ମୁମ୍ବାଇ: ମହାରାଷ୍ଟ୍ରର କଡ଼ା ପ୍ରଶାସନିକ କାର୍ଯ୍ୟଶୈଳୀ ପାଇଁ ଜଣାଶୁଣା ବରିଷ୍ଠ ଆଇଏଏସ ଅଫିସର ତୁକାରାମ ମୁଣ୍ଡେ ଏବେ ସୋସିଆଲ ମିଡିଆରେ ବଡ଼ ଧମାକା କରିଛନ୍ତି। ନିଜର ଦୃଢ଼ ନିଷ୍ପତ୍ତି ଓ ନିଷ୍ଠାପର କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ମୁଣ୍ଡେ, ଇନଷ୍ଟାଗ୍ରାମ ଲୋକପ୍ରିୟତା ଓ ଏଙ୍ଗେଜମେଣ୍ଟ ରେଟ୍ ମାମଲାରେ ରାଜ୍ୟର ବଡ଼ ବଡ଼ ରାଜନେତାଙ୍କୁ ପଛରେ ପକାଇ ଦେଇଛନ୍ତି।
ରିପୋର୍ଟ ଅନୁସାରେ, ଇନଷ୍ଟାଗ୍ରାମରେ ତୁକାରାମ ମୁଣ୍ଡେଙ୍କର ୩୪ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ବିଶେଷ କଥା ହେଉଛି, ତାଙ୍କର ଏଙ୍ଗେଜମେଣ୍ଟ ରେଟ୍ ପ୍ରାୟ ୨୦.୩୫% ରହିଛି, ଯାହାକି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ (୦.୫୦%) ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (୦.୨୪%)ଙ୍କ ତୁଳନାରେ ଯଥେଷ୍ଟ ଅଧିକ। ଗତ କିଛି ମାସ ମଧ୍ୟରେ କମ୍ ପୋଷ୍ଟ କରିଥିଲେ ବି ତାଙ୍କର ପ୍ରତ୍ୟେକ ଭିଡିଓ, ରୀଲ୍ସ ଏବଂ ପ୍ରଶାସନିକ କାର୍ଯ୍ୟର ଅପଡେଟକୁ ଲୋକମାନେ ବହୁମାତ୍ରାରେ ପସନ୍ଦ ଓ ଶେୟାର କରୁଛନ୍ତି।
ବର୍ତ୍ତମାନ ଖାଦ୍ୟ ଓ ସୁରକ୍ଷା ପ୍ରଶାସନର ଆୟୁକ୍ତ ଭାବେ ଦାୟିତ୍ୱ ତୁଲାଉଥିବା ମୁଣ୍ଡେଙ୍କର ସାଧାରଣ ଜନତାଙ୍କ ପ୍ରତି ଥିବା ଜନକଲ୍ୟାଣକାରୀ ଦୃଷ୍ଟିକୋଣ ଏବଂ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ହିଁ ତାଙ୍କୁ ସୋସିଆଲ ମିଡିଆରେ ଏକ ‘ଡିଜିଟାଲ ବ୍ରାଣ୍ଡ’ ଓ ନୂଆ ପିଢ଼ିର ପ୍ରିୟ ନାୟକ ଭାବେ ଗଢ଼ି ତୋଳିଛି।

