Latest Odisha News

BREAKING NEWS

ଯେଉଁଠି ମେସିନ ଫେଲ ମାରିଲା ସେଠି ଭାରତୀୟ ସନ୍ଧାନୀ କୁକୁର ଖୋଜି ପାଇଲେ ଜୀବନ

ଅଙ୍କାରା: ତୁର୍କୀରେ ଏବେ ବି ଚାଲିଛି ମୃତ୍ୟୁ ସହ ସଂଘର୍ଷ । ଧ୍ୱଂସସ୍ତୁପ ତଳୁ ଚାଲିଛି ଜୀବନ ଖୋଜା । ୯ ଦିନ ଏହି ସ୍ତୁପ ତଳେ ଚାପି ହୋଇ ରହିବା ପରେ ବି ଉଦ୍ଧାରକାରୀ ଦଳ ପାଉଛନ୍ତି ଜୀବନର ସନ୍ଧାନ । ଏ ଧ୍ୱଂସର ଚିତ୍ର ଯେତିକି ହୃଦୟ ବିଦାରକ, ତା ଭିତରୁ ଗୋଟିଏ ଗୋଟିଏ ଜୀବନର ସନ୍ଧାନ ସେତିକି ଆଶ୍ୱାସନା ଦେଉଛି ଉଦ୍ଧାରକାରୀ ଦଳଙ୍କୁ ।

ତେବେ ତୁର୍କୀର ଏହି ବିପଦବେଳେ ଉଦ୍ଧାରକାରୀ ଦଳଙ୍କର ବଡ ସାଥୀ ପାଲଟିଛନ୍ତି ଭାରତରୁ ଯାଇଥିବା ରୋମିଓ, ଜୁଲି, ରେମ୍ବୋ, ହନି, ବବ୍ ଏବଂ ରକ୍ସି । ଧ୍ୱଂସସ୍ତୁପ ତଳୁ ଜୀବନର ସନ୍ଧାନ କରବାରେ ଯେଉଁଠି ମେସିନ ବିଫଳ ହୋଇଛି ସେଠି ରୋମିଓ, ଜୁଲି, ରେମ୍ବୋ…ମାନେ ସଫଳ ହୋଇଛନ୍ତି । ଆପଣ ଭାବୁଥିବେ ଏହି ରୋମିଓ, ଜୁଲି, ରେମ୍ବୋ..କିଏ ? ଏମାନେ ଆଉ କେହି ନୁହଁନ୍ତି, ଭାରତରୁ ଯାଇଥିବା ସନ୍ଧାନୀ କୁକୁର । ଲାବ୍ରାଡର ପ୍ରଜାତିର ଏହି କୁକୁର ଧ୍ଂସସ୍ତୁପ ତଳୁ ୬୩ ଶବର ସନ୍ଧାନ ଦେଇଥିବାବେଳେ ୭ ଓ ୮ ବର୍ଷର ଦୁଇଜଣ ଶିଶୁଙ୍କୁ ଉଦ୍ଧାରରେ ସାହାଯ୍ୟ କରିଥିଲେ ।

ତୁର୍କି ଭୂମିକମ୍ପ ଭୟାନକ ରୂପ ଏବେ ବି ଛାତି ଥରାଇ ଦେଉଛି । ମୃତ୍ୟ ସଂଖ୍ୟା ୩୫ ହଜାର ପାର କରିଲାଣି । ଏହାର ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି । ଏପରି ବିପଦ ସମୟରେ ସବୁଦେଶରୁ ଛୁଟିଛି ସହାୟତାର ହାତ । ଭାରତ ବି ଆଗେଇ ଆସିଛି ତୁର୍କୀକୁ ସହାୟତା କରିବା ପାଇଁ । ଭୂକମ୍ପ ପରେ ଉଦ୍ଧାର କାର୍ଯ୍ୟ ପାଇଁ ମାନବୀୟ ଟିମ ସହ ଏନଡିଆରଏଫ ଟିମ, ସ୍ନିଫର ଡଗକୁ ପଠାଇଛି  । ଉଦ୍ଧାର କାର୍ଯ୍ୟରେ ଏହି ସନ୍ଧାନୀ କୁକୁର ଖୁବ ସହାୟତା କରୁଛନ୍ତି ଉଦ୍ଧାରକାରୀ ଦଳଙ୍କୁ । ଏହି କୁକୁରଙ୍କ ସହାୟତାରେ ଧ୍ୱଂସସ୍ତୁ୍ପ ତଳୁ  ୬୩ଟି ଶବକୁ ଉଦ୍ଧାର କରିଛନ୍ତି ଏନଡିଆରଏଫ ଟିମ । ଏହାବ୍ୟତୀତ ୨ଜଣ ଶିଶୁଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି ।

ଭାରତ ଏନଡିଆରଏଫ ଟିମ ସହ ୬ଟି ଲବ୍ରାଡର ପ୍ରଜାତିର କୁକୁରଙ୍କୁ ପଠାଇଥିଲା । ଏନଡିଆରଏଫର କମାଣ୍ଡିଂ ଅଫିସର ଗୁରୁମନ୍ଦିର ସିଂହଙ୍କ କହିବା ଅନୁଯାୟୀ, ତୁର୍କୀରେ ଉଦ୍ଧାର ସମୟରେ ଏହି ସନ୍ଧାନୀ କୁକୁର ବହୁତ ସହାୟତା କରିଥିଲେ । ଏମାନଙ୍କୁ ସମ୍ଭାଳିବା ଖୁବ ସହଜ ଥିଲା  । କାରଣ ଏମାନେ ଆକ୍ରମକ ନ ଥିଲେ । ଧ୍ୱଂସ୍ତ ସ୍ତୁପ ତଳୁ ମଣିଷକୁ ଖୋଜି ବାହାର କରାଯାଇଥାଏ ୩ଟି ଉପାୟରେ । ମଣିଷ ସହାୟତାରେ କିମ୍ବା ଟେକ୍ନୋଲଜି ସହାୟତାରେ କିମ୍ବା କୁକୁର ମାଧ୍ୟମରେ । ହେଲେ ଏଠାରେ ଟେକ୍ନୋଲଜି ଅର୍ଥାତ ମେଶିନ, ଲାଇଫ ଡିକ୍ଟେଟର, ଭୂକମ୍ପୀୟ ସେନ୍ସର କାମ କରି ନ ଥିଲା । କିନ୍ତୁ ଆମ ସନ୍ଧାନୀ କୁକୁର ବହୁତ ସାହାଯ୍ୟ କରିଥିଲା ବୋଲି ସିଂହ କହିଛନ୍ତି।

ଏନଡିଆରଏଫର ଏକ ଟିମ ତୁର୍କୀର ନୁରଦାଗୀରେ ଉଦ୍ଧାର କାର୍ଯ୍ୟ ଚଲାଉଥାନ୍ତି । ଏହି ସମୟରେ ଏନଡିଆରଏଫର ସନ୍ଧାନୀ କୁକୁର ଜୁଲି ହଠାତ ଧ୍ୱଂସସ୍ତୁପ ପାଖରେ ଗୋଟିଏ ସ୍ଥାନରେ ଛିଡା ହୋଇ ଭୁକିବାକୁ ଲାଗିଲା  । ଏନଡିଆରଏଫ ଯବାନମାନେ ଜାଣି ଗଲେ ଯେ, ଜୁଲି ସ୍ତୁପ ତଳେ କେହି ବଞ୍ଚିଥିବାର ସୁରାକ ପାଇଛି । ଏହା ପରେ ରୋମିଓକୁ ମଧ୍ୟ ସେହି ଜାଗାକୁ ପଠାଗଲା । ସେ ମଧ୍ୟ ଭୁକିବା ଆରମ୍ଭ କଲା । ଏହ ପରେ ଏନଡିଆରଏଫ ବ୍ୟକ୍ତି ଜାଣିବାକୁ ପାଇଥିଲେ ଯେ ସେଠାରେ ସ୍ତପ ତଳେ ଅନେକ ବ୍ୟକ୍ତି ଜୀବିତ ଅବସ୍ଥାରେ ଥିଲେ । ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.