Trump’s Tariff: ଭାରତ ସମେତ ୬୦ ଦେଶ ଉପରେ ଟ୍ରମ୍ପଙ୍କ ଟାରିଫ୍ ବୋମା, ଆଣିଲେ ‘ବଳପୂର୍ବକ ଶ୍ରମ’ ଅଭିଯୋଗ, ଜାଣନ୍ତୁ ଏବେ କେତେ ଦେବାକୁ ପଡିବ ଶୁଳ୍କ?
ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଳପୂର୍ବକ ଶ୍ରମ (Forced Labour) ମାଧ୍ୟମରେ ଉତ୍ପାଦିତ ସାମଗ୍ରୀ ବିରୋଧରେ ବଡ଼ ପଦକ୍ଷେପ ନେଇ ଭାରତ ସମେତ ୧୭ଟି ଦେଶରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ୧୦ ପ୍ରତିଶତ ଆମଦାନି ଶୁଳ୍କ (Tariff) ଲାଗୁ କରିଛନ୍ତି। ଏହି ନୂଆ ଶୁଳ୍କ ଆମେରିକାର ଟ୍ରେଡ୍ ଆକ୍ଟ-୧୯୭୪ର ଧାରା ୩୦୧ (Section 301 of the Trade Act) ଅନୁସାରେ ଲାଗୁ କରାଯାଇଛି।
ଗତ ମାସରେ ଆମେରିକା ପକ୍ଷରୁ ପ୍ରସ୍ତାବିତ ତାଲିକାରେ ଭାରତ ଉପରେ ୧୨.୫ ପ୍ରତିଶତ ଶୁଳ୍କ ଲାଗିବାକୁ କୁହାଯାଇଥିଲା। କିନ୍ତୁ ପରେ ଭାରତ ନିଜ ବୈଦେଶିକ ବାଣିଜ୍ୟ ନୀତି (Foreign Trade Policy) ରେ ସଂଶୋଧନ କରି ବଳପୂର୍ବକ ଶ୍ରମରେ ଉତ୍ପାଦିତ ସାମଗ୍ରୀର ଆମଦାନି ଉପରେ ନିଷେଧାଜ୍ଞା ଲାଗୁ କରିଥିଲା। ଏହାକୁ ଧ୍ୟାନରେ ରଖି ଆମେରିକା ଭାରତ ପାଇଁ ପ୍ରସ୍ତାବିତ ଶୁଳ୍କକୁ ୧୨.୫ ପ୍ରତିଶତରୁ କମାଇ ୧୦ ପ୍ରତିଶତ କରିଛି।
ଏହି ପ୍ରସଙ୍ଗରେ ଜାରି କରାଯାଇଥିବା ସ୍ମାରକପତ୍ର (Memorandum)ରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, “ଏହି ଦେଶଗୁଡ଼ିକ ବଳପୂର୍ବକ ଶ୍ରମରେ ତିଆରି ସାମଗ୍ରୀ ଉପରେ ନିଷେଧାଜ୍ଞାକୁ ଅଧିକ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରନ୍ତୁ ବୋଲି ଉତ୍ସାହିତ କରିବା ପାଇଁ ୧୦ ପ୍ରତିଶତ ଶୁଳ୍କ ଲାଗୁ କରାଯାଉଛି।”
ଆମେରିକାର ବାଣିଜ୍ୟ ପ୍ରତିନିଧି (USTR) ଜାମିସନ୍ ଗ୍ରିଅର୍ ଗୁରୁବାର ଘୋଷଣା କରିଛନ୍ତି ଯେ, ମୋଟ ୬୦ଟି ଦେଶ ଉପରେ ଏହି ନୂଆ ଶୁଳ୍କ ଲାଗୁ ହେବ। ୧୭ଟି ଦେଶ ଉପରେ ୧୦% ଶୁଳ୍କ ଲାଗିବ ଏବଂ ଅବଶିଷ୍ଟ ୪୩ଟି ଦେଶ ଉପରେ ୧୨.୫% ଶୁଳ୍କ ଲାଗୁ ହେବ। ୧୦% ଶୁଳ୍କ ଲାଗୁଥିବା ପ୍ରମୁଖ ଦେଶ ତାଲିକାରେ ଭାରତ, କାନାଡା, ବ୍ରିଟେନ, ବାଂଲାଦେଶ ଓ ପାକିସ୍ତାନ ସମେତ ମୋଟ ୧୭ଟି ଦେଶ ରହିଛନ୍ତି। ଯେଉଁ ଦେଶଗୁଡ଼ିକରେ ବଳପୂର୍ବକ ଶ୍ରମରେ ଉତ୍ପାଦିତ ସାମଗ୍ରୀର ଆମଦାନିକୁ ରୋକିବା ପାଇଁ ସ୍ପଷ୍ଟ ଆଇନ ନାହିଁ, ସେମାନଙ୍କ ଉପରେ ୧୨.୫ ପ୍ରତିଶତ ଶୁଳ୍କ ଲାଗୁ ହେବ। ଏଥିରେ ଚୀନ, ଜାପାନ ଓ ବ୍ରିଟେନ ଭଳି ଦେଶର ଉଲ୍ଲେଖ କରାଯାଇଛି।
