୟ, ଲୋଧା ଜନଜାତିଙ୍କର ଝୁମର ନୃତ୍ୟ ଓ ଶେଷରେ ପରଜା ଜନଜାତିଙ୍କର ରିନ୍‌ଯୋଡ଼ି ନୃତ୍ୟ ପ୍ରଦର୍ଶିତ ହୋଇଥିଲା ।

ଏହି ମେଳା ପ୍ରତ୍ୟହ ଦିବା ୨.୩୦ ଘଟିକାଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଦର୍ଶକମାନଙ୍କ ନିମନ୍ତେ ଖୋଲା ରହୁଛି ଏବଂ ଏହା ଆଗାମୀ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

Comments are closed.