Latest Odisha News

BREAKING NEWS

ଚୀନକୁ ଟ୍ରମ୍ପଙ୍କ ଟାରିଫ୍ ଧମକ: ଶୁଳ୍କ ଯୁଦ୍ଧରେ ଚୀନ ଉପରେ ଲାଗିବ ଆହୁରି ୫୦ ପ୍ରତିଶତ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଚୀନ୍ ଉପରେ ଘୋଷିତ ଚୀନ୍ ଆମଦାନୀ ଶୁଳ୍କରେ ଆହୁରି ୫୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବାକୁ ଚେତାବନୀ ଦେଇଛନ୍ତି । ପୂର୍ବରୁ ପାରସ୍ପରିକ ଶୁଳ୍କ ନୀତିରେ ଆମେରିକା ଚୀନ ଉପରେ ୩୪ ପ୍ରତିଶତ ଟାରିଫ୍ ଲାଗୁ କରିଥିଲା । ପରେ ଏନେଇ ଚୀନର ପଦକ୍ଷେପ ପରେ ପୁଣି ଆଉ ୫୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବାକୁ ଧମକ ଦେଇଛି ଆମେରିକା । ଯାହର ଜବାବରେ ଚୀନ, ଆମେରିକାର ଟାରିଫ୍ ବ୍ଲାକମେଲକୁ ସେ ଡରିନି ଏବଂ ବମେରିକାର ଏଭଳି ପଦକ୍ଷେପ ଭିତ୍ତିହୀନ ବୋଲି କହିଛି ।

ତେବେ ଏବେ ସାରା ବିଶ୍ବରେ ଜାରି ରହିଛି ଶୁଳ୍କ ଯୁଦ୍ଧ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବର ୧୧୮ଟି ଦେଶ ଉପରେ ରେସିପ୍ରୋକାଲ ଟାରିଫ୍ ଲାଗୁ କରିଛନ୍ତି । କାହା ଉପରେ ୧୬ ତ, କାହା ଉପରେ ୨୬, କିଛି କିଛି ଦେଶ ଉପରେ ୫୦ ପ୍ରତିଶତ ଲଗାଇଛନ୍ତି ଆମେରିକା ଶୁଳ୍କ । ଯେଉଁଥିରେ ଭାରତୀୟ ସାମଗ୍ରୀ ଆମଦାନୀ ଉପରେ ୨୬ ପ୍ରତିଶତ ଶୁଳ୍କ ଲାଗୁ କରାଯାଇଛି। ଯାହାକୁ ନେଇ ବିଶ୍ବ ବଜାରରେ ହଇଚଇ ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ଚୀନ ଉପରେ ଆମେରିକା ୩୪ ପ୍ରତିଶତ ଟାରିଫ୍ ଲଗାଇଥିବା ବେଳେ, ଏହାର ଜବାବରେ ପାଲଟା ୩୪ ପ୍ରତିଶତ ଟାରିଫ୍ ଆମେରିକା ଉପରେ ଲଗାଇଥିଲା ଚୀନ । ଏହା ଆସନ୍ତା ୧୦ ତାରିଖରୁ ଲାଗୁ ହେବ । ଯାହାର ଜବାବରେ ଏବେ ଚୀନକୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ଟ୍ରମ୍ପ୍ ଚୀନକୁ ଆମେରିକାର ଆମଦାନୀ ଉପରେ ଲଗାଇଥିବା ୩୪ ପ୍ରତିଶତ ପାରସ୍ପରିକ ଶୁଳ୍କ ଘୋଷଣାକୁ ପ୍ରତ୍ୟାହାର କରିବା ପାଇଁ ଗୋଟିଏ ଦିନ ସମୟ ଦେଇଛନ୍ତି । ଆଉ କହିଛନ୍ତି ଯଦି ଚୀନ ସମୟସୀମା ମଧ୍ୟରେ ୩୪ ପ୍ରତିଶତ ଟାରିଫ୍ ପ୍ରତ୍ୟାହାର ନକରେ, ତେବେ ଆସନ୍ତା ଏପ୍ରିଲ୍ ୯ରୁ ଚୀନ ଉପରେ ଆହୁରି ଅତିରିକ୍ତ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବ ଆମେରିକା ।

ସେପଟେ ଟ୍ରମ୍ପଙ୍କ ଧମକର ଜବାବରେ ଚୀନର ବାଣିଜ୍ୟ ମନ୍ତ୍ରଣାଳୟ କହିଛି, ଏହା ନିଜ ଅଧିକାର ଏବଂ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଦୃଢ଼ ପ୍ରତିକାର କରିବ । ଆମେରିକୀୟ ପକ୍ଷର ଚୀନ୍ ବିରୁଦ୍ଧରେ ଶୁଳ୍କ ବୃଦ୍ଧି କରିବାର ଧମକ ଏକ ଭୁଲ ଉପରେ ଆଉ ଏକ ଭୁଲ, ପୁଣି ଥରେ ଆମେରିକୀୟ ପକ୍ଷର ବ୍ଲାକମେଲିଂ ପ୍ରକୃତିକୁ ପ୍ରକାଶ କରୁଛି । ଯଦି ଆମେରିକା ନିଜ ରାସ୍ତାରେ ରହିବାକୁ ଜିଦ୍ ଧରିଥାଏ, ତେବେ ଚୀନ୍ ଶେଷ ପର୍ଯ୍ୟନ୍ତ ଲଢ଼ିବ ।

ଏଥିସହିତ ଟ୍ରମ୍ପଙ୍କ ଅତିରିକ୍ତ ଘୋଷଣା ପରେ, ଚୀନର ସରକାରୀ ପ୍ରକାଶନ, ଗ୍ଲୋବାଲ୍ ଟାଇମ୍ସ, ବିଶ୍ୱ ବାଣିଜ୍ୟ ଅଂଶୀଦାରଙ୍କ ଉପରେ ଆମେରିକା ସରକାରଙ୍କ ସଦ୍ୟତମ ଶୁଳ୍କ ବୃଦ୍ଧିକୁ ନିନ୍ଦା କରି ଏହାକୁ କ୍ଷମତାର ଅପବ୍ୟବହାର ଏବଂ ପାରସ୍ପରିକ ସମ୍ପର୍କ ଭାବରେ ଛଦ୍ମବେଶୀ ଆର୍ଥିକ ବ୍ଲାକମେଲ୍ ବୋଲି କହିଛି । ଆମେରିକାର ଏହି ପଦକ୍ଷେପ ଅନ୍ତର୍ଜାତୀୟ ବାଣିଜ୍ୟ ନିୟମ ଉଲ୍ଲଂଘନ କରୁଛି । ଯାହା ବିଶ୍ୱ ଅର୍ଥନୈତିକ ସ୍ଥିରତାକୁ କ୍ଷତି ପହଞ୍ଚାଇବ ବୋଲି ଦାବି କରିଛି ଗ୍ଲୋବାଲ୍ ଟାଇମ୍ସ ।

ଅନ୍ୟପକ୍ଷରେ, ବର୍ତ୍ତମାନ ଆମେରିକାରେ ମୁଦ୍ରାସ୍ଫୀତିର ବିପଦ ବୃଦ୍ଧି ପାଇଛି । ଆଉ ଆମେରିକାର ଏବଂ ଚୀନ ମଧ୍ୟରେ ଚାଲିଥିବା ଏହି ଶୁଳ୍କ ଯୁଦ୍ଧରେ ଚୀନର ଅର୍ଥନୀତି ମଧ୍ୟ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ଯଦି ଚୀନ୍ ଉପରେ ଆମେରିକା ୫୦ ପ୍ରତିଶତ ଶୁଳ୍କ ଲଗାଇବାର ଟ୍ରମ୍ପଙ୍କ ଧମକ କାର୍ଯ୍ୟକାରୀ ହୁଏ, ତେବେ ଆମେରିକାକୁ ଚିନି ରପ୍ତାନି ପ୍ରାୟତଃ ବନ୍ଦ ହୋଇଯିବ । ଏଥିସହିତ ଚୀନ୍ ଧାତୁ ପରି ବିଭିନ୍ନ ଜିନିଷର ଉତ୍ପାଦଗୁଡ଼ିକ ପାଇଁ ଅନ୍ୟ ଦେଶରେ ଡେରା ପକାଇବାକୁ ଚେଷ୍ଟା କରିବ । ଯାହା ଅନ୍ତର୍ଜାତୀୟ ଧାତୁ ମୂଲ୍ୟକୁ ମଧ୍ୟ କମ୍ ରଖିବ । ତେବେ ଦେଖାଯାଉ ଏହାକୁ ନେଇ କି ପଦକ୍ଷେପ ଗ୍ରହଣ କରୁଛି ଚୀନ ? ପଛଘୁଞ୍ଚା ଦେଉଛି, ନା ଯେସାକୁ ତେସା ଆମେରିକା ନୀତିରେ ଶେଷ ଯାଏଁ ଲଢୁଛି ।

Comments are closed.