ୱାସିଂଟନ: ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଆଜି ହ୍ବାଇଟ୍ ହାଉସ୍ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି। ଏଠାରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ୟୁକ୍ରେନର ଜେଲେନସ୍କିଙ୍କ ମଧ୍ୟରେ ଯୁଦ୍ଧକୁ ନେଇ ଆଲୋଚନା ହୋଇଛି। ଏହି ଆଲୋଚନା ବେଳେ ଦୁଇ ରାଷ୍ଟ୍ରପତି ମୁହାଁମୁହିଁ ପରିସ୍ଥିତି ଉପୁଜିଛି।
ଗଣମାଧ୍ୟମ ଉପସ୍ଥିତିରେ ଯୁଦ୍ଧ ରୋକିବାକୁ ନେଇ ଟ୍ରମ୍ପ-ଜେଲେନସ୍କି ମଧ୍ୟରେ କଥା କଟାକଟି ହୋଇଛି। ଟ୍ରମ୍ପ ଯୁଦ୍ଧ ଲମ୍ବା ସମୟ ଧରି ଚାଲିବା ନେଇ ଜେଲେନସ୍କିଙ୍କୁ ଦାୟୀ କରିଛନ୍ତି। ଏହା ସହିତ ତୃତୀୟ ବିଶ୍ବଯୁଦ୍ଧକୁ ୟୁକ୍ରେନ ଉସୁକାଉଛି ବୋଲି କହିଛନ୍ତି। ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ଅନ୍ୟ ସଚିବମାନଙ୍କ ଉପସ୍ଥିତିରେ ଟ୍ରମ୍ପ ୟୁକ୍ରେନକୁ ଘେରିଥିଲେ ଏବଂ ଯୁଦ୍ଧର ସାଂପ୍ରତିକ ସ୍ଥିତି ପାଇଁ ୟୁକ୍ରେନର ବିଭିନ୍ନ ପଦକ୍ଷେପ ଦାୟୀ କରିଥିଲେ। ଜେଲେନସ୍କି ଟ୍ରମ୍ପଙ୍କ ଯୁକ୍ତିକୁ ଖଣ୍ଡନ କରି ୟୁକ୍ରେନ ନିଜ ଅଞ୍ଚଳର ସୁରକ୍ଷା ପାଇଁ କୌଣସି ସାଲିସ କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ।
ୟୁକ୍ରେନର ଯୁଦ୍ଧ ପରବର୍ତ୍ତୀ ପୁନଃନିର୍ମାଣ ପାଣ୍ଠି ଉପରେ ୟୁକ୍ରେନ ଫୋକସ୍ କରିଛି। ଭବିଷ୍ୟତରେ ସମ୍ଭାବ୍ୟ ରୁଷୀୟ ସାମରିକ କାର୍ଯ୍ୟାନୁଷ୍ଠାନ କବଳରୁ ୟୁକ୍ରେନକୁ ସୁରକ୍ଷା ଦେବାପାଇଁ ଜେଲେନସ୍କି ଆମେରିକାଠାରୁ ଏକ ସୁରକ୍ଷା ପ୍ରତିଶ୍ରୁତି ଚାହିଛନ୍ତି। ତେବେ ଟ୍ରମ୍ପ ଜେଲେନସ୍କିଙ୍କୁ ଅଧିକ ସୁରକ୍ଷା ପାଇଁ କୌଣସି ପ୍ରତିଶ୍ରୁତି ଦେଇନାହାନ୍ତି। ନାଟୋ ଏବଂ ଅନ୍ୟ ୟୁରୋପୀୟ ରାଷ୍ଟ୍ରମାନେ ଏ ଦିଗରେ ଅଧିକ ପଦକ୍ଷେପ ନେବା ଉପରେ ଟ୍ରମ୍ପ ଗୁରୁତ୍ବାରୋପ କରିଛନ୍ତି। ରୁଷ୍ ସହ ଯୁଦ୍ଧକୁ ନେଇ ଜେଲେନସ୍କି କହିଛନ୍ତି ଯେ ରୁଷ୍ ଆମର ଅଂଚଳ ଅକ୍ତିଆର କରିଛି ଏବଂ ଏହା ଫେରି ନପାଇବା ପର୍ଯ୍ୟନ୍ତ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କୌଣସି ସାଲିସ କରାଯିବ ନାହିଁ।
ଏ ବାବଦରେ ଟ୍ରମ୍ପ କହିଛନ୍ତି, ୟୁକ୍ରେନ ରୁଷ୍ଠାରୁ ଅଞ୍ଚଳ ଫେରିପାଇବା ପାଇଁ ନିଜେ ଉଦ୍ୟମ କରିବା ଆବଶ୍ୟକ। ଏଥିରେ ଆମେରିକା କୌଣସି ହସ୍ତକ୍ଷେପ କରିପାରିବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ରୁଷକୁ ରୋକିବାକୁ ନେଇ ଟ୍ରମ୍ପଙ୍କ ରଣନୀତିକୁ ନାପସନ୍ଦ କଲେ ଜେଲେନ୍ସ୍କି। ଯୁଦ୍ଧ ବିରାମରେ ସହମତି ହେବାକୁ ଜେଲେନସ୍କିଙ୍କୁ ଚେତାବନୀ ଦେଲେ ଟ୍ରମ୍ପ।
Comments are closed.