ପୁରୀ: ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ତଥା କିମ୍ବଦନ୍ତୀ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତରେ ସାରା ଓଡିଶାବାସୀ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହ କଳା ଜଗତରେ ଏହା ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଅନେକ ଚଳଚ୍ଚିତ୍ରରେ ସେ ଛାଡ଼ି ଯାଇଥିବା ଛାପ ଲୋକଙ୍କ ହୃଦୟରେ ତାଙ୍କୁ ଚିର ଅମର କରି ରଖିବ ।
ଏହି ଅବସରରେ ଆଜି ପୁରୀ ବେଳାଭୂମିରେ ସ୍ବର୍ଗତଃ ଉତ୍ତମ ମହାନ୍ତିଙ୍କ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l ସ୍ୱର୍ଗତଃ ଉତ୍ତମ ମହାନ୍ତିଙ୍କ ଏହି ବାଲୁକା କଳାରେ ସ୍ଥାନ ଦିଆଯାଇଥିବାବେଳେ ହୃଦୟରେ ଉତ୍ତମ ଲେଖାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି l
ସୂଚନାଯୋଗ୍ୟ, ଉତ୍ତମଙ୍କର ଗୁରୁବାର ବିଳମ୍ବିତ ରାତିରେ ପରଲୋକ ହୋଇଥିଲା । ୬୬ ବର୍ଷୀୟ ଉତ୍ତମ କିଛିଦିନ ହେଲା ଲିଭର ସିରୋସିସ୍ ରୋଗରେ ପୀଡ଼ିତ ହୋଇ ଗୁରୁଗ୍ରାମ ସ୍ଥିତ ମେଦାନ୍ତା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ପରଲୋକରେ କେବଳ ଓଲିଉଡ୍ ନୁହେଁ, ଓଡ଼ିଶା ତଥା ଦେଶର ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି ।
Comments are closed.