ନୂଆଦିଲ୍ଲୀ: ୟୁକ୍ରେନରେ ରକ୍ତପାତ ବନ୍ଦ କରିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଶେଷ ଅଲ୍ଟିମେଟମ୍ ଦେଇଛନ୍ତି। ପୁଟିନଙ୍କ ପାଖରେ ଏହି ସଂଘର୍ଷ ବନ୍ଦ୍ କରିବା ପାଇଁ ମାତ୍ର ୧୦ ରୁ ୧୨ ଦିନ ସମୟ ଅଛି ବୋଲି ଚେତାବନୀ ଦେଇଛନ୍ତି ଟ୍ରମ୍ପ। ପୂର୍ବରୁ ଟ୍ରମ୍ପ ୫୦ ଦିନ ଦେଇଥିଲେ, କିନ୍ତୁ ସୋମବାର ସେ ଏହି ସମୟସୀମାକୁ କମାଇ ଦେଇଛନ୍ତି। ଏବେ ସେ ଚାହାଁନ୍ତି ଯେ ୭ ରୁ ୯ ଅଗଷ୍ଟ ପର୍ଯ୍ୟନ୍ତ ଶାନ୍ତି ପାଇଁ କଠିନ ପଦକ୍ଷେପ ନିଆଯିବ।
ଟ୍ରମ୍ପ ସ୍କଟଲ୍ୟାଣ୍ଡ ଗସ୍ତ ସମୟରେ ଏନେଇ ପୁଟିନଙ୍କୁ ଅବଗତ କରିଛନ୍ତି। କହିଛନ୍ତି, ଅପେକ୍ଷା କରିବାର କୌଣସି ଲାଭ ନାହିଁ। ଏବେ ଏହାକୁ ୧୦ ରୁ ୧୨ ଦିନ ଭିତରେ ଶେଷ କରିବାକୁ ପଡ଼ିବ। ଆମେ କୌଣସି ପ୍ରଗତି ଦେଖୁନାହୁଁ। ଟ୍ରମ୍ପ ସ୍ପଷ୍ଟ ଭାବରେ ପୁଟିନଙ୍କୁ କହିଥିଲେ ଯେ ତାଙ୍କୁ ଆପୋଷ ବୁଝାମଣା କରିବାକୁ ପଡିବ, କାରଣ ବହୁତ ଲୋକ ମରୁଛନ୍ତି।
ୟୁକ୍ରେନୀୟ ବାୟୁସେନା ଅନୁଯାୟୀ, ରୁଷ ରାତାରାତି ୩୦୦ ରୁ ଅଧିକ ଡ୍ରୋନ୍, ୪ କ୍ରୁଜ୍ ମିସାଇଲ୍ ଏବଂ ୩ ବାଲିଷ୍ଟିକ୍ ମିସାଇଲ୍ ସହିତ ଆକ୍ରମଣ କରିଛି। କିଭ୍ର ଡାର୍ନିଟ୍ସ୍କି ଜିଲ୍ଲାରେ ଏକ ଡ୍ରୋନ୍ ଆକ୍ରମଣରେ ଏକ ୨୫ ମହଲା ବିଶିଷ୍ଟ ଆବାସିକ କୋଠାର ଝରକା ଭାଙ୍ଗି ଦିଆଯାଇଛି। କିଭ୍ର ସେନା ପ୍ରଶାସନ ମୁଖ୍ୟ ଟାଇମୁର ତକାଚେଙ୍କୋ କହିଛନ୍ତି ଯେ ଏହି ଆକ୍ରମଣରେ ୮ ଜଣ ଆହତ ହୋଇଛନ୍ତି, ଯେଉଁଥିରେ ଜଣେ ୪ ବର୍ଷୀୟ ଝିଅ ମଧ୍ୟ ସାମିଲ ଅଛି। ଏହି ଆକ୍ରମଣରେ କେନ୍ଦ୍ରୀୟ ୟୁକ୍ରେନର କ୍ରୋପିଭନିଟ୍ସ୍କିରେ ମଧ୍ୟ ନିଆଁ ଲାଗିଥିଲା, କିନ୍ତୁ ସେଠାରେ କୌଣସି କ୍ଷତି ହୋଇନାହିଁ। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ସେମାନଙ୍କର ଆକ୍ରମଣ ୟୁକ୍ରେନରେ ଏକ ବିମାନବନ୍ଦର ଏବଂ ଏକ ଅସ୍ତ୍ରଶସ୍ତ୍ର ଡିପୋକୁ ଟାର୍ଗେଟ କରିଥିଲା, ଯେଉଁଥିରେ ଡ୍ରୋନ୍ ତିଆରି ପାଇଁ ବ୍ୟବହୃତ ସାମଗ୍ରୀ ମଧ୍ୟ ଥିଲା।
