ନୂଆଦିଲ୍ଲୀ: ଇରାନ ପ୍ରତିବାଦରେ ଟ୍ରମ୍ପଙ୍କ ଏଣ୍ଟ୍ରି
ଜେନ୍ ଜେଡଙ୍କୁ କଲେ ସମର୍ଥନ
ଖାମେନେଇଙ୍କୁ ଦେଲେ ଧମକ
ଇରାନ ବି କହିଲା ନିଜ କଥା ସମ୍ଭାଳ…
ଗତ କିଛି ଦିନ ଧରି, ଖାମେନେଇ ସରକାରଙ୍କ ବିରୁଦ୍ଧରେ ସମଗ୍ର ଇରାନରେ ପ୍ରତିବାଦ ଜାରି ରହିଛି। ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି, ଏବଂ ସୁରକ୍ଷା କର୍ମୀମାନେ ସେମାନଙ୍କୁ ନିୟନ୍ତ୍ରଣ କରିବା କଷ୍ଟକର ହେଉଛି। ଏବେ ଏହି ତେଜୁଥିବା ପ୍ରତିବାଦରେ ଆମେରିକା ହସ୍ତକ୍ଷେପ କରିଛି, ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖାମେନେଇ ସରକାରଙ୍କୁ ଧମକ ଦେଇଛନ୍ତି। ଖାମେନେଇ ସରକାର ମଧ୍ୟ ଟ୍ରମ୍ପଙ୍କ ଧମକର କଡ଼ା ଜବାବ ରଖିଛନ୍ତି।
‘ଗୁଳି ଚାଲିଲେ ଆକ୍ରମଣ ହେବ’
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଖାମେନେଇ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି, ଯେ “ଯଦି ଇରାନ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚାଳନା କରେ ଏବଂ ସେମାନଙ୍କୁ ନିର୍ମମ ଭାବରେ ହତ୍ୟା କରେ, ଯାହା ସେମାନଙ୍କର ପୂର୍ବ ଅଭ୍ୟାସ, ତେବେ ଆମେରିକା ପ୍ରତିବାଦକାରୀଙ୍କ ସହଯୋଗରେ ଆସିବ। ଏଥିପାଇଁ ଆମେରିକା ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ।” ବୋଲି ଚେତାଇ ଦେଇଛନ୍ତି ଟ୍ରମ୍ପ୍। ଟ୍ରମ୍ପଙ୍କ ଏହି ସମର୍ଥନ ଇରାନରେ ଅର୍ଥନୈତିକ ସଙ୍କଟ ଏବଂ ରେକର୍ଡ ମୁଦ୍ରାସ୍ଫୀତି ସରକାରଙ୍କ ବିରୋଧରେ ବ୍ୟାପକ ପ୍ରତିବାଦକୁ ପ୍ରୋତ୍ସାହିତ କରୁଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବୟାନ ଜେନେରାଲ-ଜେଡ୍ ପ୍ରତିବାଦକାରୀଙ୍କ ଉତ୍ସାହକୁ ଆହୁରି ବୃଦ୍ଧି କରିଛି।
ଧମକକୁ ଖାତିର କଲାନି ଇରାନ
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକର ପ୍ରତିକ୍ରିୟା ଦେଇ, ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ଅଲି ଲାରିଜାନି କହିଛନ୍ତି, “ଆମେରିକା ଜାଣିବା ଉଚିତ ଯେ ଆମର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ସମଗ୍ର ଅଞ୍ଚଳରେ ବିଶୃଙ୍ଖଳା ବିସ୍ତାର କରିବା ସହିତ ସମାନ, ଏବଂ ଟ୍ରମ୍ପ ଏହା ଆରମ୍ଭ କରିସାରିଛନ୍ତି। ଏବେ ସେମାନେ ନିଜ ସୈନିକଙ୍କ ବିଷୟରେ ଚିନ୍ତା କରିବା ଉଚିତ। ଆମେରିକା ଅନ୍ୟମାନଙ୍କୁ ବିପଦରେ ପକାଇବା ପୂର୍ବରୁ ନିଜ ସୈନିକଙ୍କ ଉପରେ ଧ୍ୟାନ ଦେବା ଉଚିତ।
୧୧୩ ଟି ସ୍ଥାନରେ ପ୍ରତିବାଦ
୨୮ ଡିସେମ୍ବର ୨୦୨୫ ରେ ତେହେରାନରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା, ଯେତେବେଳେ ଦୋକାନୀମାନେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ଆର୍ଥିକ ସଙ୍କଟର ପ୍ରତିବାଦରେ ଧର୍ମଘଟ କରିଥିଲେ। ପରବର୍ତ୍ତୀ ସମୟରେ ଏହି ପ୍ରତିବାଦ ସାରା ଦେଶରେ ବ୍ୟାପି ଯାଇଥିଲା। ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇ ଖାମେନେଇ ସରକାରଙ୍କୁ ତଡ଼ିବା ପାଇଁ ଏକାଠି ହୋଇଛନ୍ତି। ସେପଟେ ଇରାନୀ ମୁଦ୍ରା, ରିଆଲ, ଡଲାର ତୁଳନାରେ ୧.୪୨ ନିୟୁତ ରିଆଲ ରେକର୍ଡ ସର୍ବନିମ୍ନ ସ୍ତରରେ ଖସିଗଲା। ଏହା ଲୋକଙ୍କୁ କ୍ରୋଧିତ କରିଥିଲା ଏବଂ ଅନେକ ଦୋକାନୀ ସେମାନଙ୍କ ଦୋକାନ ବନ୍ଦ କରିଦେଇଥିଲେ। ଏହା ବ୍ୟତୀତ, ସରକାରୀ ତଥ୍ୟ ଅନୁଯାୟୀ, ଡିସେମ୍ବରରେ ମୁଦ୍ରାସ୍ଫୀତି ୪୨.୨ ପ୍ରତିଶତରେ ପହଞ୍ଚିଛି, ଯାହା ନଭେମ୍ବର ତୁଳନାରେ ୧.୮ ପ୍ରତିଶତ ଅଧିକ। ଖାଦ୍ୟ ସାମଗ୍ରୀ ମୂଲ୍ୟ ଗତ ବର୍ଷ ତୁଳନାରେ ୭୨ ପ୍ରତିଶତ ବୃଦ୍ଧି ପାଇଛି, ଯେତେବେଳେ ସ୍ୱାସ୍ଥ୍ୟ ଏବଂ ଔଷଧ ସାମଗ୍ରୀ ୫୦ ପ୍ରତିଶତ ମହଙ୍ଗା ହୋଇଛି। ଇରାନରେ କ୍ରମାଗତ ଭାବରେ ଅବନତିଶୀଳ ଅର୍ଥନୀତିକୁ ନେଇ ବହୁ ସଂଖ୍ୟକ ଲୋକ ଏବେ ରାସ୍ତାକୁ ଓହ୍ଲାଇଛନ୍ତି, ଖାମେନେଇ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଉଛନ୍ତି। ଇରାନ ସରକାର ପ୍ରତିବାଦ ବିରୁଦ୍ଧରେ ବହୁତ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ଅନେକ ପ୍ରତିବାଦକାରୀଙ୍କୁ ଗିରଫ କରାଯାଇଛି, ଏବଂ ଏପର୍ଯ୍ୟନ୍ତ ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅନେକ ସହରରେ ଡଜନ ଡଜନ ଲୋକଙ୍କୁ ଗିରଫ କରାଯାଇଛି।