Latest Odisha News

ଦେବାଶିଷ ପାଣିଗ୍ରାହୀଙ୍କ ସାହିତ୍ୟ ତାଙ୍କ ଜୀବନକୁ ଅତିକ୍ରାନ୍ତ କରିବ

“ଚାକିରି ସରିଯିବ । ଦିନେ ଆମେ ଅବସର ନେବା । ଶେଷରେ ଦେହତ୍ୟାଗ କରିବା । କିନ୍ତୁ ଆମେ ସୃଷ୍ଟିକରିଥିବା ସାହିତ୍ୟ ରହିଯିବ । Our books will outlive us.” ଗଲା କିଛି ବର୍ଷ ହେଲା ଦେବାଶିଷ, ଯାହାଙ୍କୁ ମୁଁ ଗଲା ତିରିଶବର୍ଷ ହେଲା ‘ଭାଇନା’ ଭାବେ ସମ୍ବୋଧନ କରୁଥିଲି, ପ୍ରତ୍ୟେକ ଦେଖାରେ ଏଇ କିଛି ପଦ କୁହନ୍ତି । ଶେଷରେ, ୨୦୧୬ ମସିହାରେ ତାଙ୍କରି ଉପଦେଶ ଓ କିଛି ହିତାକାଂକ୍ଷୀଙ୍କ ପ୍ରେତ୍ସାହନରେ ଲେଖିବା ଆରମ୍ଭ କଲି । ଏବେ ଯାଏଁ ଯେଉଁ ପ୍ରାୟ ତିରିଶଟି ପ୍ରବନ୍ଧ ଲେଖିଛି, ତାହା ଉପାଦେୟ ନା ନାହିଁ ଜାଣେନା । କିନ୍ତୁ ସାଧାରଣ ପାଠକଙ୍କ ପାଇଁ କିଛି ଲେଖିବାରେ ଜୀବନକୁ ଭିନ୍ନଭାବେ ଜିଇଁବା ସେ ମତେ ଶିଖେଇଦେଇ ଗଲେ । କିନ୍ତୁ କେବେ ଚିନ୍ତା କରିନଥିଲି ଯେ ‘ଭାଇନା’ ମୋ ପାଇଁ ନିଜେ ଦିନେ ଲେଖାର ବିଷୟ ହେଇଯିବେ । ହାଲ୍‌କା ବୌଦ୍ଧିକ ଗପସପରେ ଜୀବନର ଦର୍ଶନକୁ ଆକଳନ କରିବା ସମ୍ଭବପର ନଥିଲା । ଏବେ ବୁଝୁଛି ସେ କାହିଁକି କହୁଥିଲେ ସାହିତ୍ୟ ଆମକୁ ଅତିକ୍ରାନ୍ତ କରିବ ।

ଦେବାଶିଷ ହୁଏତ ଆଉ ଗୋଟିଏ ଓଡ଼ିଶାର ପ୍ରତିନିଧିତ୍ଵ କରୁଥିଲେ । ଯେମିତି ଫକୀରମୋହନଙ୍କ କୃତ ଚରିତ୍ରଟିଏ । ମିଷ୍ଟଭାଷୀ, ନମ୍ର, ସଂସ୍କାରୀ ଓଡ଼ିଆ ଭଦ୍ରଲୋକ । ହୃଦୟରେ ଅଗାଧ ସମ୍ବେଦନଶୀଳତା । ଗୁରୁଜନଙ୍କ ପାଇଁ ଅଶେଷ ଭକ୍ତି, ପିଲାଙ୍କ ପାଇଁ ସ୍ନେହ । ମାଛିକୁ ମ’ କହିବେନି । ଚରିତ୍ରରେ ଟିକିଏ ବି କଳା ଛାପ ନାହିଁ । ସଦା ସଚ୍ଚୋଟ । ସରଳ ଜୀବନ । ହାଇସ୍କୁଲର ଆଦର୍ଶ ଛାତ୍ର । ଶିକ୍ଷକ, ବାପା’ମା, ସାହିପଡ଼ିଶା ସମସ୍ତଙ୍କ ପାଇଁ ସୁନାପିଲା । କର୍ମମୟ ବ୍ୟସ୍ତତା ମଧ୍ୟରେ ସାହିତ୍ୟ ସାଧନା । ଏବେ ଏହି ଚରିତ୍ରର ଲୋକଙ୍କୁ ଭେଟିବା କଷ୍ଟ ହେଇଗଲାଣି । ସେଭଳି ମାର୍ଜିତ କଥାବାର୍ତ୍ତାକୁ ଅନେକ ଏବେ ଦୁର୍ବଳତା ଭାବେ ଦେଖିଲେଣି । ଉଚ୍ଚସ୍ୱରରେ କଥା ହେବାକୁ ହେବ । ନୀରବ ରହିଗଲେ ହୁଏତ କହିବାକୁ ସୁଯୋଗ ନମିଳିପାରେ । ଆଉ ଓଡ଼ିଆରେ ଲେଖାଲେଖି ? ପ୍ରତିଷ୍ଠିତ ଲୋକେତ ଓଡ଼ିଆ ସାହିତ୍ୟ ପଢ଼ନ୍ତିନି । ଯେମିତି ସେମାନେ ହିନ୍ଦି କି ଇଂରାଜୀ ସିନେମା ଦେଖନ୍ତି, ସେମିତି ହୁଏତ ଇଂରାଜୀ ବହି ପଢୁଥିବେ ? ଏଠି ଲୁଚିକି ଲେଖକ ହେବାକୁ ହୁଏ । ବଡ଼ଲୋକଙ୍କ ଆଚରଣରେ ବା କଥାରେ ସେମିତି ସ୍ୱୀକୃତି ମିଳେ ନାହିଁ । ମୁଁ ଏ ବିଷୟରେ ଭାଇନାଙ୍କ ସାଙ୍ଗରେ ଅନେକ ଥର କଥା ହେଇଛି । ପଚାରିଛି, ‘ଆମେ ଘରେ ଖାଇ ଘୋଡା ଆଗରେ ଡ଼େଉଁନେତ’ ? ସେ କୁହନ୍ତି, ‘ସେ ବିଷୟରେ ଚିନ୍ତାକରି ଲାଭ ନାହିଁ । ଆମେ ଆମ କାମ କରିବା’ ।

ଏଠି ଭଲ ଲୋକ ହେବା ଓ ଦଣ୍ଠା ପୋଲିସ୍ ଅଫିସର ହେବା ଅଲଗା ବୋଲି ଧରାଯାଏ । ଯିଏ ସାହିତ୍ୟ ଚାଷ କରେ, ସେ ଠେଙ୍ଗା-ବାଡ଼ି ଧରି ପୋଲିସ ହବ କେମିତି ? କାହାକୁ ରୁକ୍ଷ ଗଳାରେ ତାଗିଦ୍ କରିବ କେମିତି ? ଏଭଳି ଭାବୁଥିବା ଲୋକେ ପୋଲିସ୍‌ର କାମକୁ ଏତେ ବେଶି ବୁଝନ୍ତିନି । ତାଙ୍କ ପାଇଁ ପୋଲିସ୍ ସେମାନେ ସିନେମାରେ ଦେଖିଥିବା କାଳ୍ପନିକ ଚରିତ୍ରଟିଏ । ଦେବାଶିଷ ଓଡ଼ିଶାର ସବୁ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ଏସ୍.