ଆମେରିକା ସରକାର କହିଛନ୍ତି ଯେ କିଛି କ୍ଷେତ୍ରରେ ଏହି ଶୁଳ୍କ ଲାଗୁ ହେବ ନାହିଁ। ସେଗୁଡ଼ିକ ହେଲା, ଯେଉଁ କଞ୍ଚାମାଲ (Raw Materials) ଉପରେ ଶୁଳ୍କ ଲାଗିଲେ ଆମେରିକାରେ ଯୋଗାଣ ସଙ୍କଟ ସୃଷ୍ଟି ହୋଇପାରେ। ଯେଉଁ ସାମଗ୍ରୀ ଉପରେ ଶୁଳ୍କ ଲାଗିଲେ ସମଗ୍ର ଅର୍ଥନୀତିରେ ବ୍ୟାପକ ବିଘ୍ନ ସୃଷ୍ଟି ହୋଇପାରେ। ଯେଉଁ ସାମଗ୍ରୀକୁ ଆମେରିକାରେ ପର୍ଯ୍ୟାପ୍ତ ପରିମାଣରେ ଉତ୍ପାଦନ କିମ୍ବା ଚାଷ କରାଯାଇପାରେ ନାହିଁ।
ନୂଆ ଶୁଳ୍କ ଶୁକ୍ରବାର ରାତି ୧୨ଟା ୦୧ ମିନିଟ୍ (12:01 AM) ଠାରୁ କାର୍ଯ୍ୟକାରୀ ହୋଇଛି। ଏହା ଏମିତି ସମୟରେ ଲାଗୁ ହୋଇଛି, ଯେତେବେଳେ ସମସ୍ତ ଦେଶ ଉପରେ ଲାଗୁ ଥିବା ଅସ୍ଥାୟୀ ୧୦ ପ୍ରତିଶତ ଆମଦାନି କରର ଅବଧି ଶେଷ ହୋଇଯାଇଥିଲା। ସେହି ଅସ୍ଥାୟୀ କର ଫେବୃଆରୀରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଲାଗୁ କରାଯାଇଥିଲା, ଯେଉଁଥିରେ ୨୦୨୫ ଏପ୍ରିଲରେ ଘୋଷିତ ଟ୍ରମ୍ପଙ୍କ ‘ଲିବରେସନ ଡେ’ ଶୁଳ୍କକୁ ଅବୈଧ କରାଯାଇଥିଲା।
ଆମେରିକୀୟ ବାଣିଜ୍ୟ ପ୍ରତିନିଧି କାର୍ଯ୍ୟାଳୟ (USTR) କହିଛି ଯେ, ରାଷ୍ଟ୍ରପତି ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଧାରା ୩୦୧ ଅନୁଯାୟୀ ଏହି ଚୂଡ଼ାନ୍ତ ପଦକ୍ଷେପ ନିଆଯାଇଛି। ବଳପୂର୍ବକ ଶ୍ରମରେ ତିଆରି ସାମଗ୍ରୀର ଆମଦାନିକୁ ରୋକିବାରେ ବିଫଳ ଦେଶମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଜାମିସନ୍ ଗ୍ରିଅର୍ କହିଛନ୍ତି, “ଏହି ପଦକ୍ଷେପ କେବଳ ମାନବାଧିକାର ସୁରକ୍ଷା ପାଇଁ ନୁହେଁ, ବରଂ ବିଶ୍ୱ ବାଣିଜ୍ୟରେ ଅସମାନ ପ୍ରତିସ୍ପର୍ଧାକୁ କମାଇ ସମସ୍ତ ଶ୍ରମିକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ମଧ୍ୟ ଉଦ୍ଦିଷ୍ଟ।”
ଏଥିସହ USTR ପକ୍ଷରୁ ଜାରି ଫେଡେରାଲ ନୋଟିସରେ ଭାରତ ଗତ ଜୁନ୍ରେ ପ୍ରସ୍ତାବିତ ଶୁଳ୍କ ପରେ ବଳପୂର୍ବକ ଶ୍ରମରେ ତିଆରି ସାମଗ୍ରୀର ଆମଦାନି ଉପରେ ନିଷେଧ ଲାଗୁ କରିଥିବା କଥାକୁ ବିଶେଷ ଭାବେ ଉଲ୍ଲେଖ କରାଯାଇଛି।