ନୂଆଦିଲ୍ଲୀ: ଏବେ ଉଠୁଛି ପଡୁଛି ଲସ୍ ଆଞ୍ଜେଲସ୍ । ଇମିଗ୍ରାଣ୍ଟ ନିୟମକୁ ନେଇ ପ୍ରତିବାଦ ତେଜିବାରେ ଲାଗିଛି । ପ୍ରବାସୀ ସମର୍ଥନ ପ୍ରତିବାଦକୁ ଦମନ କରିବା ପାଇଁ ଟ୍ରମ୍ପ ଲସ୍ ଆଞ୍ଜେଲସ୍ ରେ ନ୍ୟାସନାଲ ଗାର୍ଡ ସୈନିକଙ୍କୁ ନିଯୁକ୍ତ କରିଛନ୍ତି । ଯାହାକୁ କାଲିଫର୍ଣ୍ଣିଆ ରାଜ୍ୟପାଳ ଗାଭିନ୍ ନ୍ୟୁଜମ୍ ସମାଲୋଚନା କରିଛନ୍ତି, ଏମିତିକି ଏଥିପାଇଁ ରାଷ୍ଟ୍ରପତିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଚେତାବନୀ ମଧ୍ୟ ଦେଇଥିଲେ।
ପ୍ରବାସୀ ସମର୍ଥନ ପ୍ରତିବାଦକୁ ବନ୍ଦ କରିବା ପାଇଁ ଲସ୍ ଆଞ୍ଜେଲସ୍ ରେ ନ୍ୟାସନାଲ ଗାର୍ଡ ସୈନିକଙ୍କୁ ନିଯୁକ୍ତ କରିବାର ନିଷ୍ପତ୍ତିକୁ ନେଇ ଡୋନାଲ୍ଡ ଟ୍ରମ୍ପ ଏବଂ କାଲିଫର୍ଣ୍ଣିଆ ଡେମୋକ୍ରାଟଙ୍କ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତିଙ୍କ ୨୦୨୦ର ଏକ ପୁରୁଣା ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ଟ୍ରମ୍ପ “ରାଜ୍ୟପାଳଙ୍କ ଦ୍ୱାରା ଅନୁରୋଧ ନହେଲେ ସେ ନ୍ୟାସନାଲ ଗାର୍ଡକୁ ଡାକିପାରିବେ ନାହିଁ।” ବୋଲି କହିଛନ୍ତି । ୨୦୨୦ ମସିହାର ଡୋନାଲ୍ଡ ଟ୍ରମ୍ପଙ୍କର ଏହି ପୁରୁଣା ଭିଡିଓ ଏବେ ଚର୍ଚ୍ଚାରେ ରହିଛି । ତେବେ ପ୍ରବାସନ ସମର୍ଥକ ପ୍ରତିବାଦକାରୀଙ୍କୁ ଦମନ କରିବା ପାଇଁ ଲସ୍ ଆଞ୍ଜେଲସ୍ ଅଞ୍ଚଳରେ ତାଙ୍କ ପ୍ରଶାସନ ଦ୍ୱାରା ୪,୧୦୦ ରୁ ଅଧିକ ନ୍ୟାସନାଲ ଗାର୍ଡ ସଦସ୍ୟଙ୍କୁ ନିୟୋଜିତ କରିବା ନେଇ ଟ୍ରମ୍ପ ଏବଂ କାଲିଫର୍ଣ୍ଣିଆ ଡେମୋକ୍ରାଟଙ୍କ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରାଷ୍ଟ୍ରପତିଙ୍କ ପ୍ରଥମ କାର୍ଯ୍ୟକାଳର ଏହି କ୍ଲିପ୍ ଭାଇରାଲ ହେବାରେ ଲାଗିଛି ।