ଯାହାକୁ ନେଇ ପୁଟିନଙ୍କୁ କଡ଼ା ସମାଲୋଚନା କରି ଟ୍ରମ୍ପ୍ କହିଛନ୍ତି ଯେ ସେ ଯୁଦ୍ଧ ଶେଷ କରିବା ବିଷୟରେ କଥାବାର୍ତ୍ତା କରନ୍ତି, କିନ୍ତୁ ୟୁକ୍ରେନୀୟ ନାଗରିକଙ୍କ ଉପରେ ବୋମାମାଡ଼ ଜାରି ରଖନ୍ତି। ଏହା ଉପାୟ ନୁହେଁ। ମୁଁ ପୁଟିନ୍ଙ୍କ ଉପରେ ନିରାଶ ଅଛି। ପୁଟିନ୍ଙ୍କୁ ଭେଟିବା ବିଷୟରେ ପଚରାଯିବାରୁ ଟ୍ରମ୍ପ୍ କହିଛନ୍ତି, ମୁଁ ଆଉ ଆଲୋଚନାରେ ଆଗ୍ରହୀ ନୁହେଁ। ତଥାପି, ସେ ଏହା ମଧ୍ୟ କହିଛନ୍ତି ଯେ ସେ ରୁଷିଆ ଲୋକଙ୍କୁ ଭଲ ପାଆନ୍ତି ଏବଂ ରୁଷିଆ ପ୍ରତି କଠୋର ହେବାକୁ ଚାହାଁନ୍ତି ନାହିଁ, କିନ୍ତୁ ଯୁଦ୍ଧରେ ରୁଷିଆ ଏବଂ ୟୁକ୍ରେନିଆନ ଲୋକଙ୍କ ମୃତ୍ୟୁ ତାଙ୍କୁ ବାଧ୍ୟ କରୁଛି। ଟ୍ରମ୍ପ କହିଛନ୍ତି ଯେ ସେ ରୁଷିଆ ଉପରେ କଠୋର ଶୁଳ୍କ ଏବଂ ଏହାର ବାଣିଜ୍ୟିକ ଅଂଶୀଦାର ଦେଶଗୁଡ଼ିକ ଉପରେ ଦ୍ୱିତୀୟ ଶୁଳ୍କ ଲାଗୁ କରିବାକୁ ଯୋଜନା କରୁଛନ୍ତି। ଯାହାର ଆନୁଷ୍ଠାନିକ ଘୋଷଣା ସୋମବାର କିମ୍ବା ମଙ୍ଗଳବାର କରାଯାଇପାରେ।
ଅନ୍ୟପଟେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ମୁଖ୍ୟ ଆଣ୍ଡ୍ରି ୟର୍ମାକ୍ ଟ୍ରମ୍ପଙ୍କ ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ସେ ଟେଲିଗ୍ରାମରେ ଲେଖିଛନ୍ତି, ପୁଟିନ୍ କେବଳ କ୍ଷମତାର ଭାଷା ବୁଝନ୍ତି, ଏବଂ ଏହା ସ୍ପଷ୍ଟ ଏବଂ ଦୃଢ଼ ଭାବରେ କୁହାଯାଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସକି ମଧ୍ୟ ଏହି ମତକୁ ସମର୍ଥନ କରିଛନ୍ତି।
ତେବେ କହିରଖୁଛୁ, ରୁଷିଆ ଏବଂ ୟୁକ୍ରେନ୍ ମଧ୍ୟରେ ଶାନ୍ତି ପାଇଁ ଆମେରିକା ଲଗାତାର ପ୍ରୟାସ ଜାରି ରଖିଥିବା ବେଳେ, ଟ୍ରମ୍ପଙ୍କ ନେତୃତ୍ୱରେ ପ୍ରୟାସ ଏପର୍ଯ୍ୟନ୍ତ ବିଫଳ ହୋଇଛି। ଏହି ନୂତନ ସମୟସୀମା ଉପରେ ରୁଷିଆ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ଟ୍ରମ୍ପଙ୍କ ଏହି ଚରମବାଣୀ ୟୁକ୍ରେନ୍-ରୁଷିଆ ଯୁଦ୍ଧରେ ଏକ ନୂତନ ମୋଡ଼ ଆଣିପାରେ, କିନ୍ତୁ ଏହା ଶାନ୍ତିର ପଥ ଖୋଲିବ କି ନାହିଁ ତାହା ଦେଖିବାକୁ ବାକି ଅଛି।
Comments are closed.