ପି. ଭାବେ କାମ କରିଛନ୍ତି । ଓଡ଼ିଶା ପୋଲିସ୍‌ର ଇତିହାସରେ ଖୁବ ବେଶୀ ଅଫିସର କଟକ, ଖୋର୍ଦ୍ଧା (ଭୁବନେଶ୍ୱର ସମେତ), ପୁରୀ, ଗଂଜାମ ଓ କେନ୍ଦୁଝର ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ହୋଇନାହାନ୍ତି । ତେଣୁ ତାଙ୍କ ଆମାୟିକ ବ୍ୟକ୍ତିତ୍ୱ ବା ସାହିତ୍ୟ ପ୍ରତି ଆଦର ଏକ ଦୁର୍ବଳତା ନଥିଲା । ବରଂ ଏହା ତାଙ୍କୁ ଜଣେ ଦରଦୀ ଓ ସଫଳ ପୋଲିସ୍ ଅଫିସର କରିଥିଲା । ଏହା ଛଡ଼ା ସେ ଥିଲେ ପ୍ରଚଣ୍ଡ ପରିଶ୍ରମୀ । ଘଣ୍ଟା ଘଣ୍ଟା, ବିଳମ୍ବିତ ସଂଧ୍ୟାଯାଏଁ ବସି କାମ କରନ୍ତି । ନୀତି-ନିୟମରେ ପାଣ୍ଡିତ୍ୟ ଓ ଉଭୟ ଇଂରାଜୀ ଓ ଓଡ଼ିଆରେ ବିକଶିତ ଲେଖାଶୈଳୀ ତାଙ୍କୁ ବୃତ୍ତିଗତ ଦୃଷ୍ଟିକୋଣରୁ ସଫଳ କରିଥିଲା । ପ୍ରାୟ ଦଶବର୍ଷ ସେ ପୋଲିସ୍ ମୁଖ୍ୟ ଦପ୍ତରରେ ରହି ଆରକ୍ଷୀ ମହାନିର୍ଦେଶକମାନଙ୍କୁ ସହାୟତା କରିଥିଲେ । ସେଥିପାଇଁ ତାଙ୍କୁ ସମସ୍ତଙ୍କ ସମ୍ମାନ ଓ ଆଦର ମିଳିଛି । ଏଭଳି ନିର୍ଭରଯୋଗ୍ୟ ପୋଲିସ୍ ଅଫିସର ଅତି ବିରଳ । ନେତୃତ୍ୱର ପରାକାଷ୍ଠା ଦୃଷ୍ଟିକୋଣରୁ ସେ ଦିନେ ଓଡ଼ିଶା ପୋଲିସ୍‌ର ନେତୃତ୍ୱ ନେଇଥିଲେ ବିଭାଗ ଓ ରାଜ୍ୟବାସୀଙ୍କ ପାଇଁ ମଙ୍ଗଳକର ହୋଇଥା’ନ୍ତା ।

୧୯୯୧ ମସିହାରେ ଆମେ ହାଇଦ୍ରାବାଦ ରାଷ୍ଟ୍ରୀୟ ପୋଲିସ୍ ଏକାଡେମୀରେ ପ୍ରଶିକ୍ଷଣ ପାଇଁ ଭର୍ତ୍ତି ହେଲୁ । ସେଠି ଗୋଟିଏ ଛକକୁ ମିକେଲ୍ ଆଞ୍ଜେଲୋ ଛକ କୁହାଯାଏ । ମାର୍ବଲ୍ ପଥରଟିଏ ରଖାହେଇଛି । ମିକେଲ୍ ଆଞ୍ଜେଲୋ କହିଥିଲେ ସବୁ ମାର୍ବଲ୍‌ରେ ଗୋଟିଏ ସୁନ୍ଦର ମୂର୍ତ୍ତି ଲୁଚିରହିଛି । ସେମିତି ଏକାଡେମୀ ଚିନ୍ତା କରେ, ‘ସବୁ ପ୍ରଶିକ୍ଷଣାର୍ଥୀଙ୍କ ମଧ୍ୟରେ ଜଣେ ଦକ୍ଷ ଅଫିସର ଲୁକ୍କାୟିତ’ । ଯାହାଙ୍କୁ ପୋଲିସ୍ ଏକାଡେମୀ ଆବିଷ୍କାର କରିବ । ପ୍ରଶିକ୍ଷଣ ଅର୍ଥ, ସକାଳ ପାଞ୍ଚଟାରୁ ରଗଡା । ଦୌଡ଼, ଘୋଡ଼ା ଚଢ଼ା, ମାରାଥନ୍, ସନ୍ତରଣ, ପରେଡ଼, ବନ୍ଧୁକ ଚାଳନା- ଏସବୁ ସନ୍ଧ୍ୟାଯାଏଁ ଚାଲେ । ଆମେ ଏତେ ଥକିଯାଉ ଯେ ଆଖି ଖୋଲା ରଖି କ୍ଲାସ୍‌ରେ ବସି ରହିବା କଷ୍ଟ । ଆମ ଭିତରୁ ଅଧିକାଂଶ ପଢୁଆ ପିଲା, ଖୁବ୍ କମ୍ ଖେଳାଖେଳି ଆଗରୁ କରିଥାଉ । ଅଧିକାଂଶ ଚାପରେ ଆସି ପଢ଼ାପଢ଼ି ଛାଡ଼ି ନିଜକୁ ନୂଆଭାବେ ଆବିଷ୍କାର କରନ୍ତି । ଏକାଡେମୀରେ ଆମକୁ ନୂଆ କଳେବର ମିଳେ । ପଢ଼ା-ଲେଖାରେ ଚିରଦିନ ପାଇଁ ଡୋରି ବନ୍ଧା ହେଇଯାଏ । ତେଣିକି ନୂଆ ରୂଚି ହୁଏ ଦୌଡ଼ିବା, ସାଇକଲ ଚଲେଇବା, ପାହାଡ଼ ଚଢ଼ିବା, ଟେନିସ୍ ଖେଳିବା ଇତ୍ୟାଦି । ଭାଇନା କିନ୍ତୁ ନଛୋଡ଼ ବନ୍ଦା । ପଢ଼ା-ଲେଖା ଛାଡ଼ି ହବନି । ସାହିତ୍ୟ ରୁଚି ନୁହେଁ, ଜୀବନ । ତେଣୁ ପଡ଼ିଆରେ ଗୋଟିଏ ଚକର ମାରିଲା ପରେ ଚାଲନ୍ତି । କିନ୍ତୁ ଏତେ ଭଲ ଲୋକ ଯେ କେହି କିଛି କୁହନ୍ତିନି । ଚଢ଼ା ଗଳାରେ ଆମକୁ ରଗଡ଼ୁଥିବା ନିଶୁଆ ଉସ୍ତାଦ୍ ଥଣ୍ଡା ମିଜାଜ୍‌ରେ କହେ, ‘ପାଣିଗ୍ରାହୀ ସାବ୍, ବହୋତ୍ ବଢ଼ିଆ, ଲଗେ ରହୋ’ । ଭାଇନା ନିଜ ଦୁନିଆରେ ନିଜ ଇଛାରେ ରହୁଥିଲେ । ଏକାଡେମୀ ପୂର୍ବରୁ ଯାହା ଥିଲେ, ପରେ ବି ସେଇଆ । ପୋଲିସ୍ ପ୍ରଶିକ୍ଷଣ କିଛି ଦିନର ରହଣୀସ୍ଥାନ, ଗନ୍ତବ୍ୟସ୍ଥଳୀ ନୁହେଁ । ଆମେ ଅନେକ ଥର କଥା ହେଇଛୁ, ସେ ଭାରତୀୟ ବିଦେଶ ସେବା ନଛାଡିଥିଲେ, ଦେଶକୁ ଭଲ ପ୍ରତିନିଧିତ୍ଵ କରିଥା’ନ୍ତେ । ସେ ମତେ କହିବାକୁ ଆରମ୍ଭ କରିଥିଲେ, ‘ତୁମେ କାହିଁକି ବିଲାତରେ ଅଧ୍ୟାପନା ନକରି ଓଡ଼ିଶା ଫେରିଲ’ ? ବିତର୍କରେ ପୂର୍ଣ୍ଣଛେଦ ପଡ଼େ । ଉଭୟ ବୁଝିଯାଉ, କ’ଣ ହୋଇଥିଲେ କ’ଣ ହେଇଥା’ନ୍ତା, ଭାବିକି ଲାଭ ନାହିଁ ।