ଏବିସି ସହିତ ଏକ ସାକ୍ଷାତକାରରେ, ଟ୍ରମ୍ପ କହିଛନ୍ତି, ମୁଁ ଆଇନ ଶୃଙ୍ଖଳା ଫେରାଇ ଆଣିଛି। ଡେମୋକ୍ରାଟ ପରିଚାଳିତ ସହରଗୁଡ଼ିକୁ ଛାଡି, ଆମକୁ ଆଇନ ଅନୁସାରେ ଯିବାକୁ ପଡିବ। ଆମେ ନ୍ୟାସନାଲ ଗାର୍ଡରେ ସ୍ଥାନାନ୍ତର କରିପାରିବୁ ନାହିଁ। ମୁଁ ବିଦ୍ରୋହ ଡାକିପାରିବି, କିନ୍ତୁ କେବେ ତାହା କରିବାର କୌଣସି କାରଣ ନାହିଁ, ଏପରିକି ପୋର୍ଟଲ୍ୟାଣ୍ଡ ମାମଲାରେ ମଧ୍ୟ। ରାଜ୍ୟପାଳଙ୍କ ଦ୍ୱାରା ଅନୁରୋଧ ନହେଲେ ଆମେ ନ୍ୟାସନାଲ ଗାର୍ଡକୁ ଡାକିପାରିବୁ ନାହିଁ ।
ପାଞ୍ଚ ବର୍ଷ ପରେ, କାଲିଫର୍ଣ୍ଣିଆ ରାଜ୍ୟପାଳ ଗାଭିନ୍ ନ୍ୟୁସମ୍ ସୋମବାର କହିଛନ୍ତି ଯେ ସେ ଫେଡେରାଲ୍ ଆଇନକୁ ଅଣଦେଖା କରି ପ୍ରବାସନ ସମର୍ଥକ ପ୍ରତିବାଦକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବେ। ନ୍ୟୁସମଙ୍କ ଘୋଷଣା ପରେ, ଟ୍ରମ୍ପ୍ ଲସ୍ ଆଞ୍ଜେଲସ୍ରେ ପୂର୍ବରୁ ନିୟୋଜିତ ୨୦୦୦ ନ୍ୟାସନାଲ୍ ଗାର୍ଡ ସଦସ୍ୟଙ୍କ ସହିତ ୭୦୦ ଆମେରିକୀୟ ମାରିନ୍ ଏବଂ ୨୦୦୦ ଅତିରିକ୍ତ ନ୍ୟାସନାଲ୍ ଗାର୍ଡ ସୈନ୍ୟଙ୍କୁ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କାରଣ ଆମେରିକା ରାଷ୍ଟ୍ରପତିଙ୍କ ପ୍ରବାସୀ ବିରୋଧୀ କାର୍ଯ୍ୟାନୁଷ୍ଠାନ ବିରୋଧରେ ଗଣ ପ୍ରତିବାଦ ଚତୁର୍ଥ ଦିନରେ ପହଞ୍ଚିଥିଲା । ଆଉ ଦିନକୁ ଦିନ ହିସଂସା ତେଜିବାରେ ଲାଗିଛି । ଯାହାକୁ ନେଇ କଠୋର ହୋଇଛନ୍ତି ଟ୍ରମ୍ପ । ଫଳରେ ଏବେ ଟ୍ରମ୍ପ ବିରୋଧୀ ସ୍ବର ଜୋର ତେଜିଛି ।
ସେପଟେ ଭିଡିଓ ଭାଇରାଲ ହେବା ପରେ ଏକ ସାକ୍ଷାତକାରରେ, ନ୍ୟୁସମ୍ ଆଉ ଏକ ପାଦ ଆଗକୁ ଯାଇ, ଲସ୍ ଆଞ୍ଜେଲସ୍ର ରାସ୍ତାରୁ ପ୍ରଦର୍ଶନକାରୀମାନଙ୍କୁ ଗିରଫ କରିବା ପାଇଁ ଟ୍ରମ୍ପ ପ୍ରଶାସନର ପଦକ୍ଷେପକୁ ସେହି ରାଜ୍ୟର ରାଜ୍ୟପାଳଙ୍କ ସହ ପରାମର୍ଶ ନକରି ସେହି ରାଜ୍ୟର ନ୍ୟାସନାଲ୍ ଗାର୍ଡକୁ ମୁତୟନ କରିବାକୁ ଅବୈଧ ଏବଂ ଅନୈତିକ ବୋଲି କହିଛନ୍ତି । ନ୍ୟାସନାଲ୍ ଗାର୍ଡ ୟୁନିଟ୍ଗୁଡ଼ିକ ମିଳିତ ଭାବରେ ଆମେରିକାର ସଂଘୀୟ ସରକାର ଏବଂ ରାଜ୍ୟ ସରକାରମାନଙ୍କ ଦ୍ୱାରା ନିୟନ୍ତ୍ରିତ । ତେବେ କେମିତି ମନଇଚ୍ଛା ନିଜେ ନିଷ୍ପତ୍ତି ନେଇଗଲେ ଟ୍ରମ୍ପ ତାହା ଏବେ ପ୍ରଶ୍ନ ଉଠୁଛି ।
ଅନ୍ୟପକ୍ଷରେ ନ୍ୟୁସମଙ୍କ ଦାବିକୁ ଖାରଜ କରି, ଟ୍ରମ୍ପ ତାଙ୍କ ପଦକ୍ଷେପକୁ ମହାନ ନିଷ୍ପତ୍ତି ବୋଲି କହିଛନ୍ତି । କାଲିଫର୍ନିଆରେ ହିଂସାତ୍ମକ, ପ୍ରରୋଚିତ ଦଙ୍ଗାର ମୁକାବିଲା କରିବା ପାଇଁ ନ୍ୟାସନାଲ୍ ଗାର୍ଡ ପଠାଇ ଆମେ ଏକ ମହାନ ନିଷ୍ପତ୍ତି ନେଇଥିଲୁ । ଯଦି ଆମେ ଏପରି କରିନଥାନ୍ତୁ, ତେବେ ଲସ୍ ଆଞ୍ଜେଲସ୍ ସମ୍ପୂର୍ଣ୍ଣ ଭାବରେ ନିଶ୍ଚିହ୍ନ ହୋଇଯାଇଥାନ୍ତା । ଏଥିସହିତ ସେ ଏହାବି କହିଥିଲେ, ଏଭଳି ଘଟଣାରେ ଅତ୍ୟନ୍ତ ଅକ୍ଷମ ରାଜ୍ୟପାଳ, ଗାଭିନ୍ ନ୍ୟୁସମ ଏବଂ ମେୟର କରେନ୍ ବାସ୍, ଟ୍ରମ୍ପଙ୍କୁ ଧନ୍ୟବାନ ଦେବା ଉଚିତ୍ । କହିବା ଉଚିତ, ଧନ୍ୟବାଦ, ରାଷ୍ଟ୍ରପତି ଟ୍ରମ୍ପ, ଆପଣ ବହୁତ ଚମତ୍କାର । ଆପଣଙ୍କ ବିନା ଆମେ କିଛି ନଥାନ୍ତୁ, ମହାଶୟ । ଏହା ବଦଳରେ, ସେମାନେ କାଲିଫର୍ଣ୍ଣିଆ ଏବଂ ଆମେରିକାର ଲୋକଙ୍କୁ ମିଛ କହିବାକୁ ପସନ୍ଦ କରନ୍ତି ଯେ ଆମର ଆବଶ୍ୟକତା ନାହିଁ, ଏବଂ ଏଗୁଡ଼ିକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ବୋଲି କହି ସମାଲୋଚନା କରିଛନ୍ତି ଟ୍ରମ୍ପ । ହିଂସା ଏବଂ ଧ୍ୱଂସର ଫଟୋ ଏବଂ ଭିଡିଓଗୁଡ଼ିକୁ ହିଁ କେବଳ ଆପଣଙ୍କୁ ଏହାର ସତ୍ୟତା କହିଦେଉଛି । ଆମର ନାଗରିକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆମେ ସର୍ବଦା ଯାହା ଆବଶ୍ୟକ ତାହା କରିବୁ, ଯାହା ଦ୍ୱାରା ଆମେ ଏକାଠି ଆମେରିକାକୁ ପୁଣି ଥରେ ମହାନ କରିପାରିବା ବୋଲି କହିଛନ୍ତି ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି ଟ୍ରମ୍ପ ।
Comments are closed.