କୋଭିଡ଼୍ କଟକଣା ପୂର୍ବରୁ ସେ ସତ୍ୟବ୍ରତ ଷ୍ଟାଡିଅମରେ ପ୍ରାତଃଭ୍ରମଣ କରୁଥିଲେ । ମୁଁ ଛଅ-ଆଠ କିଲୋମିଟର ଦୌଡ଼ିଲା ପରେ ତାଙ୍କ ସାଥିରେ ଅନେକ ଥର ଦି’ରାଉଣ୍ଡ ଚାଲେ । ଦି’ପଦ ତାଙ୍କ ସାଙ୍ଗରେ ଗପସପ କଲେ ମନ ହାଲ୍‌କା ହେଇଯାଏ । ଦିନକୁ ଦିନ ସେ ଅଧିକ ନିରବ ରହିବାକୁ ଆରମ୍ଭ କରିଥିଲେ । ହୁଏତ ନିଜ ଦୁନିଆରେ ସେ ନିଜ କାହାଣୀର ଚରିତ୍ରମାନଙ୍କ ସାଙ୍ଗରେ କଥା ହେଉଥିବେ । ନିଜ ବାପାଙ୍କ ଦ୍ୱାରା ସେ ଅନେକ ପ୍ରଭାବିତ ଥିଲେ । ଶୂନ୍‌ଶାନ୍‌ର ସୁଯୋଗ ସୃଷ୍ଟିକରି ବାପାଙ୍କୁ ସ୍ମରଣ କରୁଥିବେ । କିନ୍ତୁ ସେ ଯେ ଦୁଇଟି ପୃଥିବୀରେ ଅବସ୍ଥାନ କରୁଥିଲେ, ତାହା ଜାଣିବା କଷ୍ଟ ନଥିଲା । ଗୋଟିଏ କର୍ମମୟ ଓ ଜଞ୍ଜାଳମୟ ଦୁନିଆ । ଅନ୍ୟଟି ଏକ ଦାର୍ଶନିକ, ଚିନ୍ତାଶୀଳ, ଶୂନ୍‌ଶାନ୍‌ ପୃଥିବୀ । ଏହି ଦ୍ୱିତୀୟ ପୃଥିବୀଟି ଥିଲା ମୋ ପାଇଁ ଅଭେଦ୍ୟ । ଚିନ୍ତା କରିଥିଲି ଦିନେ ପଚାରିବି, “ଭାଇନା, ନୀରବରେ କାହା ସାଙ୍ଗରେ ବାର୍ତ୍ତାଳାପ କରୁଚ ? ବିତର୍କ କରୁଚ ନା ସୁହାଗ” । ସେ ପ୍ରଶ୍ନ ଆଉ ପଚାରି ହେବନି ।

ଆମେ ରାଷ୍ଟ୍ରୀୟ ପୋଲିସ୍ ଏକାଡ଼େମୀରେ ଥିଲାବେଳେ ତାଙ୍କର ବାହାଘର ଭୁବନେଶ୍ୱରରେ ହେଲା । ତାଙ୍କ ବାପା ଆମ ପାଇଁ ଷ୍ଟେଟ୍ ଗେଷ୍ଟ ହାଉସ୍‌ରେ ରହିବାକୁ ବନ୍ଦୋବସ୍ତ କରିଥା’ନ୍ତି । ୟୁନିଟ୍-୮ କଲ୍ୟାଣ ମଣ୍ଡପରେ ରିସେପ୍‌ସନ୍‌ରେ ମୁଁ ଓ ମୋ ସ୍ତ୍ରୀ ପ୍ରଥମେ ଭାଉଜଙ୍କୁ ଦେଖିଲୁ । ପ୍ରଥମରେ ପଡୋଶୀଙ୍କ ମଧ୍ୟରେ ପ୍ରେମ, ପରେ ସମସ୍ତଙ୍କ ଆଶୀର୍ବାଦରେ ବିବାହ । ଲାଗୁଥିଲା ଦଇବ ଖୁବ ଯତ୍ନରେ ମନଲାଖି ଯୋଡ଼ିଟିଏ ତିଆରି କରିଛି । ଜଣେ ଗୀତ ଲେଖିବ, ଆଉ ଜଣେ ଗୀତ ଗାଇବ । ଉଭୟଙ୍କର ବ୍ୟବହାର ଅତି ମାର୍ଜିତ । ଯେତେବେଳେ ଆମେ ରାଷ୍ଟ୍ରୀୟ ପୋଲିସ୍ ଏକାଡ଼େମୀରେ ପ୍ରଥମ ସୋପାନ ପ୍ରଶିକ୍ଷଣସାରି ଅନୁଗୁଳ ପୋଲିସ୍ ଟ୍ରେନିଂ କଲେଜ୍‌ରେ ପହଞ୍ଚିଲୁ ଉଭୟ ସସ୍ତ୍ରୀକ ପାଖ ଗୋଟିଏ ହୋଟେଲ୍‌ରେ ରହୁଥିଲୁ । ସଂଧ୍ୟା ହେଲେ ଚାଲିକି ଯାଉ, ଅନୁଗୁଳ ବଜାରରେ ବୁଲୁ, ସିନେମା ଦେଖୁ । ଏହା ପରେ ଆମେ ନିଜ ନିଜ ଜୀବନରେ ବ୍ୟସ୍ତ ରହିଲୁ । ଆଉ ଏକାଠି ରହିବାର ସୁଯୋଗ ମିଳିଲାନି । କିନ୍ତୁ ଆମ ସ୍ମୃତିରେ ସେମାନେ ଅଛିନ୍ନ ଯୋଡ଼ି । କେହି କେବେ ଭାଇନା ଓ ଝୁମ୍‌କୀ ଭାଉଜଙ୍କୁ ଅଲଗା କରିପାରିବନି । ସେ କେବେ ନିଜ ବୃତ୍ତିଗତ ଜୀବନରେ କୌଣସି ସଙ୍କଟ ଦେଖିନଥିଲେ । ସବୁବେଳେ ମନଲାଖି ନିଯୁକ୍ତି ପାଇଛନ୍ତି । ସମସ୍ତଙ୍କ ସମ୍ମାନ ଅର୍ଜନ କରିଛନ୍ତି । ପୁରା ପାରମ୍ପରିକ ଟେଷ୍ଟ ମ୍ୟାଚ ବ୍ୟାଟ୍ସମ୍ୟାନ୍ । ରକ୍ଷଣାତ୍ମକ ଖେଳ । ସେ ଥିଲେ ଓଡ଼ିଶା ପୋଲିସ୍‌ର ରାହୁଲ୍‌ ଦ୍ରାବିଡ଼, ‘ଦି ୱାଲ୍‌’ । ଏଭଳି ଚରମ ସଙ୍କଟ ପାଇଁ ଭାଉଜ, ଝିଅ ପଲ୍ଲବୀ ଓ ପୁଅ ପ୍ରତ୍ୟୟ ପ୍ରସ୍ତୁତ ହେବାର ଆଦୌ ସୁଯୋଗ ପାଇନଥିଲେ । ସେମାନେ କଷ୍ଟ କ’ଣ ଜାଣି ନାହାନ୍ତି । ବର୍ତ୍ତମାନ ସେମାନଙ୍କ କଥା ଭାବିଲା ବେଳକୁ ଛାତି ଥରି ଉଠୁଛି । କେମିତି ଜୀବନ ବିତାଇବେ ସେମାନେ ?

ଏମିତିଆ ନିଖୁଣ, ଦରଦୀ, ଦାର୍ଶନିକ, ଆଦର୍ଶବାଦୀ ପୋଲିସ୍‌ ଅଫିସର ଓ ସାହିତ୍ୟିକ ଆଉ ସୃଷ୍ଟି ହେବେନି । ମୋ ମନରେ ଅସରନ୍ତି ପ୍ରଶ୍ନ । ସେ ପ୍ରଶ୍ନସବୁ ଅସମାହିତ ରହିବ । ଏଲିଅଟ୍ ଲେଖିଲା ଭଳି, ‘life ends, not with a bang, but with a whimper’ । ଜୀବନର ଦିନେ ଅନ୍ତ ଘଟେ । ପ୍ରବଳତା ମଧ୍ୟରେ ନୁହେଁ, ଶୂନ୍ୟତାରେ । ସବୁକିଛି ନୀରବତାରେ ଲୀନ ହୋଇଯାଏ । ତାହା ହିଁ ସତ୍ୟ । ସେଥିପାଇଁ ମାନସିକ ସଙ୍କୀର୍ଣ୍ଣତାରୁ ଊର୍ଦ୍ଧ୍ଵରେ ରହିବା । ସେ ଯାହା କହୁଥିଲେ ତାହା ହେବ । ଦେବାଶିଷ ପାଣିଗ୍ରାହୀଙ୍କ ସାହିତ୍ୟ ତାଙ୍କ ଜୀବନକୁ ଅତିକ୍ରାନ୍ତ କରିବ ।

(ଲେଖକ ଜଣେ ବରିଷ୍ଠ ପୋଲିସ ଅଧିକାରୀ)

Comments are closed.